ସମସ୍ୟା ଘେରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ସୁଧୁରୁନି ଆଇସିୟୁ ଅବ୍ୟବସ୍ଥା, ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର, ଶଯ୍ୟା ଅଭାବରୁ ରୋଗୀ କଟକ-ଭୁବନେଶ୍ବର ମୁହାଁ

ପୁରୀ : ନାଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। କିନ୍ତୁ ସେବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ବି ହୀନ। ରୋଗୀଙ୍କୁ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ୁଛି। ଦେହରେ ଟିକିଏ ଖଣ୍ଡିଆ ହେଲେ ଭୁବନେଶ୍ବର ଅବା କଟକ ରେଫର୍‌ କରାଯାଉଛି। ଡାକ୍ତରଙ୍କ ବ୍ୟବହାର କଥା ତ ନକହିବା ଭଲ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଅବ୍ୟବସ୍ଥା କେବଳ ରୋଗୀ ଓ ରୋଗୀଙ୍କ ପରିବାରକୁ ନୁହେଁ, ବୁଦ୍ଧିଜୀବୀଙ୍କୁ ବି ମର୍ମାହତ କରିଛି। ଏଭଳି ପରିସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ଅବସ୍ଥା ଆହୁରି ଉଦ୍‌ବେଗଜନକ। ମାତ୍ର ୬ଟି ଶଯ୍ୟାକୁ ନେଇ ଚାଲିଥିବା ଏହି ଆଇସିୟୁରେ ରୋଗୀମାନେ ଡାକ୍ତରୀ ସେବାରୁ ବଞ୍ଚିତ ହେଉଛନ୍ତି। ଯେଉଁଠି ଚାରି ଚାରି ଜଣ ଡାକ୍ତର ରହିବା କଥା ସେଠି ଜଣେ ମାତ୍ର ଡାକ୍ତର ସ୍ବାସ୍ଥ୍ୟସେବା ଦାୟିତ୍ବ ସମ୍ଭାଳୁଛନ୍ତି। ରୋଗୀଙ୍କ ଆବଶ୍ୟକତାକୁ ନଜରରେ ରଖି ବହୁଦିନରୁ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲେ ବି ଏହାକୁ ଜିଲ୍ଲା ପ୍ରଶାସନ ନା ସ୍ବାସ୍ଥ୍ୟ ସମିତି, କେହି ବିଚାରକୁ ନନେବା ପରିତାପର ବିଷୟ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ପୁରୀ ଜିଲ୍ଲାର ଏଭଳି ଅବସ୍ଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ଆରମ୍ଭ ଦିନରୁ ନାନାଦି ସମସ୍ୟା ଦେଇ ଗତି କରୁଛି। ପ୍ରଥମେ ଏସି, ବିଜୁଳି ଆଦି ସମସ୍ୟାକୁ ନେଇ ରୋଗୀ ହସ୍ତସନ୍ତ ହେଉଥିଲେ। ଜରୁରୀକାଳୀନ ସେବା ଯୋଗାଉଥିବା ଆଇସିୟୁର ଏଭଳି ଅବସ୍ଥାକୁ ନେଇ ବାରମ୍ବାର ବିରୋଧର ସ୍ବର ଉଠିବା ପରେ ପରିସ୍ଥିତିରେ ସୁଧାର ଆସିଲା। ପରେ ଆହୁରି ଅନେକ ସମସ୍ୟା ଦେଇ ଗତି କରିଥିବା ଆଇସିୟୁ ଗତ ବାତ୍ୟାରେ ଛାରଖାର ହୋଇ ଯାଇଥିଲା। ଯେଉଁଥିପାଇଁ ରୋଗୀମାନେ ଏହି ସେବାରୁ ବଞ୍ଚିତ ହେଲେ। ପ୍ରାୟ ଦୁଇ ମାସ ଧରି ଆଇସିୟୁ ଅଚଳ ଅବସ୍ଥାରେ ପଡ଼ି ରହିବା ପରେ ରଥଯାତ୍ରା ସମୟରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି।

ଆଇସିୟୁର ପ୍ରଥମ ଲକ୍ଷ୍ୟ ହେଉଛି, ରୋଗୀଙ୍କୁ ଅହରହ ଓ ତନ୍ନତନ୍ନ କରି ପରୀକ୍ଷଣ ଓ ଦେଖାଶୁଣା। ଜଟିଳ ଅବସ୍ଥାରେ ଥିଲେ ଆଇସିୟୁକୁ ରୋଗୀଙ୍କୁ ଭର୍ତ୍ତି କରାଯାଏ। ସେହି ଅନୁଯାୟୀ ରୋଗୀଙ୍କୁ ସେବା ବି ଯୋଗାଇ ଦେବା ଦରକାର। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଆଜି ପର୍ଯ୍ୟନ୍ତ ଆବଶ୍ୟକ ଡାକ୍ତର କି କର୍ମଚାରୀ ନାହାନ୍ତି। ଆଇସିୟୁରେ ୬ଟି ଶଯ୍ୟା ରହିଥିବାବେଳେ ଏଠାରେ ସେବା ଯୋଗାଇ ଦେବା ପାଇଁ ୪ ଡାକ୍ତର ପଦବି ସୃଷ୍ଟି କରାଯାଇଛି। ସେହି ଅନୁଯାୟୀ ଶଯ୍ୟା ପିଛା ନର୍ସ ଓ ଅନ୍ୟ ଡାକ୍ତରୀ କର୍ମଚାରୀଙ୍କ ପାଇଁ ପଦବି ସୃଷ୍ଟି କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଆବଶ୍ୟକ ମୁତାବକ ଡାକ୍ତର ଏଠାରେ ନିଯୁକ୍ତି ଦିଆଯାଇନି। ୪ ଜଣଙ୍କ ଜାଗାରେ ମାତ୍ର ଜଣେ ଡାକ୍ତର ଆଇସିୟୁ ଦାୟିତ୍ବ ସମ୍ଭାଳୁଛନ୍ତି। ସେ ପୁଣି ଓପିଡି ସହ ଆଇସିୟୁ ଦାୟିତ୍ବରେ ରହିଛନ୍ତି। ପୂର୍ବରୁ ଏଠାରେ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତନ୍ମଧ୍ୟରୁ ଜଣେ ଡାକ୍ତରଙ୍କ ଅବସର ନେଇ ସାରିଥିବାବେଳେ ଆଉ ଦୁଇ ଜଣଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଯେଉଁଥିପାଇଁ ଆଇସିୟୁରେ ଭର୍ତି ହେଲେ ବି ରୋଗୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

ପ୍ରତି ଦିନି ଏଠାକୁ ବହୁ ରୋଗୀ ଆସୁଛନ୍ତି, ଯେଉଁମାନେ କି ଆଇସିୟୁ ଆବଶ୍ୟକ କରୁଛନ୍ତି। ଡାକ୍ତର ମଧ୍ୟ ରେଫର କରୁଛନ୍ତି, କିନ୍ତୁ ଶଯ୍ୟା ଅଭାବରୁ ରୋଗୀ ଆଇସିୟୁ ବଦଳରେ ସାଧାରଣ ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି। ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ଭୁବନେଶ୍ବର ଅବା କଟକ ଯାଉଛନ୍ତି, ନଚେତ୍ ଗରିବ ଲୋକେ ବାଧ୍ୟ ହୋଇ ସାଧାରଣ ୱାର୍ଡ଼ରେ ଚିକିତ୍ସିତ ହଉଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ରୋଗୀଙ୍କ ଅକାଳ ମୃତ୍ୟୁ ହେଉଛି। ଆଇସିୟୁରେ ଏହି ଅବ୍ୟବସ୍ଥା ବହୁଦିନର ହୋଇଥିଲେ ବି ଏଥିପ୍ରତି କାହାରି ନଜର ପଡୁନାହିଁ।

ସମ୍ବନ୍ଧିତ ଖବର