ଜରିମାନା ଆଦାୟ ପାଇଁ ବ୍ୟବହୃତ ବହି ଜାଲ୍‌ କରି ବ୍ରହ୍ମପୁରରେ ଗିରଫ ହେଲେ କନେଷ୍ଟବଲ୍‌

ବ୍ରହ୍ମପୁର: ଖୋଦ୍‌ ପୁଲିସ ବିଭାଗକୁ ଚୂନ ଲଗାଇ ଜଣେ କନେଷ୍ଟବଲ୍‌ ଚଞ୍ଚକତା କରି ଜରିମାନା ଆଦାୟ ପାଇଁ ବ୍ୟବହାର ରସିଦ୍‌ ବହି ଜାଲ୍‌ କରି ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ନାମ କୃଷ୍ଣଚନ୍ଦ୍ର ନାୟକ ବୋଲି ଏ.ଏସ୍‌.ପି. ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ଏଭଳି ଅଭିୟନ ଉପାୟରେ ଠକେଇ ଘଟଣା ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବିସ୍ମିତ କରିଛି। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ଦିଗରେ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

କୋଭିଡ୍‌-୧୯ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପୁଲିସ ବିଭିନ୍ନ ଛକରେ ଜଗି ରହି ହେଲମେଟ୍‌ ଓ ମାସ୍କ ଯାଞ୍ଚ କରୁଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରାଯାଉଛି। ଜରିମାନା ଆଦାୟ କରିବା ପାଇଁ ରେଡ଼କ୍ରସ ତରଫରୁ ରସିଦ୍‌ ବହି ପ୍ରଦାନ କରାଯାଇଥାଏ। ଏହି ବହି ରେଡ଼କ୍ରସ ଜରିଆରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ବିଭିନ୍ନ ଥାନାକୁ ଦିଆଯାଇଥାଏ। କିନ୍ତୁ ଏଭଳି ବହି ଆସିକାର ଏକ ପ୍ରେସ୍‌ ଛପା ଯାଇଥିବା ନେଇ ସୂଚନା ଆସିଥିଲା। ରେଡ଼କ୍ରସର ସମ୍ପାଦକ ଦାୟିତ୍ୱବରେ ଥିବା ବିଡିଏ ସଚିବ ସମ୍ବିତ ରାଉତ ଘଟଣା ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଆସିକା ଯାଇ ସମ୍ପୃକ୍ତ ପ୍ରେସ୍‌ରେ ଚଢାଉ କରିଥିଲା। ସେଠାରୁ ରସିଦ୍‌ ବହି ଛପାଯିବା ସମ୍ପର୍କରେ ପ୍ରମାଣ ମିଳିଥିଲା। ପ୍ରେସ୍‌ରେ ମାଲିକଙ୍କୁ ପଚରାଉଚରା ପରେ ପୁଲିସକୁ ଯେଉଁ ତଥ୍ୟ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟ୍ରାଫିକ୍‌ ଥାନାରେ କାର୍ଯ୍ୟରତ କନେଷ୍ଟବଲ୍‌ କୃଷ୍ଣଚନ୍ଦ୍ର ନକଲି ରସିଦ୍‌ ବହି ଛପାଇଥିବା ଜଣାପଡ଼ିଥିଲା। ସେ ନେଇ ଆଜି ବୈଦ୍ୟନାଥପୁର ଥାନା ପୁଲିସ ଲାଞ୍ଜିପଲ୍ଲୀରେ ରହୁଥିବା କନେଷ୍ଟବଲ୍‌ଙ୍କ ଘରେ ଚଢାଉ କରିଥିଲା। ସେଠାରୁ ପୁଲିସ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କେସ୍‌ ନମ୍ବର ୧୩୩/୨୦ରେ କୋର୍ଟ ଚାଲାଣ କରିଛି। ସେହି ପ୍ରେସ୍‌ରେ ୨ଶହ ଟଙ୍କା ଜରିମାନାର ୨୦ଟି ବହି ଓ ୫ଶହ ଟଙ୍କା ଜରିମାନାର ୨୦ଟି ବହି ଛପା ଯାଇଥିଲା ବୋଲି ତଦନ୍ତରେ ଜଣାପଡ଼ିଛି। ଯାହାର ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ। ତେବେ କେତେ ବହି ଜରିମାନା ଆଦାୟରେ ବ୍ୟବହାର ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ କିଛି ନକଲି ରସିଦ୍‌ ବହି ଜବତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର