୬ଷ୍ଠ ଦିନରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭୁବନେଶ୍ୱର : ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ)ର ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନି। ଯେଉଁଥିପାଇଁ ଆଜି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବୀନ ନିବାସରେ ଦାବିପତ୍ର ପ୍ରଦାନ କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତି କୁହାଯାଇଛି।

ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ କହିବାନୁଯାୟୀ ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ମୂଳ ଦରମା ୯୩୦୦ ଟଙ୍କା ଓ ଗ୍ରେଡ୍‌ ପେ’ ୪୨୦୦ ଟଙ୍କା ଦେଇ ସପ୍ତମ ବେତନ କମିସନକୁ ସଂଶୋଧନ କରାଯାଇଛି। କିନ୍ତୁ ଓଡ଼ିଶାରେ ପ୍ରାଥମିକ ଶିକ୍ଷକଙ୍କ ଦରମା କ୍ଷେତ୍ରରେ ବ୍ୟତିକ୍ରମ ହୋଇଛି। ମୂଳ ଦରମା ୫୨୦୦ ଓ ଗ୍ରେଡ୍‌ ପେ’ ୨୮୦୦ ଟଙ୍କାକୁ ବୃଦ୍ଧି କରି ସପ୍ତମ ବେତନ କମିସନକୁ ସଂଶୋଧନ, ଶିକ୍ଷା ସହାୟକଙ୍କ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ଓ ଓଡ଼ିଶାରୁ ଠିକା, ଚୁକ୍ତି, ଶିକ୍ଷା ସହାୟକ ନିଯୁକ୍ତି ବନ୍ଦ କରି ପୂର୍ଣ୍ଣ ଚାକିରି ସର୍ତ୍ତାବଳୀ ଥାଇ ନିୟମିତ ଶିକ୍ଷକ ନିଯୁକ୍ତି ତଥା ନିୟୋଜିତ ହେଉଥିବା ଶିକ୍ଷା ସହାୟକଙ୍କୁ ୩ ବର୍ଷରେ ନିୟମିତ କରିବା ଦାବିରେ ଆନ୍ଦୋଳନ ଚାଲୁ ରହିଛି। ଏ ନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସରକାର ଚୁପ୍‌ ବସି ପଡ଼ିଛନ୍ତି। ଶିକ୍ଷକଙ୍କ ନ୍ୟାଯ୍ୟ ଦାବି ପୂରଣ କରାଯାଉ ନ ଥିବାରୁ ଶିକ୍ଷକମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ଶ୍ରୀ ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର