ଡ୍ରାଇଭରଙ୍କ ଭୁଲ୍‌ ପାଇଁ କେନାଲରେ ଖସିପଡ଼ିଲା ବୋଲେରୋ, ଦୁର୍ଘଟଣାରେ ଜଣେ ବରଯାତ୍ରୀ ମୃତ

ରାଇରଙ୍ଗପୁର/ସୁଲେଇପାଟ: ଡ୍ରାଇଭରଙ୍କ ଭୁଲ ପାଇଁ ବୋଲୋରୋ କେନାଲକୁ ଖସିପଡ଼ିଛି। ଏଥିରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଥା ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ପୁରୁଣିଆ ଗ୍ରାମ ପାର୍ଶ୍ବରେ ଥିବା ଖଡଖାଇ କେନାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ କେନ୍ଦୁଝର ଜିଲ୍ଲା ତେଲକୋଇ ଗ୍ରାମର ପରମେଶ୍ୱର ଚୌଧରୀଙ୍କ ପୁଅ ସନୁ ଚୌଧରୀ(୨୩)ଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ କେନ୍ଦୁଝର ଜିଲ୍ଲା ତେଲକୋଇରୁ ଏକ ବରଯାତ୍ରୀ ଦଳ ବୋଲେରୋ(ଓଡି-୧୧ଇ-୦୨୯୯)ରେ ସୁଲେଇପାଟ ଫାଣ୍ଡି ଅର୍ନ୍ତଗତ କୁସୁମୀକୁ ଯାଉଥିବା ସମୟରେ ପୁରୁଣିଆ କେନାଲ ନିକଟରେ ଅଟକିଥିଲେ। ଉଭୟ ଡ୍ରାଇଭର୍ ଓ ବରଯାତ୍ରୀମାନେ ଗାଡ଼ି ଛିଡା କରି ସେଥିରୁ ଓହ୍ଲାଇ ଆସିଥିଲେ। ତେବେ ଗାଡ଼ିର ବ୍ରେକ୍ କିମ୍ବା ଗିୟର୍ ଲଗାଇନଥିବାରୁ ଗାଡିଟି ଆପେ ଆପେ ଗଡ଼ିବାକୁ ଲାଗିଲା। ପାଖରେ ଥିବା ଜଣେ ଯାତ୍ରୀ ଘଟଣା ସମ୍ପର୍କରେ ଜାଣି ବୋଲେରୋ ସାମ୍ନାକୁ ଯାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଗାଡ଼ିଟି କେନାଲ ମଧ୍ୟକୁ ଖସିପଡିଥିଲା। ଫଳରେ ଗାଡି ସାମ୍ନାରେ ଥିବା ଯାତ୍ରୀ ସନୁ ପାଣି ଭିତରେ ଗାଡ଼ି ତଳେ ଚାପି ହୋଇଯାଇଥିଲେ।

ଏସମ୍ପର୍କରେ ବାଦାମପାହାଡ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଂଚି ସନୁଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଦାମାପାହାଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର