ସରକାରଙ୍କ ସଫଳତାର ତଥ୍ୟଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ବ ଦେଉଛି କେନ୍ଦ୍ର

ବାଲେଶ୍ୱର : କରୋନା ମୁକାବିଲାରେ ଓଡ଼ିଶାକୁ କେନ୍ଦ୍ର ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏଥିସହିତ, ଗ୍ରାମୀଣ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ବାଲେଶ୍ବର ଜିଲ୍ଲା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ମାଛଚାଷ ପାଇଁ ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ୧୭୮ଟି ଟ୍ରେନ୍ ଜରିଆରେ ୩ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରିବାକୁ ସହାୟତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହ ପିଏମ୍‌ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୪ କୋଟି ହିତାଧିକାରୀଙ୍କୁ ମାସିକ ୫କିଲୋ ହିସାବରେ ୩ମାସ ପାଇଁ ଆଗୁଆ ଚାଉଳ ପ୍ରଦାନ କ୍ଷେତ୍ରରେ କେନ୍ଦ୍ରସରକାର ୧୪୬୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଓଡ଼ିଶାର ୯୩ ଲକ୍ଷ ପରିବାରକୁ ମାସିକ ୧କିଲୋ ଡାଲି ହିସାବରେ ୩ମାସ ପାଇଁ ଦିଆଯାଇଛି। ଏ ବାବଦରେ ୨୭୯ କୋଟି ଟଙ୍କା ଖର୍ଚ କରିଛନ୍ତି। ୧୪ଲକ୍ଷ ୬୬ହଜାର ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୧ହଜାର ଟଙ୍କା କରି ମୋଟ ୧୪୬.୭କୋଟି ଟଙ୍କା, ୫.୨୫ଲକ୍ଷ ବିଧବା ଲୋକଙ୍କ ପାଇଁ ୧ହଜାର ଟଙ୍କା ହିସାବରେ ୫୨କୋଟି, ୮.୭୬୧ ଦିବ୍ୟାଙ୍ଗଙ୍କ ପାଇଁ ୧ହଜାର ଟଙ୍କା ହିସାବରେ ୮.୭କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ପିଏମ୍‌ କିଷାନ ଯୋଜନାରେ ଓଡ଼ିଶାର ୩୬.୨୮ଲକ୍ଷ କୃଷକଙ୍କ ଖାତାକୁ ଏହି ଲକଡାଉନ ସମୟରେ ୨ହଜାର ଟଙ୍କା ଲେଖାଏଁ ଆସିଛି। ଏଥିପାଇଁ ୭୨୫ କୋଟି ଖର୍ଚ୍ଚ କରିଛନ୍ତି କେନ୍ଦ୍ର ସରକାର। ଜନଧନ ଯୋଜନାରେ ୧୫ଶହ ଟଙ୍କା ହିସାବରେ ମୋଟ ୫୯୩କୋଟି ଟଙ୍କା ୩୯.୫୧ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ଓଡ଼ିଶାରେ ୨୮ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ହିସାବରେ ମୋଟ ୪୧୮କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୪୭.୪୭ଲକ୍ଷ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଇଥିବାବେଳେ ଏଥିପାଇଁ ମୋଟ ୧୧୦୩ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟରେ କୋଭିଡ୍‌ ହସପିଟାଲ ଖୋଲିବା ପାଇଁ କେନ୍ଦ୍ରର ହାତ ରହିଛି। କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ ସଂସ୍ଥା ନାଲକୋ, ଏମ୍‌ସିଏଲ, ଏନଟିପିସିର ଟ୍ରଷ୍ଟ ପକ୍ଷରୁ ଅର୍ଥ ପ୍ରଦାନ କରାଯାଇଛି।

ଏହି ଅବସରରେ ଗ୍ରାମୀଣ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ବାଲେଶ୍ବର ଜିଲ୍ଲା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଖୁବ୍‌ଶୀଘ୍ର ମାଛ ଚାଷ ପାଇଁ ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଦୀର୍ଘ ୨ ମାସ ପରେ ଦିଲ୍ଲୀରୁ ବାଲେଶ୍ବର ଫେରିବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀଙ୍କ ସହ ବଡ଼ସାହି ବିଧାୟକ ସନାତନ ବିଜୁଳି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସୋର ବିଧାୟକ ପ୍ରାର୍ଥୀ ଆଶିଷ ମଲ୍ଲିକ, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର