ପାଇକମାଳରେ ଚାଞ୍ଚଲ୍ୟ: ଆଦିବାସୀ ଯୁବତୀଙ୍କୁ ଦୁର୍ଷ୍କମ ପରେ ହତ୍ୟା!

୩ ଜଣଙ୍କୁ ଅଟକ ରଖି ପଚରାଉଚରା

ପାଇକମାଳ: ‘ନିର୍ଭୟା’ ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଝାରବନ୍ଧ ପଂଚାୟତ ଟେମିରିମାଲ ଗ୍ରାମରେ ଜଣେ ଆଦିବାସୀ ଯୁବତୀଙ୍କୁ ଦୁର୍ଷ୍କମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସେହି ଗାଁର ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ଟେମିରିମାଲ ଗ୍ରାମର ଧନୁର୍ଜୟ ଏଣ୍ତଜାଙ୍କ ଝିଅ ଲୁହାବତୀ ଏଣ୍ତଜା (୨୩) ଗତ ଶୁକ୍ରବାର ସନ୍ଧ୍ୟାରେ ଘରୁ ଶୌଚ ପାଇଁ ଯାଇଥିଲେ। କିନ୍ତୁ ସେ ଆଉ ଫେରି ନ ଥିଲେ। ଦୁଇଦିନ ଖୋଜାଖେଜି କରିବା ପରେ ସୋମବାର ପାଇକମାଳ ଥାନାରେ ଧନୁର୍ଜୟ ଅଭିଯୋଗ କରିଥିଲେ। ଖୋଜାଖୋଜି ବେଳେ ଧନୁର୍ଜୟ ଏବଂ ଗାଁ ଲୋକେ ଜଙ୍ଗଲ ଭିତରେ ଝିଅର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ମଙ୍ଗଳବାର ସକାଳେ ପାଇକମାଳ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା। ପରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ, ଏସ୍‌ଡିପିଓ ପ୍ରଦୀପ ସାହୁ, ଆଇଆଇସି ବିଶ୍ବଜିତ ମନବୋଧ ପହଂଚିଥିଲେ। ଫରେନସିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଂଚି ତନାଘନା ଚଳାଇଥିଲେ। ପାରିପାର୍ଶ୍ବିକ ସ୍ଥିତି ଦେଖି ଲୁହାବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ପ୍ରାୟ ବର୍ଷେ ତଳେ ଲୁହାବତୀଙ୍କୁ କିଛି ଯୁବକ ପ୍ରେମ ନିବେଦନ କରିବା ସହ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପରିବାରଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। ତେଣୁ ଏହା ସମ୍ଭବତଃ ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି କିଛି ଗ୍ରାମବାସୀ କହୁଛନ୍ତି। ପୂର୍ବରୁ ଲୁହାବତୀଙ୍କୁ ଧମକ ଦେଇଥିବା ଯୁବକଙ୍କ ମଧ୍ୟରୁ ଜଣେ ଥାନାରେ ଅଟକ ଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୁଲିସ ଅଧିକ ସୂଚନା ଦେବାକୁ ମନା କରିଛି।

ସମ୍ବନ୍ଧିତ ଖବର