କରୋନା ସମୟରେ ରଥଯାତ୍ରା ହେଲେ ଲୋକଙ୍କ ମନୋବଳ ବୃଦ୍ଧି ହେବ: ବିରୋଧୀ

ଭୁବନେଶ୍ବର : ରଥଯାତ୍ରା ଯେତିକି ପାଖଉଛି ସରକାରଙ୍କ ନିଷ୍ପତ୍ତିକୁ ନେଇ ଚାହିଁବସିଛନ୍ତି କୋଟି କୋଟି ଭକ୍ତ। ଅଥଚ ସରକାର ନୀରବ। ଅନ୍ୟପଟେ ରାଜନୈତିକ ଦଳମାନେ ଶୀଘ୍ର ନିଷ୍ପତ୍ତି ନେବାକୁ ଚାପ ପକାଇ ଚାଲିଛନ୍ତି। ଆଜି ବିରୋଧୀ କହିଛନ୍ତି, କୋଭିଡ୍‌ ମହାମାରୀ ସମୟରେ ଲୋକମାନେ ଦୀର୍ଘ ଦିନ ହେଲାଣି ହତାଶାବୋଧର ଶିକାର ହାଇରହିଛନ୍ତି ଏଭିଳି ସ୍ଥିତିରେ ରଥଯାତ୍ରା କଲେ ଗୋଟିଏ ସକାରାତ୍ମକ ପରିବେଶ ସୃଷ୍ଟି ହେବ। ଯାହାକି ଲୋକଙ୍କ ମନୋବଳ ବୃଦ୍ଧି କରିବ। ବିଜେଡିର କହିବା କଥା, ତରବର ହୋଇ ସରକାର କୌଣସି ନିଷ୍ପତ୍ତି ନେବେ ନାହିଁ। ଏହି ପ୍ରସଙ୍ଗରେ ଲଗାତାର ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରୁଛନ୍ତି।

ରଥଯାତ୍ରା ନିଷ୍ପତ୍ତି ବିଳମ୍ବ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରି କହିଥିଲେ ଚଳିତବର୍ଷ ଘୋଷଯାତ୍ରା ନେଇ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ରଥ ପ୍ରସ୍ତୁତ, ସେବାୟତ ପ୍ରସ୍ତୁତ, ଶ୍ରୀମନ୍ଦିର ପ୍ରଶାସନ ବି ପ୍ରସ୍ତୁତ। ତେଣୁ ରଥଯାତ୍ରା କରିବାରେ କିଛି ବି ଅସୁବିଧା ନାହିଁ। ରଥଯାତ୍ରାକୁ ଆସିବା ପାଇଁ ଲୋକମାନଙ୍କୁ ଅନୁମତି ନ ଦେଇ ସୁରୁଖୁରୁରେ ମହାପ୍ରଭୁଙ୍କ ଯାତ୍ରା ସମ୍ପନ୍ନ କରାଯାଇପାରିବ। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ, ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ଗୋଟିଏ ମୋଡାଲିଟିଜ୍‌ ପ୍ରସ୍ତୁତ କରନ୍ତୁ। ସମଗ୍ର ବିଶ୍ବବାସୀଙ୍କର ଆସ୍ଥା ଦୃଷ୍ଟିରୁ ଶ୍ରୀଜିଉମାନଙ୍କ ଯାତ୍ରା ଅନୁଷ୍ଠିତ ହେବାରେ କିଛି ବି ଅସୁବିଧା ହେବନି।

ବିଜେଡି ବିଧାୟକ ତଥା ଦଳୀୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। କୋଭିଡ-୧୯ ପରିସ୍ଥିତିରେ ଯେଉଁ ସବୁ ନୀତି ନିୟମ ରହିଛି, ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଉଛି। ସବୁ କଥାକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯିବ। ବିରୋଧୀ ନଈ ନ ଦେଖୁଣୁ ନଙ୍ଗଳା ହେଉଛନ୍ତି। ସଂଯମତାର ସହ ଆମ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର