ଗୋଠ-ଚିନ୍ତନ
କେନ୍ଦ୍ର ସରକାର ଚୀନା କରୋନା ବିପର୍ଯ୍ୟୟର ମୁକାବିଲା ପାଇଁ ତାଙ୍କର ‘ଷ୍ଟିମ୍ୟୁଲସ୍ ପ୍ୟାକେଜ୍’ ପ୍ରସ୍ତୁତ କଲାବେଳେ ଆନ୍ତର୍ଜାତିକ ରେଟିଙ୍ଗ୍ ଏଜେନ୍ସିମାନଙ୍କର ସମ୍ଭାବ୍ୟ ପ୍ରତିକ୍ରିୟାକୁ ଡରି ଭାରତୀୟ ଅର୍ଥନୀତିର ଚାହିଦା ପାର୍ଶ୍ବରେ ଅାଦୌ ପାଦ ପକାଇ ନଥିଲେ, ଅର୍ଥାତ୍ ରାଜକୋଷରେ ହାତ ମାରି ନଥିଲେ କହିଲେ ଚଳେ। ଏହା ସତ୍ତ୍ବେ ସୋମବାର ଦିନ ଅନ୍ୟତମ ଆନ୍ତର୍ଜାତିକ ରେଟିଙ୍ଗ୍ ଏଜେନ୍ସି ‘ମୁଡିଜ୍’ ଭାରତର ମାନ୍ୟତା (ସୋଭରେନ୍ ରେଟିଙ୍ଗ୍)କୁ ଗୋଟିଏ ପାହାଚ ଖସାଇ ସର୍ବନିମ୍ନ ନିବେଶ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି, ଯାହା ଆଉ ଗୋଟିଏ ପାହାଚ ଖସିଲେ ‘ଜଙ୍କ୍’ ବା ଅଳିଆ ଶ୍ରେଣୀରେ ପ୍ରବେଶ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
ସେଇ ସୋମବାର ଦିନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମିଟିଙ୍ଗ୍ରେ ‘ପିଏମ୍ ସ୍ବନିଧି’ ସ୍କିମ୍ ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ହୋଇଛି, ଯାହା ରାସ୍ତାକଡ଼ ବିକ୍ରେତା ବା ‘ଷ୍ଟ୍ରିଟ୍ ଭେଣ୍ତର୍’ମାନଙ୍କୁ ସୁବିଧାରେ ଋଣ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ। କହିବା ବାହୁଲ୍ୟ, ଏହା ମଧୢ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ ମାଧୢମରେ ଯୋଗାଣ ପାର୍ଶ୍ବର ଶକ୍ତି ବୃଦ୍ଧି ପାଇଁ ନିଆଯାଇଥିବା ଆଉ ଏକ ପଦକ୍ଷେପ। ଏହାର ଅର୍ଥ ସରକାର ଏ ପର୍ଯ୍ୟନ୍ତ ସତ୍ୟର ସାମନା କରିବାକୁ ପ୍ରସ୍ତୁତ ନୁହଁନ୍ତି।
ସତ୍ୟ ହେଲା, ଅର୍ଥନୀତିର ଅଭିବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି ଏବ˚ ଏହା ଋଣାତ୍ମକ ହୋଇ ଜିଡିପିରେ ସ˚କୋଚନ ଘଟିବାର ସମ୍ଭାବନା ଆସନ୍ନ। ସତ୍ୟ ହେଲା, ସରକାର ସାହସର ସହିତ ଏହା ଘଟିବାକୁ ନଦେବା ପାଇଁ ହାତ ଖୋଲା ଖର୍ଚ୍ଚ କରି ଦେଶରେ ସାମଗ୍ରିକ ଚାହିଦାରେ ଏକ ଜୁଆର ସୃଷ୍ଟି କରିବା ଦରକାର। ପୃଥିବୀର ଅଧିକା˚ଶ ଗୁରୁତ୍ବପୂର୍ଣ୍ଣ ଦେଶ ବର୍ତ୍ତମାନ ଏହି ନୀତି ଅବଲମ୍ବନ କରିବା ଦେଖାଯାଉଛି। ସରକାର ଏଥିପାଇଁ ନିଜର ଋଣପତ୍ର ବଦଳରେ କେନ୍ଦ୍ରୀୟ ବ୍ୟାଙ୍କ୍ରୁ ନୂତନ ଅର୍ଥ ଆଣି (‘ଡେଟ୍ ମନିଟାଇଜେସନ୍’) ବିଭିନ୍ନ ପ୍ରକଳ୍ପରେ ନିବେଶ ଏବ˚ ନାଗରିକମାନଙ୍କୁ ବିଭିନ୍ନ ପ୍ରକାର ଆୟ-ସହାୟତା ମୂଳକ ନଗଦ ହସ୍ତାନ୍ତର ମାଧୢମରେ ବଜାରରେ ସାମଗ୍ରିକ ଚାହିଦା ସ୍ତରରେ ଏକ ବିଶେଷ ବୃଦ୍ଧି ଘଟାଇ ପାରିବେ।
ବଜାରରେ ଚାହିଦା ଥିଲେ ଉତ୍ପାଦନକାରୀମାନେ ଉତ୍ପାଦନରେ ପୁଞ୍ଜିନିବେଶ କରିବା ପାଇଁ ଭୟ କରିବେ ନାହିଁ। ନଚେତ୍ ଯୋଗାଣ ପାର୍ଶ୍ବରେ ଯେତେ ଋଣ ଉପଲବ୍ଧ କରାଇଲେ ଏବ˚ ରିଜର୍ଭ ବ୍ୟାଙ୍କ୍ ମାଧୢମରେ ସୁଧ ହାରରେ ଯେତେ ହ୍ରାସ ଘଟାଇଲେ ମଧୢ ଛୋଟ ବଡ଼ ଉଦ୍ୟୋଗମାନେ ଋଣଗ୍ରସ୍ତ ହୋଇ ନିବେଶ କରିବାକୁ ଆଗେଇ ଆସିବେ ନାହିଁ। ଯେମିତି କୁହାଯାଇଥାଏ, ଘୋଡ଼ାକୁ ଟାଣି ଟାଣି ପାଣି ପାଖକୁ ଭିଡ଼ି ନିଆଯାଇ ପାରେ, କିନ୍ତୁ ତା’ର ଯଦି ଶୋଷ ନଥାଏ, ତାକୁ ପାଣି ପିଇବାକୁ ବାଧୢ କରାଯାଇ ପାରିବ ନାହିଁ। ବଜାରରେ ଚାହିଦା ନଥିଲେ ଉଦ୍ୟୋଗମାନଙ୍କର ନିବେଶ ନିମିତ୍ତ ଶୋଷ ଆସିବ କୁଆଡ଼ୁ?
ଏ ସବୁ ଦେଖି ଯାହା ଆଶ୍ଚର୍ଯ୍ୟ ଲାଗୁଛି, ତାହା ହେଲା ସରକାର ନିଜର ନୀତିରେ ପରିବର୍ତ୍ତନ ଘଟାଉ ନାହାନ୍ତି କାହିଁକି? ସରକାରଙ୍କର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ରୂପରେଖ କ’ଣ, ତାହା କେବଳ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସଠିକ୍ ରୂପେ ଜଣା। ବାହାରେ ଥିବା ଲୋକମାନେ ଏ ସମ୍ପର୍କରେ କେବଳ ଅନୁମାନ କରିପାରିବେ ଯାହା। ବୋଧହୁଏ ସର୍ବୋଚ୍ଚ ସ୍ତରରେ ଏକ ବିଶେଷଜ୍ଞ ଉପଦେଷ୍ଟା ଗୋଷ୍ଠୀ ବା ଟିମ୍ ଅର୍ଥମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆବଶ୍ୟକ ଆଲୋଚନା ପରେ ନୀତିଗତ ନିଷ୍ପତ୍ତିର ରୂପରେଖ ନିର୍ଣ୍ଣୟ କରୁଛି। ଏଭଳି ପ୍ରକ୍ରିୟାର ଏକ ସମ୍ଭାବ୍ୟ ଅନ୍ତର୍ନିହିତ ଦୁର୍ବଳତା ପ୍ରତି ଆଚରଣକୈନ୍ଦ୍ରିକ ଅର୍ଥନୀତିଜ୍ଞ ତଥା ମନସ୍ତତ୍ତ୍ବବିତ୍ମାନେ ବେଳେ ବେଳେ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଏ ଦୁର୍ବଳତାର ନାମକରଣ କରାଯାଇଛି- ‘ଗ୍ରୁପ୍ ଥିଙ୍କ୍’ ବା ‘ଗୋଠ ଚିନ୍ତନ’। ଏହା ଅନୁସାରେ ଗୋଠ ବା ଟିମ୍ର ସଦସ୍ୟମାନେ ପରସ୍ପର ମଧୢରେ ସ˚ହତି ରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥାନ୍ତି; ତେଣୁ ସେମାନେ ସମସ୍ୟାର ସମାଧାନ ପାଇଁ ସର୍ବୋତ୍ତମ ସମ୍ଭବ ନିଷ୍ପତ୍ତି ନେବା ପରିବର୍ତ୍ତେ, ସହମତି ହାସଲକୁ ପ୍ରାଥମିକତା ପ୍ରଦାନ କରିଥାନ୍ତି। ବେଳେ ବେଳେ ଟିମ୍ର ସଦସ୍ୟମାନେ ନେତାଙ୍କୁ ଖୁସି କରିବା ପାଇଁ ତାଙ୍କ ମତ ସହିତ ମେଳ ଖାଉଥିବା ଭଳି ମତ ପ୍ରକାଶ କରିଥାନ୍ତି।
ଏଭଳି ‘ଗ୍ରୁପ୍ ଥିଙ୍କ୍’ ଜନିତ ଦୁର୍ବଳତା କବଳରୁ ଶେଷ ନିଷ୍ପତ୍ତିକୁ ସୁରକ୍ଷିତ କରିବାର ଏକ ଫଳପ୍ରଦ ଉପାୟ ମଧୢ ଆବିଷ୍କୃତ ହୋଇଛି। ଏ କୌଶଳର ନାମ ହେଉଛି ‘ପ୍ରିମୋର୍ଟମ୍’ (‘ପୋଷ୍ଟମୋର୍ଟମ୍’ର ବିପରୀତ) ଏହା ଏକ ସରଳ ପ୍ରକ୍ରିୟା। ‘ଷ୍ଟିମ୍ୟୁଲସ୍ ପ୍ୟାକେଜ୍’ ଭଳି କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ଶେଷ ନିଷ୍ପତ୍ତି ଗ୍ରହଣର ଠିକ୍ ପୂର୍ବରୁ ଉଚ୍ଚକ୍ଷମତାସମ୍ପନ୍ନ ଟିମ୍ର ସଦସ୍ୟମାନଙ୍କୁ ଏକତ୍ର କରା ଯାଇ ଏକ ସ˚କ୍ଷିପ୍ତ ବକ୍ତବ୍ୟ ଶୁଣାଇ ଦିଆଯିବ: ‘‘ମନେକର ଆମର ପ୍ୟାକେଜ୍ କାର୍ଯ୍ୟକାରୀ ହେବାର ଏକ ବର୍ଷ ବିତି ଯାଇସାରିଲାଣି ଏବ˚ ଏହାର ଫଳାଫଳ ସମ୍ପୂର୍ଣ୍ଣ ହତାଶାଜନକ ହୋଇଛି, ଯାହା ଅର୍ଥନୀତି ପାଇଁ ଏକ ବିପର୍ଯ୍ୟୟ ସୃଷ୍ଟି କରିଛି। ଦୟାକରି ପାଞ୍ଚ ଦଶ ମିନିଟ୍ ସମୟ ମଧୢରେ ଏହି ବିପର୍ଯ୍ୟୟର ଏକ ସ˚କ୍ଷିପ୍ତ ଇତିହାସ ଲେଖ।’’
ଟିମ୍ର ସଦସ୍ୟମାନେ ଗୋଠ ଆନୁଗତ୍ୟ ଦ୍ବାରା ପ୍ରଭାବିତ ହୋଇ ନିଷ୍ପତ୍ତି ନେଇଥିଲେ ସତ, କିନ୍ତୁ ଏହି ‘ପ୍ରିମୋର୍ଟମ୍’ ଇତିହାସ ଲେଖିବା ସମୟରେ ସେମାନେ ଆନୁଗତ୍ୟର ସଚେତନ ବା ଅବଚେତନ ବାଧୢବାଧକତାରୁ ମୁକ୍ତ ହୋଇ ନିଜ ନିଜ ମନରେ ମୂଳରୁ ରହିଥିବା ବିଭିନ୍ନ ସ˚ଶୟକୁ ପ୍ରକାଶ କରିବାର ସୁଯୋଗ ପାଇବେ। ଏପରିକି ଯେଉଁମାନେ ପ୍ୟାକେଜ୍ର ଦୃଢ଼ ସମର୍ଥକ, ‘ପ୍ରିମୋର୍ଟମ୍’ କରିବା ସମୟରେ ସେମାନେ ମଧୢ ସେମାନଙ୍କ ନଜରରୁ ଖସି ଯାଇଥିବା ପ୍ୟାକେଜ୍ର ଦୋଷଦୁର୍ବଳତା ସମ୍ବନ୍ଧରେ ସଚେତନ ହୋଇ ପାରନ୍ତି। ‘ପ୍ରିମୋର୍ଟମ୍’ ଇତିହାସମାନଙ୍କୁ ବିଚାରକୁ ନେଇ ନିଷ୍ପତ୍ତିରେ ଯଦି ଆବଶ୍ୟକ ପରିବର୍ତ୍ତନ ଘଟାଯାଏ, ଶେଷ ନିଷ୍ପତ୍ତି ଅଧିକ ଫଳପ୍ରଦ ହେବାର ଦୃଢ଼ ସମ୍ଭାବନା ଥାଏ।
ଆମର ବିଶ୍ବାସ ନୁହେଁ ଯେ ଷ୍ଟିମ୍ୟୁଲସ୍ ନୀତି ନିର୍ଦ୍ଧାରଣ ଗୋଷ୍ଠୀର ସଦସ୍ୟମାନେ ବର୍ତ୍ତମାନର ହତାଶାମୟ ପରିବେଶରେ ଚାହିଦାର ଦୃଢ଼ୀକରଣ ଏବ˚ ସେଥିପାଇଁ ରାଜକୋଷୀୟ ବ୍ୟୟର ବିକଳ୍ପହୀନ ଗୁରୁତ୍ବ ସମ୍ବନ୍ଧରେ ସଚେତନ ନୁହଁନ୍ତି। ମନେହୁଏ ଘୋଷିତ ଯୋଗାଣ ପାର୍ଶ୍ବଭିତ୍ତିକ ତଥାକଥିତ ଷ୍ଟିମ୍ୟୁଲସ୍ ପ୍ୟାକେଜ୍ ହେଉଛି ଏକ ‘ଗ୍ରୁପ୍ ଥିଙ୍କ୍’ ପ୍ରକ୍ରିୟା ପ୍ରସୂତ ନିଷ୍ପତ୍ତି ଏବ˚ ଏହାର ‘ପ୍ରିମୋର୍ଟମ୍’ କରାଯାଇ ନାହିଁ। ଆମେ ଈଶ୍ବରଙ୍କ ନିକଟରେ ଆନ୍ତରିକ ପ୍ରାର୍ଥନା କରୁଛୁ ଏ ପ୍ୟାକେଜ୍ ତଥାପି ଫଳପ୍ରଦ ହେଉ ଏବ˚ ବର୍ଷକ ପରେ ଏହାର ‘ପୋଷ୍ଟମୋର୍ଟମ୍’ ଆବଶ୍ୟକ ନ ପଡ଼ୁ।