ହିନସ୍ତା କରୁଛନ୍ତି ମହାପ୍ରଭୁଙ୍କୁ : ଠାକୁରଙ୍କ ପାଇଜାମାକୁ ନେଇ ବିବାଦ, ବେଶ ଛାଡ଼ି ଉଠିଗଲେ ସେବକ, ରତ୍ନ ସିଂହାସନରେ ସେବାୟତ ମୁହାଁମୁହିଁ

ପୁରୀ : ଯେତେ ଯାହା ହେଲେ ବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ନିର୍ଯାତନା କମୁନାହିଁ। ଆଜି ଶ୍ରୀମନ୍ଦିରରେ ପୁଣି ଥରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ପାଇଜାମାକୁ ନେଇ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦୁଇ ସେବାୟତ ମୁହାଁମୁହିଁ ହୋଇଛନ୍ତି। ସ୍ଥାନ, କାଳ, ପାତ୍ର ଭୁଲିଯାଇ ଏମିତି ଆଚରଣ ପ୍ରଦର୍ଶନ କରିଥିଲେ ଯେ ଉପସ୍ଥିତ ଥିବା ଶହ ଶହ ଶ୍ରଦ୍ଧାଳୁ ହତବାକ୍ େହାଇଯାଇଥିଲେ। ପରିଣାମ ହେଲା, ମେକାପ ‌ସେବକଙ୍କ ଅଶ୍ରାବ୍ୟ ଭାଷାରେ ଗାଳିକୁ ବିରୋଧ କରି ସେବକମାନେ ମଙ୍ଗଳ ଆଳତି ମଇଲମ ବେଶ ନକରି ଓହ୍ଲାଇ ଆସିଥିଲେ। ସିଂହାରୀମାନେ ଗାରଦରେ ଅଭିଯୋଗ କରିବା ପରେ କମାଣ୍ଡର ମାମଲାର ଆପୋସ ସମାଧାନ କରିଥିଲେ। ହେଲେ ଏଥି ପାଇଁ ଠାକୁରଙ୍କ ନୀତି ୩୦ ମିନିଟ୍‌ ବିଳମ୍ବ ହୋଇଥିଲା।

ଗତ ସପ୍ତାହରେ ଶ୍ରୀମନ୍ଦିରରେ ଶୃଙ୍ଖଳା ନେଇ ଖୋଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ବୈଠକ କରିଥିଲେ। ପ୍ରତି ତିନି ମାସରେ ସମନ୍ବୟ ବୈଠକ ନେଇ ଆେଲାଚନା ହୋଇଥିଲା। ଶନିବାର ଆମିକସ କ୍ୟୁରି ରୋକ୍ଠାଠୋକ ଜଣାଇଥିଲେ ଯେ ଆଚରଣରେ ପରିବର୍ତନ ନ ହେଲେ ଉତ୍ତରାଧିକାରୀ ସତ୍ତ୍ବ ପ୍ରତି ବିପଦ ରହିଛି। ହେଲେ ଏହାର ସାମାନ୍ୟତମ ପ୍ରଭାବ ଯେମିତି ସେବକମାନଙ୍କ ଉପରେ ପଡିନାହିଁ, ଏକଥା ଆଜିର ଘଟଣା ସୂଚାଇ ଦେଇଛି ବୋଲି ଶ୍ରୀଜଗନ୍ନାଥ ପ୍ରେମୀ ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଜି ମଙ୍ଗଳ ଆଳତି ପରେ ଠାକୁରଙ୍କର ମଇଲମ ହୋଇଥିଲା। ଏହା ପରେ ବେଶ ହେବାର ବିଧି ରହିଛି। ତଦନୁଯାୟୀ ସିଂହାରୀମାନେ ରତ୍ନ ସିଂହାସନର ତିନିବାଡ଼ରେ ବେଶ କରିବାକୁ ଉପସ୍ଥିତ ଥିଲେ। ପରମ୍ପରା ଅନୁଯାୟୀ ମେକାପ ସେବକ ଆଣି ବେଶ ସାମଗ୍ରୀ ଯୋଗାଇବା କଥା। ସକାଳ ପ୍ରାୟ ୬ଟା୧୦ରୁ ୬ଟା ୨୫ ମଧ୍ୟରେ ମେକାପ ସେବକ ନାଲି ପାଇଜାମା ଆଣି ସିଂହାରୀଙ୍କୁ ଦେଇଥିଲେ। ଆଜି ସୋମବାର ଠାକୁର ନାଲି ପାଇଜାମା ପିନ୍ଧନ୍ତି ନାହିଁ। ଏହାକୁ କାହିଁକି ଆଣିଲ ବୋଲି ସିଂହାରୀମାନେ ପଚାରିବାରୁ ମେକାପ ସେବକ ଜଣକ ପାଟିତୁଣ୍ଡ କରିଥିଲେ। ଏଥିରେ ସିଂହାରୀମାନେ ପ୍ରତିବାଦ କରିବାରୁ ସଂପୃକ୍ତ ମେକାପ ସେବକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ସେବକ ଗୋଷ୍ଠୀ ସିଂହାସନ ଉପରେ ମୁହାଁମୁହିଁ ହୋଇଥିଲେ। ବେଶ ଅଟକି ଯାଇଥିଲା।

ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ସିଂହାରୀ ସେବକମାନେ ବେଶ ଛାଡ଼ି ଗାରଦରେ ଅଭିଯୋଗ କରିବାକୁ ଆସିଥିଲେ। ଗାରଦରେ ଏ ନେଇ ଅଭିଯୋଗ କରିବା ପରେ ସମ୍ପୃକ୍ତ ମେକାପଙ୍କ କକା ଆସି ତାର ମୁଣ୍ଡ ଠିକ୍‌ ନଥିବା ଦର୍ଶାଇଥିଲେ। ମୁଣ୍ଡ ଠିକ ନଥିବା ବ୍ୟକ୍ତିଙ୍କୁ ସେବା କରିବାକୁ କାହିଁକି ଛାଡ଼ୁଛ ବୋଲି ସିଂହାରୀମାନେ ଯୁକ୍ତି ଦର୍ଶାଇଥିଲେ। ଏହାକୁ ନେଇ ଗାରଦରେ ପାଟିତୁଣ୍ଡ ହୋଇଥିଲା। ଶେଷରେ କମାଣ୍ଡରଙ୍କ ହସ୍ତକ୍ଷେପ ପରେ ବିବାଦ ତୁଟିଥିଲା। ପ୍ରାୟ ୩୦ ମିନିଟ୍‌ ପରେ ଠାକୁରଙ୍କ ବେଶ ହୋଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ସେହି ମେକାପ ସେବକ ଜଣକ ମନ୍ଦିର ଭିତରେ ଜଣକୁ ପିଟିଥିଲେ। ମୁଣ୍ଡ ଠିକ୍‌ ନଥିବା ଦର୍ଶାଇ ମାମଲାକୁ ଚାପି ଦିଆଯାଇଥିଲା। ବାରମ୍ବାର ଏଭଳି ଘଟଣା ଘଟାଉଥିବା ସେବକଙ୍କୁ କାହିଁକି ପ୍ରଶାସନ ସେବାରୁ ବାରଣ କରୁନାହିଁ ବୋଲି ଭକ୍ତ ଓ‌ ସେବକ ମହଲରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର