କର୍ଷ୍ଟେନଙ୍କ ଖୁଲାସା: ମାତ୍ର ୭ ମିନିଟ୍‌ରେ ପାଇଥିଲି ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ସଫଳତମ ପ୍ରଶିକ୍ଷକ ଭାବେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍‌ ଗ୍ୟାରି କର୍ଷ୍ଟେନଙ୍କ ନାମ ନିଶ୍ଚିତ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ୨୦୦୯ରେ ଭାରତକୁ ଆଇସିସି ଟେଷ୍ଟ୍ ମ୍ୟାନ୍ୟତାରେ ଶୀର୍ଷ ସ୍ଥାନକୁ ନେବା ଏବଂ ୨୦୧୧ ମସିହାରେ ଭାରତକୁ ଦୀର୍ଘ ୨୮ ବର୍ଷ ପରେ ଦିନିକିଆ ବିଶ୍ବକପ୍ ବିଜେତା କରାଇବାର ଶ୍ରେୟ ତାଙ୍କ ନିକଟକୁ ଯାଏ। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହିତ କ‌ର୍ଷ୍ଟେନଙ୍କ ଉତ୍ତମ ସମନ୍ବୟ ଭାରତୀୟ କ୍ରିକେଟ୍‌କୁ ନୂଆ ଶିଖରରେ ପହଞ୍ଚାଇଥିଲା। ପୂର୍ବରୁ କୌଣସି ପ୍ରଶିକ୍ଷଣ ଅଭିଜ୍ଞତା ରଖି ନ ଥିବା ଗ୍ୟାରି କର୍ଷ୍ଟେନ୍ କିଭଳି ମାତ୍ର ୭ ମିନିଟ୍ ଭିତରେ ଭାରତୀୟ ଦଳର ହାଇ ପ୍ରୋଫାଇଲ୍‌ ପ୍ରଶିକ୍ଷକ ପଦରେ ନିଯୁକ୍ତ ହୋଇଥିଲେ ସୋମବାର ତା’ ଉପରୁ ପରଦା ହଟାଇଛନ୍ତି।

ଘଟଣା ଥିଲା ୨୦୦୭ ମସିହାର। ଗ୍ରେଗ୍ ଚାପେଲଙ୍କ ପରବର୍ତୀ ପ୍ରଶିକ୍ଷକ କିଏ ‌ରହିବେ ସେଥି ପାଇଁ ଆହ୍ବାନ ଦିଆଯାଇଥିଲେ ମଧ୍ୟ କର୍ଷ୍ଟେନ୍ ଆବେଦନ କରିନଥିଲେ। କେବଳ ସୁନିଲ ଗାଭାସ୍କରଙ୍କଠାରୁ ଏକ ମେଲ୍ ପାଇଥିଲେ। ପ୍ରଥମ ମେଲ୍‌ରେ ସେ ବିଶ୍ବାସ କରିପାରିନଥିଲେ। ଏହ‌ା ଏକ ଛଳନା ଭାବି ଏଡ଼ାଇଯାଇଥିଲେ, କୌଣସି ଉତ୍ତର ଦେଇନଥିଲେ। ଗାଭାସ୍କର କିନ୍ତୁ ଦ୍ବିତୀୟ ଥର ମେଲ୍ କରି ‘ଆପଣ ସାକ୍ଷାତକାର ପାଇଁ ଆସିପାରିବେ କି?’‌ ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ଗ୍ୟାରି ଏହାକୁ ନିଜ ପତ୍ନୀଙ୍କୁ ଦେଖାଇବାରୁ ସେ କହିଥିଲେ ‘ସେମାନଙ୍କ ପାଖରେ ଭୁଲ୍‌ ଲୋକଟି ଥିବେ’। ‘‘ତେଣୁ ଭାରତୀୟ ଦଳ ପ୍ରଶିକ୍ଷକ ପଦ ପାଇଁ ମୋର ଏକ ବିଚିତ୍ର ପ୍ରବେଶ ଥିଲା। ମୋ ନିକଟରେ ପ୍ରଶିକ୍ଷଣର କୌଣସି ଅଭିଜ୍ଞତା ବି ନ ଥିଲା’ ବୋଲି କର୍ଷ୍ଟେନ୍ ପ୍ରକାଶ କରିଛନ୍ତି। ଗାଭାସ୍କରଙ୍କ ଅନୁରୋଧ ରଖି ମୁଁ ଭାରତ ପଦାର୍ପଣ କରିଥିଲି। ମୋ ସମ୍ଭାବନା ବିଷୟରେ ବି ତତ୍‌କାଳୀନ ଅଧିନାୟକ ଅନିଲ କୁମ୍ବଲେ ହସିଥିଲେ। ଏପରିକି ପ୍ରଥମେ କହିଥିଲେ ‘ଆପଣ ଏଠି କ’ଣ କରୁଛନ୍ତି’। ମୁଁ କହିଥିଲି ‘ତୁମକୁ ପ୍ରଶିକ୍ଷଣ ଦେବାକୁ ଆସିଛି, ସେ ହସିଥିଲେ’। ବାସ୍ତବରେ ଏହା ହସିବା ଭଳି କଥା ଥିଲା। ଏହା ପରେ ମୁଁ ବିସିସିଆଇ କାର୍ଯ୍ୟାଳୟରେ ସାକ୍ଷାତକାରର ସମ୍ମୁଖୀନ ହୋଇଥିଲି। ବିସିସିଆଇ ସମ୍ପାଦକ ମୋତେ ଭାରତୀୟ କ୍ରିକେଟ୍‌ ଦଳର ଭବିଷ୍ୟତ ସମ୍ପର୍କରେ କିଛି କହିବାକୁ ପ୍ରସ୍ତାବ ଦେଇଥି‌ଲେ। ମୁଁ ବିନା ପ୍ରସ୍ତୁତିରେ ଏବେ ଏବେ ଭାରତ ପହଞ୍ଚିଛି ବୋଲି କହିଥିଲି। ବର୍ତମାନର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବି ଚୟନ ପ୍ରକ୍ରିୟାରେ ଥିଲେ, ମୋତେ କହିଥିଲେ କିଭଳି ଭାରତୀୟ ଦଳକୁ ହରାନ୍ତି କୁହନ୍ତୁ। ମୁଁ କୌଣସି କୌଶଳ କଥା ନ କହି ୩ ମିନିଟ୍‌ର ଭାଷଣ ଦେଇଥିଲି। ସମସ୍ତେ ପ୍ରଭାବିତ ହୋଇଯାଇଥିଲେ, ମାତ୍ର ୭ ମିନିଟ୍ ଭିତରେ ମୋତେ ଚୁକ୍ତିପତ୍ର ଧରାଇ ଦିଆଯାଇଥିଲା। ପ୍ରଥମେ ମୁଁ ଏହି ଚୁକ୍ତିପତ୍ର ଦେଖିଲା‌ ବେଳକୁ ଗ୍ରେଗ୍ ଚାପେଲଙ୍କ ନାମ ଲେଖାଯାଇଛି। ନଜରକୁ ଆଣିବା ପରେ ସମ୍ପାଦକ ଏହାକୁ କଲମରେ କାଟି ମୋ ନାମ ଲେଖି ଦେଇଥିଲେ। ଏହା ହିଁ ଥିଲା ଏକ ଲମ୍ବା ଯାତ୍ରାର ଶୁଭାରମ୍ଭ। ସୂଚନାଯୋଗ୍ୟ, ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟ ସହିତ କର୍ଷ୍ଟେନ୍ ବ୍ୟକ୍ତିଗତ କାରଣରୁ ଭାରତୀୟ ଦଳ ପ୍ରଶିକ୍ଷକ ପଦ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର