ଓଡ଼ଗାଁ ଏନ୍ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ସାମାନ୍ୟ ବର୍ଷାରେ ଡ୍ରେନ୍‌ର ମଇଳା ପାଣି ସାଙ୍ଗକୁ ବର୍ଷାପାଣି ଘରେ ପଶୁଛି, ଲୋକେ ହୀନସ୍ତା

ଓଡ଼ଗାଁ : ଓଡ଼ଗାଁ ଏନ୍ଏସି ମାନ୍ୟତା ପାଇବାର ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠି ପରିମଳ ବ୍ୟବସ୍ଥା ସୁଧୁରି ପାରିନାହିଁ। ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବା ସଂପର୍କରେ ବଡ଼ ବଡ଼ ଭାଷଣ ଦେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଖୋଦ୍‌ ବ୍ଲକ୍‌ ପଛପାର୍ଶ୍ବ ସାହିର ଅବସ୍ଥାକୁ ଦେଖିଲେ ଏ ଦିଗରେ ପ୍ରଶାସନ କେତେ ତତ୍ପର ତାହା ସ୍ପଷ୍ଟ ବାରିହେବ। ବ୍ଲକ ପଛ ପଟରୁ ଆଜି ଯାଏଁ ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ହୋଇନାହିଁ। ଗୟଳ ସିଂହ ପାହାଡ଼ ଓ ଖଜୁରିଆ ପଟୁ ଆସୁଥିବା ବର୍ଷାଜଳ ନିଷ୍କାସନ ପାଇଁ ୨୦୧୮ ମସିହାରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବିଜୟାମଣ୍ତପ ସାହିଠାରୁ ତହସିଲ କାର୍ଯ୍ୟାଳୟ ପଛପଟ ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆଗକୁ ବଢିନଥିଲା। ଫଳରେ ତହସିଲ କାର୍ଯ୍ୟାଳୟ ପଛ ଓ ପାନ୍ତ୍ରଶାଳା ନିକଟ ବୁଲାଣିଠାରୁ ବ୍ଲକ ପଛ ପଟ ସାହିକୁ ଡ୍ରେନ୍ ନିର୍ମାଣ କରାନଯିବାରୁ ନିର୍ମାଣ ହୋଇଥିବା ଡ୍ରେନ୍‌ର ଶେଷ ମୁଣ୍ତରେ ଅଳିଆ ଆବର୍ଜନା ଗଦା ହୋଇ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଅଳିଆ ଆବର୍ଜନା ସାଙ୍ଗକୁ ପାଣି ଜମିରହିବାରୁ ମଶାମାଛିଙ୍କ ବଂଶ ବୃଦ୍ଧି ଘଟୁଛି। ଫଳରେ ଡ୍ରେନ୍‌ର ମଇଳା ପାଣି ସାଙ୍ଗକୁ ବର୍ଷାପାଣି ପଛପଟ ସାହି ରାସ୍ତାରେ ଚାଲିବା ସହିତ ଲୋକଙ୍କ ଘରେ ପଶିଛି। ଏଠାରେ ବାସ କରୁଥିବା ଶତାଧିକ ପରିବାର ଏ ନେଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସଂପର୍କରେ ସେମାନେ ବାରମ୍ବାର ବ୍ଲକ୍‌ ପ୍ରଶାସନ ଓ ଲୋକ ପ୍ରତିନିଧିମାନଙ୍କ ନିକଟରେ ଅଭିଯୋଗ କରିବା ସହିତ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ଯାଏଁ ଡ୍ରେନ୍ ନିର୍ମାଣ ହୋଇପାରିନାହିଁ, ଯାହା ସେମାନଙ୍କୁ ବ୍ୟଥିତ କରିଛି। ସେହିପରି ସ୍ଥାନୀୟ ସିନେମା ହଲ୍‌ ଛକଠାରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସାମନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି। ୨୧ନଂ ରାଜ୍ୟ ରାଜପଥ ଓ ଓଡ଼ଗାଁଠାରୁ ବାହାଡାଝୋଲାକୁ ସଂଯୋଗ କରୁଥିବା ଏହି ମୁଖ୍ୟଛକ ରାସ୍ତାରେ ପାଣି ଜମି ରହୁଥିବା ସହିତ ପାର୍ଶ୍ବରେ ଥିବା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୃହରେ ମଇଳା ପାଣି ପଶୁଛି, ଯାହା ରାଜରାସ୍ତାରେ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ଏ ନେଇ ସ୍ଥାନୀୟ ବାସିନ୍ଦା ଏନ୍ଏସି କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ସଂପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ, ଘଟଣାସ୍ଥଳଟି ପୂର୍ତ ବିଭାଗ ରାସ୍ତା ହୋଇଥିବାରୁ ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ଏହାର ପ୍ରକ୍ରିୟା ଶେଷ ହେବା ପରେ ଡ୍ରେନ୍ ନିର୍ମାଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର