ବାତ୍ୟା ଅଞ୍ଚଳରେ ବଣ୍ଟାଯିବ ୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଚଳିତ ବର୍ଷ ୮.୧୭ ଲକ୍ଷ ପକ୍କା ଘର ମଞ୍ଜୁର କରିଛନ୍ତି। ଏହି ଘରକୁ ମୁଖ୍ୟତଃ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବାଣ୍ଟିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ମୁଖ୍ୟତଃ ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାକୁ ଅଧିକ ଘର ଦିଆଯିବ। ମୟୂରଭଞ୍ଜ ଜିଲ୍ଲାକୁ ସର୍ବାଧିକ ୧,୪୭,୪୯୪ ପକ୍କା ଘର ଆବଣ୍ଟନ କରିବାକୁ ଲକ୍ଷ୍ୟ ରଖଯାଯାଇଛି। ଏହା ପରେ ପୁରୀକୁ ୯୭,୨୨୦ ଓ ବାଲେଶ୍ବରକୁ ୯୦,୨୩୧ ଘର ଦିଆଯିବ। ଏହି ତାଲିକାରେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଆଦୌ ଘର ଦିଆଯାଇ ନାହିଁ। ଝାରସୁଗୁଡ଼ା, ଗଜପତି, କନ୍ଧମାଳ ଓ ଦେବଗଡ଼ ଜିଲ୍ଲାକୁ କମ୍ ସଂଖ୍ୟାରେ ଘର ଆବଣ୍ଟନ ହୋଇଛି। କେନ୍ଦ୍ରରୁ ଅର୍ଥ ଆସିଲା ପରେ ସଙ୍ଗେ ସଙ୍ଗେ ହିତାଧିକାରୀଙ୍କୁ ବଣ୍ଟାଯିବାକୁ ପଞ୍ଚାୟତିରାଜ ବିଭାଗ ଲକ୍ଷ୍ୟ ରଖିଛି।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ବାଦ୍ ଅନ୍ୟ ଜିଲ୍ଲାରେ ପକ୍କା ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୦ ଲକ୍ଷ ଘର ଦେବା ପାଇଁ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯାଇଇଛି। ଏହା ଏବେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଏହି ଯୋଜନାରେ କେନ୍ଦ୍ର ସରକାର ୬୦% ଓ ରାଜ୍ୟ ସରକାର ୪୦% ଅର୍ଥ ଦେଉଛନ୍ତି। ଏହା ବାଦ୍ ସମୟସୀମା ମଧ୍ୟରେ କାମ ସାରିବା ପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କୁ ଅଧିକ ପ୍ରୋତ୍ସାହନ ରାଶି ଦେଉଛନ୍ତି।

ବଲାଙ୍ଗୀର ସାଂସଦଙ୍କ ପ୍ରତିବାଦ
ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଣ୍ଟନକୁ ନେଇ ଆପତ୍ତି ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଜିଲ୍ଲା ୱାରି ଘର ଆବଣ୍ଟନର ଏକ ତାଲିକା ପୋଷ୍ଟ୍ କରି ଏଥିରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିରୁ ବିଜେଡି ସରକାରର ପଶ୍ଚିମ ଓଡ଼ିଶା ପ୍ରୀତି ଜଣାପଡ଼ୁଛି ବୋଲି କଟାକ୍ଷ କରିବା ସହ ଏହା ଦ୍ବାରା ଆଞ୍ଚଳିକ ବୈଷମ୍ୟ ଅଧିକ ସୃଷ୍ଟି ହେଉଥିବା ସାଂସଦ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର