ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ

‘ଟ୍ରାନ୍‌ସଫର୍ମିଂ ନ୍ୟୁଟ୍ରିସନ୍ ଆଉଟକମ୍‌ସ ଇନ୍ ଓଡ଼ିଶା’ ଶୀର୍ଷକ କର୍ମଶାଳା

ଭୁବନେଶ୍ବର : ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନ ଉଭୟ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟି ଆବଶ୍ୟକତା ପରିପୂରଣ ଦିଗରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ବୋଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମହିଳା ଓ ଶିଶୁବିକାଶ ଏବଂ ମିସନ ଶକ୍ତି ବିଭାଗ ଆନୁକୂଲ୍ୟରେ ‘ଟ୍ରାନ୍‌ସଫର୍ମିଂ ନ୍ୟୁଟ୍ରିସନ୍ ଆଉଟକମ୍‌ସ ଇନ୍ ଓଡ଼ିଶା’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଟୁକୁନି ସାହୁ କହିଲେ, ପୁଷ୍ଟି ହିଁ ପ୍ରଗତିର ମୁଖ୍ୟ ଲକ୍ଷ୍ୟଣ। ପୁଷ୍ଟିସଂପନ୍ନ ଶିଶୁ, କିଶୋରୀ ଓ ମହିଳା ହେଉଛନ୍ତି ସମାଜ ପାଇଁ ଅମୂଲ୍ୟ ସଂପଦ। ପୁଷ୍ଟିସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ପାଇଁ ବିଭାଗ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଦୁର୍ଗମ ଅପହଞ୍ଚ ଓ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଯେମିତି କେହି ଜଣେ ବି ମହିଳା ଓ ଶିଶୁ ଅପପୁଷ୍ଟି ଶିକାର ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦିଆଯାଉ। ସମସ୍ତଙ୍କ ପାଖରେ ଯେଭଳି ଅଙ୍ଗନବାଡ଼ି ସେବା ପହଞ୍ଚିପାରିବ ସେଥିପାଇଁ ତତ୍ପରତା ସହିତ କାର୍ଯ୍ୟ କରିବାକୁ ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ।

ବିଭାଗୀୟ ସଚିବ ଅନୁ ଗର୍ଗ କହିଲେ, ଟେକ୍ ହୋମ ରାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ‘ମୋ ଛତୁଆ’ ଆପ୍ ପ୍ରଚଳନ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ସୁଷମ ରନ୍ଧା ଖାଦ୍ୟ ସହ ଫ୍ରି ସ୍କୁଲ ୟୁନିଫର୍ମ, ଜୋତାମୋଜା, ରନ୍ଧନ ଗ୍ୟାସ୍ ଓ ୱାଟର ଫିଲଟର ଯୋଗାଇ ଦିଆଯାଉଛି। ରାୟଗଡ଼ା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ କଳାହାଣ୍ଡିରେ ୧୫୦ଟି କ୍ରେଚ୍ ଓ ଖଣି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଡିଏଫ୍‌ଏଫ୍‌ ଜରିଆରେ ୬୦ଟି କ୍ରେଚ୍ ଖୋଲଯାଇଥିବା ଶ୍ରୀମତୀ ଗର୍ଗ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିସନ ଶକ୍ତି କମିସନର ତଥା ନିର୍ଦେଶକ ସୁଜାତା କାର୍ତିକେୟନ୍, ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅଗୁମୁଗମ୍, ମହିଳା ଓ ଶିଶୁ ବିକାଶ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ପୁଷ୍ଟିସଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର