ମୁକୁଳା ପଡ଼ିଛି ବେଳାଭୂମି ଅଞ୍ଚଳ : ବାହ୍ୟଶତ୍ରୁ ଆକ୍ରମଣ ଭୟ, ସୁରକ୍ଷା କମ୍, ବିପଦ ବେଶୀ

ଅସ୍ତରଙ୍ଗ : ଅସ୍ତରଙ୍ଗ ବେଳାଭୂମି ଅଞ୍ଚଳ ମୁକୁଳା ପଡ଼ିଛି। ପୀରଜାହାନିଆ, ଦେବୀ ମୁହାଣ, ସହନର ଗଙ୍ଗାଦେବୀ, ନୂଆଗଡ଼ର ସାମୁଦ୍ରିକ ଜେଟି, କେଉଟଜଙ୍ଗା ପ୍ରମୁଖ ଅଞ୍ଚଳ ଅତି ସମ୍ବେଦନଶୀଳ। ଏଠାରୁ ଜଳପଥରେ ପାରାଦୀପ, ପୁରୀ, ଜଗତସିଂହପୁର ସମେତ ଚାରିଆଡ଼କୁ ବାଟ ପଡ଼ିଛି। ତେବେ ଏହି ସାମୁଦ୍ରିକ ପଥରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ବାହ୍ୟ ଶତ୍ରୁ ପଶିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଏହାର ମୁକାବିଲା କରିବା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମୀ ବି ନାହାନ୍ତି। ନୂଆଗଡ଼ର ସାମୁଦ୍ରିକ ଜେଟିରେ ମାଛଧରା ବୋଟ୍ ଲାଗୁଛି। ଦିନ ବେଳା ଲୋକ ଚଳପ୍ରଚଳ ହେଉଥିବା ବେଳେ ରାତିରେ ଏହା ଜନଶୂନ୍ୟ ହୋଇପଡ଼ୁଛି। କୌଣସି ଅଘଟଣ ଘଟିଲେ ସୂଚନା ଦେବାକୁ ମଧ୍ୟ କେହି ନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ସାମୁଦ୍ରିକ ଥାନା ରହିଛି। ମାତ୍ର ପିଇବା ପାଣି ଓ ଆବଶ୍ୟକ ସୁବିଧା ନଥିବାରୁ କର୍ମଚାରୀମାନେ ଏଠାରେ ରହିବାକୁ ଇଛା ପ୍ରକାଶ କରୁନାହାନ୍ତି। ତଟରକ୍ଷୀ ବାହିନୀର ଏକ ଟିମ୍ ରହିଥିଲେ ବି ଭଲ ବୋଟ୍‌ ନଥିବାରୁ ଜଳପଥରେ ପାଟ୍ରୋଲିଂ କରାଯାଇପାରୁ ନାହିଁ। କେତେବେଳେ କେଉଁ ବୋଟ୍ ଜେଟିରେ ଲାଗୁଛି ତାର କୌଣସି ହିସାବ ନାହିଁ।

BCMTouring

କଇଁଛ ସୁରକ୍ଷା ଓ ମାଛଧରା କଟକଣା ସମୟରେ ଯେଉଁ କେତେ ଗୁଡ଼ିଏ ବୋଟ୍ ଜବତ ହେଉଛି ସେଥିରେ ଅଧିକାଂଶ ବାହର ରାଜ୍ୟର ବୋଟ୍ ହୋଇଥିବା ଜଣାପଡ଼ିଛି। ଫଳରେ ବେଳାଭୂମି ଅଞ୍ଚଳରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ବେଳାଭୁମି ନୁହେଁ, ସମୁଦ୍ରକୁ ସଂଯୋଗ କରୁଥିବା ଦେବୀ ନଦୀର ଚାରି ଫେରିଘାଟ ପ୍ରତି ମଧ୍ୟ କାହାର ନଜର ନାହିଁ। ଦେବୀନଦୀର ଫେରିଘାଟ ଖଣ୍ତାସାହିରୁ ତାଳଦା, ପଥରପକାରୁ ଭଣ୍ତିସାହି, କାଳିଆକଣରୁ ଗଣ୍ତକୂଳ, ନୂଆଗଡ଼ରୁ ଗଣ୍ତକୂଳକୁ ଜଳପଥରେ ଡଙ୍ଗା, ମଟର ଚାଳିତ ଡଙ୍ଗାରେ ଯାତାୟାତ କରିବା ଯେତିକି ସହଜ ସେତିକି ବିପଦ ମନେ ହେଉଛି। ଏଠାରେ ବିନା କଟକଣାରେ ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି। ଅପରାଧୀମାନେ ମଧ୍ୟ ଏହି ବାଟ ଦେଇ ସହଜରେ ଖସି ଯାଉଛନ୍ତି। ନିକଟରେ ଦେବୀନଦୀର ଖଣ୍ତାସାହି ଘାଟ ନିକଟରୁ ଭତ୍ତା ଟଙ୍କା ଲୁଟ୍ ଘଟଣା ଏହାର ସଦ୍ୟତମ ଉଦାହରଣ। ଅସ୍ତରଙ୍ଗ ଓ କାକଟପୁର ଥାନା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର