ରାଜ୍ୟ ସରକାରଙ୍କ ନୂଆ ଲକ୍‌ଡାଉନ ନିୟମାବଳୀକୁ ହାଇକୋର୍ଟରେ ଚାଲେଞ୍ଜ : ନିଷ୍ପତ୍ତି ପରିବର୍ତ୍ତନ ହେଉ; ସରକାର ତଥ୍ୟ ରଖନ୍ତୁ

କଟକ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୦, ଜୁନ୍ ୧ରେ ଜାରି କରିଥିବା ନୂଆ ନିୟମାବଳୀକୁ ଚାଲେଞ୍ଜ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ସ୍ଥିତି ଚିନ୍ତାଜନକ ଅବସ୍ଥାରେ ରହିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ମେ ୩୧ରେ ଶେଷ ହୋଇଥିଲା। କେନ୍ଦ୍ର ସରକାର ପରିବର୍ତ୍ତିତ କଟକଣାରେ ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ପୁଣି ଅନଲକ୍-୧ ଘୋଷଣା କରିଥିଲେ। କିନ୍ତୁ ଏହି ଅବଧି ସମୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ କ୍ଷେତ୍ରରେ ବନ୍ଦ ଥିବା ତାଲା ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ସପିଂ ମଲ୍, ହୋଟେଲ, ରେଷ୍ଟୁରାଣ୍ଟ ଓ ଧର୍ମାନୁଷ୍ଠାନ ଜୁନ୍ ୮ ପରେ ଖୋଲିବା ପ୍ରସଂଗରେ କେନ୍ଦ୍ର ସରକାରଙ୍କ ସାନି ନିୟମାବଳୀରେ ଉଲ୍ଲେଖ କରାଯାଇଥିଲା। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ରହିବ ବୋଲି କେନ୍ଦ୍ର ସରକାର ମେ ୩୦ରେ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଜୁନ୍ ୧ରେ ରାଜ୍ୟ ସରକାର ନୂଆ ନିୟମାବଳୀ ଜାରି କରି ଜୁନ୍ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ ସଂକ୍ରାନ୍ତରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ନିୟମାବଳୀରେ ସଂଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ ବୋଲି ସ୍ପଷ୍ଟ କରାଯାଇଥିଲା। ଏଥିସହିତ ୧୧ଟି ଜିଲ୍ଲାରେ ସପ୍ତାହର ପ୍ରତି ଶନିବାର ଓ ରବିବାର ସଂପୂର୍ଣ୍ଣ ଭାବେ ସଟ୍‌ଡାଉନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ନିୟମ ବଳବତ୍ତର ରହିବ ବୋଲି ସରକାର ସ୍ପଷ୍ଟ କରିଥିଲେ। କେନ୍ଦ୍ର ସରକାରଙ୍କ ନିୟମାବଳୀ ଉଲ୍ଲଂଘନ କରି ରାଜ୍ୟ ସରକାର ଏପରି ନିୟମାବଳୀ ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର