ରାଉରକେଲା : ସରକାରୀ ଧାର୍ଯ୍ୟ ମୂଲ୍ୟରେ ସହରବାସୀଙ୍କୁ ଆବାସିକ ଗୃହ ଓ ଦୋକାନ ଯୋଗାଇ ଦେବାକୁ ରହିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା। ସ୍ମାର୍ଟସିଟିରେ ରାଉରକେଲାରେ ଏହି ସଂସ୍ଥା ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି। ୫୭ ବର୍ଷ ତଳେ, ଅର୍ଥାତ୍ ୧୯୬୪ରେ ରାଉରକେଲା ବାସନ୍ତୀକଲୋନିରେ ଖୋଲିଥିବା ପ୍ରକଳ୍ପ ଅଫିସ୍ ଲୋକଙ୍କ କାମରେ ଆସୁନି। ଗତ ୧୪ ବର୍ଷ ମଧ୍ୟରେ, ଅର୍ଥାତ୍ ୨୦୦୭ରୁ ସଂସ୍ଥା ଆପାର୍ଟମେଣ୍ଟ ତ ଦୂରର କଥା ଖଣ୍ଡିଏ ଆବାସିକ ଗୃହ ମଧ୍ୟ ନିର୍ମାଣ କରିନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା, ବାସନ୍ତୀ କଲୋନି ଓ ଛେଣ୍ଡ କଲୋନିରେ ଥିବା ସଂସ୍ଥାର ୬୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ ଏକରରୁ ଅଧିକ ଜାଗାକୁ ଜବରଦଖଲକାରୀ ମାଡ଼ିବସିଛନ୍ତି। ଛେଣ୍ଡ କଲୋନିର କିଛି ଜାଗା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧୀନରେ ରହିଛି। ଅବଶିଷ୍ଟ ଜାଗାକୁ କିଛି ବ୍ୟକ୍ତି ଓ ଅନୁଷ୍ଠାନ ମାଡ଼ି ବସିଛନ୍ତି। ଖାଲି କରିବାକୁ ଥରୁଟିଏ ପଦକ୍ଷେପ ନିଆ ଯାଉନାହିଁ। ପ୍ରକଳ୍ପ ଅଫିସ୍କୁ ଜଣେ ପରେ ଜଣେ ପ୍ରକଳ୍ପ ଯନ୍ତ୍ରୀ ଆସୁଛନ୍ତି, କିନ୍ତୁ କେହି ଜଣେ ହେଲେ ଯନ୍ତ୍ରୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁ ନାହାନ୍ତି।
ସେପଟେ ଯେତିକି ଜାଗା ଗୃହ ନିର୍ମାଣ ସଂସ୍ଥା ଅଧୀନରେ ରହିଛି ସେଠି ମଧ୍ୟ ପ୍ରକଳ୍ପ ଶୂନ। ଅନେକ ଦିନରୁ କୁହାଯାଉଛି, ଦୁଇଟି ଆପାର୍ଟମେଣ୍ଟରେ ୩୦୦ରୁ ଅଧିକ ଆବାସିକ ଗୃହ ନିର୍ମାଣ ହେବ ଓ ତଳ ମହଲାରେ ବାଣିଜ୍ୟିକ ଅନୁଷ୍ଠାନ ଖୋଲିବ। ଏଥିପାଇଁ ବାସନ୍ତୀ କଲୋନି ଜିଏମ୍ ବ୍ଲକ ସମ୍ମୁଖ ୦.୭୫ ଏକର ଓ ନିଜସ୍ବ ଅଫିସ୍ର ୦.୫୨ ଏକର ଜାଗାରେ ଗୋଟିଏ ଲେଖାଏଁ ଚାରି ମହଲା ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ପରେ ତାହାକୁ ପରିବର୍ତ୍ତନ କରି ୮ ମହଲା କରିବାକୁ ଯୋଜନା ହେଲା। କିନ୍ତୁ ଏଯାଏ କିଛି ନିର୍ଦ୍ଦିଷ୍ଟ ହୋଇନାହିଁ କି ଡ୍ରଇଂ ତିଆରି ହେଲାନି। ଯେଉଁଠି ଡ୍ରଇଂ ସରିବାକୁ ବର୍ଷ ବର୍ଷ ଲାଗୁଛି, ସେଠି ପ୍ଲାନିଂ ଅନୁମତି ପାଇବାକୁ ଓ ଟେଣ୍ଡର ହେବାକୁ ଆହୁରି କେତେ ବର୍ଷ ଲାଗିବ, ଅନୁମାନ କରା ଯାଇପାରେ। ବିଭାଗୀୟ ଅଧିକାରୀଙ୍କ ପାଖରେ ମଧ୍ୟ ଏହାର କୌଣସି ଉତ୍ତର ନାହିଁ। ଏ ସଂକ୍ରାନ୍ତରେ ପ୍ରକଳ୍ପ ଯନ୍ତ୍ରୀ ଇଂ. ବିବେକାନନ୍ଦ ମିଶ୍ର କହିଛନ୍ତି, ବହୁ ବର୍ଷ ଧରି ଜବରଦଖଲକାରୀ ଜାଗା ମାଡ଼ି ବସିଥିବାରୁ ଖାଲି କରାଯାଇ ପାରୁନାହିଁ। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଗାମୀ ଦିନରେ ଦୁଇଟି ୭ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେବାକୁ ଯୋଜନା ରହିଛି।
ଉଲ୍ଲେଖଯୋଗ୍ୟ, ରାଉରକେଲାରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ପ୍ରକଳ୍ପ ଅଫିସ୍ ୧୯୬୬-୬୫ରେ ଖୋଲାଯାଇଥିଲା। ଏହି ଅଫିସ୍ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଚାରିଟି ଜିଲ୍ଲାରେ କାମ କରୁଛି। ରାଉରକେଲା ବାସନ୍ତୀ କଲୋନି ଓ ଛେଣ୍ଡ କଲୋନିରେ ମୋଟ୍ ସଂସ୍ଥା ପ୍ରଥମେ ୫, ୧୯୩ ଆବାସିକ ଗୃହ ନିର୍ମାଣ କରି ଆବଣ୍ଟନ କରିଥିଲା। ଏଥି ମଧ୍ୟରେ ବାସନ୍ତୀ କଲୋନିରେ ଏଲ୍, ବିଏଲ୍, ସିଏଲ୍, ଡିଏଲ୍, ଇଏଲ୍, ଡିଇ, ଏଫ୍ଇ, ଇଡବ୍ଲ୍ୟୁଏସ୍ ପ୍ଲଟ, ଏମ୍, ବିଏମ୍, ସିଏମ୍, ଡିଏମ୍, ଇଏମ୍, ଏଫ୍ଏପ୍, ଜିଏମ୍, ଇସିଆର୍ରେ ମୋଟ୍ ୨,୩୭୬ ଗୃହ ରହିଛି। ସେମିତି ଛେଣ୍ଡ କଲୋନିରେ ଇସିଆର୍, ଏମ୍ଆଇସିଆର୍, ଏଲ୍୧, ଏଲ୍ ୨, ଏମ୍ଆଇଜି, ଏଚ୍ଆଇଜି, ଡୁପ୍ଲେକ୍ସ ଆଦି ବ୍ଲକରେ ୨,୮୧୭ ଗୃହ ନିର୍ମାଣ କରି ଆବଣ୍ଟନ କରାଯାଇଛି। ଏଥିସହ ବାସନ୍ତୀ କଲୋନି ଓ ଛେଣ୍ଡ ଥାଡ୍ ଫେଜ୍ (କଳିଙ୍ଗ ବିହାର)ରେ ମାର୍କେଟ କମ୍ପ୍ଲେକ୍ସ ରହିଛି। ସେମିତି ସୁନ୍ଦରଗଡରେ ପ୍ରାୟ ୨୫୦ ଗୃହ ନିର୍ମାଣ ହୋଇଛି। କିନ୍ତୁ ଗତ ପ୍ରାୟ ୧୫ ବର୍ଷ ହେଲା ସଂସ୍ଥାର କୌଣସି କାର୍ଯ୍ୟକ୍ରମ ସହରବାସୀ ଦେଖି ନାହାନ୍ତି।