ମାଲକାନଗିରିରେ ‘ପୁଷ୍ପା’ ଟିମ୍‌ : ସୁଟିଂ ସ୍ଥାନ ବୁଲି ଦେଖିଲେ ନି‌‌ର୍ଦ୍ଦେଶକ ସୁକୁମାର

୧୦ ଦିନ ଧରି ସୁଟିଂ ଚାଲିବ, ସାମିଲ୍ ହେବେ ୨୦୦ରୁ ଊର୍ଦ୍ଧ୍ବ ସଦସ୍ୟ

ମାଲକାନଗିରି/କାଲିମେଳା : ବକ୍ସ ଅଫିସ୍‌ରେ ବେଶ୍ ଲୋକପ୍ରିୟ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ‘ପୁଷ୍ପା- ଦ ରାଇଜ୍‌’ର ଦ୍ବିତୀୟ ଭାଗ ‘ପୁଷ୍ପା ଦ ରୁଲ୍’ ମାଲକାନଗିରି ଜିଲ୍ଲାରେ ସୁଟିଂ ହେବାକୁ ଯାଉଛି। ଚଳଚ୍ଚିତ୍ରର ପ୍ରଥମ ଭାଗ ଭାଗ ଜଙ୍ଗଲ, ନଦୀ ଓ ପାହାଡ଼ିଆ ଅଞ୍ଚଳରେ ସୁଟିଂ କରିବାକୁ ପ୍ରଯୋଜନା ଟିମ୍‌ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଜି ପୁଷ୍ପା ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାର ଏବଂ ପ୍ରଯୋଜନା ଟିମ୍ ମାଲାକନଗିରି ଜିଲ୍ଲାର ପୋଲୁରୁସ୍ଥିତ ସିଲେରୁ ନଈକୂଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି।

ସୂଚନା ଅନୁଯାୟୀ, ପୁଷ୍ପା ଚଳଚ୍ଚିତ୍ର ପ୍ରଥମ ଭାଗର କିଛି ଦୃଶ୍ୟ ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସୁଟିଂ ହୋଇଥିଲା। ଲାଲ ଚନ୍ଦନ କାଠ ଚୋରା ଚାଲାଣ ଉପରେ ଅଧାରିତ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗକୁ ମଧ୍ୟ ଅଧିକ ରୋମାଞ୍ଚକର କରିବା ପାଇଁ ପୁଣି ଜଙ୍ଗଲ, ନଦୀ, ପାହାଡ଼ରେ ସୁଟିଂ କରିବା ଉଦ୍ଦେଶ୍ୟରେ ପୁଷ୍ପା ଚଳଚ୍ଚିତ୍ରର ପ୍ରଯୋଜନା ଟିମ୍ ଏବେ ମାଲକାନଗିରିରେ ପହଞ୍ଚିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାର, ଡାଇରେକ୍ଟର ଅଫ୍ ଫଟୋଗ୍ରାଫି ମିରେସେଲୋ କୁବା ବ୍ରୋଜେକ୍ (ପୋଲାଣ୍ଡ), ମେତ୍ରୀ ମୁଭି ମେକର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚେରୀ, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଆସୋସିଏଟ୍ ଡାଇରେକ୍ଟର ଏମ୍. ପ୍ରସାଦ, ଫାଇଟ୍ ମାଷ୍ଟର ଡ୍ରାଗନ୍ ପ୍ରକାଶ, ସଙ୍ଗୀତ ନିର୍ଦ୍ଦେଶକ ଦେବ ଶ୍ରୀ ପ୍ରସାଦ, ଅଭିନେତା ଆଲୁ ଅର୍ଜୁନଙ୍କ ମ୍ୟାନେଜର ରାଜଶେଖରଙ୍କ ସମେତ ୨୫ ଜଣିଆ ଟିମ୍‌ କାଲିମେଳା ବ୍ଲକ୍‌ର ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ତଥା ଓଡ଼ିଶାର ପୋଲୁରୁ ଅଞ୍ଚଳକୁ ଆସିଛନ୍ତି।

ସୂଚନା ଅନୁସାରେ, ଏହି ଟିମ୍‌ ଆଜି ସକାଳ ୯ଟାରେ ଆ‌ନ୍ଧ୍ର ପୋଲୁରୁରୁ ଡଙ୍ଗା ସାହାଯ୍ୟରେ ସିଲେରୁ ନଦୀ ପାର୍‌ ହୋଇ ଓଡ଼ିଶା ପୋଲୁରୁକୁ ଆସିଥିଲେ। ଓଡ଼ିଶା ପୋଲୁରୁ ଅଞ୍ଚଳର କିଛି ଗ୍ରାମବାସୀଙ୍କୁ ସାଥୀରେ ନେଇ ଏହି ଟିମ୍ ନିକଟରେ ଥିବା ଜଙ୍ଗଲ ଓ ପାହାଡ଼ ବୁଲି ‌ଦେଖିବା ସହ ନଦୀକୂଳରେ ପ୍ରାୟ ଦୁଇ କି‌ଲୋମିଟର ଚାଲି ଚାଲି ସୁଟିଂ ପାଇଁ ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ମୋବାଇଲ ଓ ଡ୍ରୋନ୍‌ ଭିଡିଓଗ୍ରାଫି ମଧ୍ୟ କରିଥିଲେ। ପାଣି ଭିତରେ ସୁଟିଂ କିଭଳି କରାଯିବ, ରକ୍ତ ଚନ୍ଦନ କାଠ ଚାଲାଣର ଦୃଶ୍ୟ ଓ ଜଙ୍ଗଲରେ କିଭଳି ଦୃଶ୍ୟ ରହିବ, ସେନେଇ ଗ୍ରାମବାସୀଙ୍କ ସହାୟତାରେ ସୁଟିଂର ଅଭ୍ୟାସ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର