ବାଲେଶ୍ବର ନିର୍ବାଚନମଣ୍ଡଳୀ: ବାବୁ ବନିଗଲେ ସଫଳ ରାଜନୀତିଜ୍ଞ

ବାଲେଶ୍ବର (ମନୋଜ ରାଉଳ) : ରାଜନୀତିରେ ଅନେକ ସରକାରୀ ଚାକିରିଆଙ୍କୁ ମିଳିଛି ଆଖିଦୃଶିଆ ସଫଳତା। ଚାକିରି ଛାଡ଼ିବା ପରେ ହେଉ, ବା ଅବସର; ରାଜନୀତି ମଇଦାନକୁ ଓହ୍ଲାଇ ଏମାନେ ଖାଲି ଜନସମର୍ଥନ ସାଉଁଟି ନାହାନ୍ତି, ନିଜ ଦଳର ସଂଗଠନକୁ ମଜବୁତ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ବାଲେଶ୍ବର ରାଜନୀତିରେ ବୟୋଜ୍ୟେଷ୍ଠ ରାଜନେତା ହେଲେ ବର୍ତ୍ତମାନର ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ। ୧୯୬୨ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ଯୋଗ ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଡିଓ, ତହସିଲଦାର ଦାୟିତ୍ବ ସମ୍ଭାଳିବା ପରେ ୧୯୯୮ରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ପଦରୁ ଅବସର ଗ୍ରହଣ କରିଥିଲେ। ୨୦୦୪ରେ ବିଜେଡି​ ଟିକେଟ୍‌ରୁ ଭୋଗରାଇ ବିଧାନସଭା ଆସନରୁ ବିଜୟୀ ହୋଇଥିବା ଶ୍ରୀ ଦାସ ସେବେଠୁ ଆଉ ପଛକୁ ଫେରିନାହାନ୍ତି। ଲଗାତାର ୪ ଥର ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ଏହି ଆସନରୁ ଜିଣି ନିଜ ଲୋକପ୍ରିୟତାକୁ ଅକ୍ଷୁଣ୍ଣ ରଖିଛନ୍ତି। ସେମିତି ଜିଲ୍ଲାର ଆଉ ଜଣେ ଚର୍ଚ୍ଚିତ ରାଜନେତା ହେଲେ ଏବେକାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ।

ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ନୀଳଗିରି ବିଷ୍ଣୁପ୍ରିୟା ହାଇସ୍କୁଲରେ ଶିକ୍ଷକ ଓ ପରେ ନୀଳଗିରି ମହାବିଦ୍ୟାଳୟରେ କିରାଣି ଥିଲେ। ୨୦୦୪ ଓ ୨୦୦୯ରେ ସେ ବିଜେପି ଟିକେଟ୍‌ରୁ କ୍ରମାଗତ ଦୁଇଥର ନୀଳଗିରି ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପ୍ରଥମଥର ସାଂସଦ ନିର୍ବାଚିତ ହୋଇ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ୧୯୯୦ରେ ‘ବାଲେଶ୍ବର ଆଲଏଜ୍‌ କମ୍ପାନିରେ ଗ୍ରାଜୁଏଟ୍‌ ଇଞ୍ଜିନିୟର ଟ୍ରେନି ଭାବେ ଭର୍ତ୍ତି ହୋଇଥିଲେ। ୨୦୧୧ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଧରି ସେ କମ୍ପାନିରେ ବିଭିନ୍ନ ପଦପଦବିରେ ରହିବା ପରେ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ପଦରୁ ଅବସର ଗ୍ରହଣ କରି ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ତେବେ ବିଜେଡି ଟିକେଟ୍‌ରେ ଥରୁଟିଏ ସାଂସଦ ହୋଇଥିଲେ ମଧ୍ୟ ଜିଲ୍ଲା ରାଜନୀତିରେ ଶ୍ରୀ ଜେନାଙ୍କର ବେଶ ଆଧିପତ୍ୟ ରହିଛି। ଆଉ ଜଣେ ଚର୍ଚ୍ଚିତ ରାଜନେତା ହେଲେ ମହାମେଘବାହନ ଐର ଖାରବେଳ ସ୍ବାଇଁ। ଓଏଏସ୍‌ରେ ଉତ୍ତୀର୍ଣ୍ଣ ହୋଇ ୧୯୮୦ରୁ ୧୯୮୨ ମସିହା ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ନିମାପଡ଼ାରେ ଅତିରିକ୍ତ ତହସିଲଦାର ଥିଲେ। ପରେ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଭାରତୀୟ ରେଳ ସେବା (ଆଇଆର୍‌ଏସ୍‌)ରେ ୬ ବର୍ଷ କାମ କରିବା ପରେ ୧୯୮୮ରେ ବିଜେପିରେ ସାମିଲ ​ହୋଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ଶ୍ରୀ ସ୍ବାଇଁ ୧୯୯୮ରେ ପ୍ରଥମଥର ପାଇଁ ବାଲେଶ୍ବରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୯୯ ଓ ୨୦୦୪ ଲୋକସଭା ନିର୍ବାଚନରେ ମଧ୍ୟ ବାଲେଶ୍ବର ଆସନରୁ ବିଜୟଲାଭ କରିଥିଲେ। କେନ୍ଦ୍ରାପଡ଼ା, ବାଲେଶ୍ବର ଓ କଟକ ଲୋକସଭା ଆସନକୁ ମିଶାଇ ସେ ମୋଟ୍‌ ୭ ଥର ନିର୍ବାଚନ ଲଢ଼ିଥିବା ବେଳେ ଅଷ୍ଟମଥର ପାଇଁ ୨୦୧୯ରେ କନ୍ଧମାଳରୁ ପ୍ରାର୍ଥୀ ହୋଇଥିଲେ।

ବାଲେଶ୍ବର ସଦର ଆସନରୁ ତିନି ତିନିଥର ବିଧାୟକ ହୋଇଥିବା ଜୀବନପ୍ରଦୀପ ଦାଶ ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ବାୟୁସେନାରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ଥିଲେ। ୧୫ ବର୍ଷ ଚାକିରି ପରେ ୧୯୮୮ରେ ଅବସର ନେଇ ୨୦୦୦ରେ ବିଜେପି ଟିକେଟ୍‌ରେ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ଟିକେଟ୍‌ରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ।

ନୀଳଗିରି ବିଧାନସଭା ଆସନରୁ ଲଗାତାର ଦୁଇଥର ବିଧାୟକ ହୋଇ ସାରିଲେଣି ଇଞ୍ଜିନିୟର ସୁକାନ୍ତ କୁମାର ନାୟକ। ୧୯୯୪ରେ ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ବିଭାଗରେ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିବା ଶ୍ରୀ ନାୟକ ୨୦୧୩ ମସିହାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ ନୀଳଗିରି ଆସନରୁ ଶ୍ରୀ ନାୟକ ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏମାନଙ୍କ ବ୍ୟତୀତ ସୋର ବିଧାନସଭା ଆସନରୁ ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କଂଗ୍ରେସର ସୁରେନ୍ଦ୍ର ପ୍ରସାଦ ପରମାଣିକ। ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ସେ ଓଡ଼ିଶା ପ୍ରଶାସନିକ ସେବାରେ ଥିଲେ। ସେହିପରି ଭୋଗରାଇ ବିଧାନସଭା ଆସନରୁ ଡାକ୍ତର ସ୍ବର୍ଗତ କମଳା ଦାସ ଓ ସିମୁଳିଆ ଆସନରୁ ଅଧ୍ୟାପକ ପର୍ଶୁରାମ ପାଣିଗ୍ରାହୀ ମଧ୍ୟ ଚାକିରି ଜୀବନରୁ ଆସି ରାଜନୀତିରେ ଢେର ସଫଳତା ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର