କପିକୁ ବିରୋଧ କରି ନ୍ୟାୟମାଗିଲେ ଛାତ୍ର

କେନ୍ଦ୍ର ବାହାରେ ଧାରଣା; ବିଇଓଙ୍କୁ ଲିଖିତ ଅଭିଯୋଗ

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ବରକନ୍ଧା ପଞ୍ଚାୟତ ଗୋଜାବନ୍ଧସ୍ଥିତ ଗାନ୍ଧୀଜୀ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ କପିକୁ ବିରୋଧ କରି ହଟହଟା ହୋଇଛନ୍ତି ପରୀକ୍ଷାର୍ଥୀ। ଏଭଳି ଘଟଣାର ପ୍ରତିବାଦରେ ପରୀକ୍ଷାର୍ଥୀ ଜଣକ ସ୍କୁଲ ସାମ୍‌ନାରେ ଧାରଣା ଦେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନା ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ କେତେକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ ଶିକ୍ଷକ କପି ଯୋଗାଉଥିଲେ। ଏ ସଂପର୍କରେ ପରୀକ୍ଷାର୍ଥୀ ଛାତ୍ର କେନ୍ଦ୍ରର ଶିକ୍ଷକଙ୍କଠାରୁ ଆରମ୍ଭ କରି ଅଧୀକ୍ଷକଙ୍କୁ ଅବଗତ କରିଥିଲେ ବି କେହି ତାଙ୍କୁ ସହଯୋଗ କରି ନଥିଲେ।

ରାମଚଣ୍ତୀ ବିଜୟାନନ୍ଦ ହାଇସ୍କୁଲର ଛାତ୍ର ଶିବୁ ଦାସଙ୍କ ଅଭିଯୋଗ ଅନୁଯାୟୀ ଏହି କେନ୍ଦ୍ରରେ ସ୍କୁଲର ୨୦୪ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା କେନ୍ଦ୍ରର ୬ ନମ୍ବର ହଲ୍‌ରେ ଜଣେ ଶିକ୍ଷକ ଜଣେ ନିର୍ଦ୍ଦିଷ୍ଟ ଛାତ୍ରୀଙ୍କୁ ପରୀକ୍ଷାରେ ପଡିଥିବା ପ୍ରଶ୍ନର ଉତ୍ତର କହିଦେବା ସହିତ କିଛି କପି ଯୋଗାଉଥିଲେ। ଶିବୁ ନିକଟରେ ବସିଥିବାରୁ ଏଭଳି ଘଟଣାରେ ବିଚଳିତ ହୋଇ ଉକ୍ତ ଶିକ୍ଷକଙ୍କୁ ପରୀକ୍ଷା ହଲ୍‌ରେ ଏପରି ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଶିକ୍ଷକ ଜଣକ ତାଙ୍କୁ ଓଲଟା ତାଗିଦ୍‌ କରିଥିଲେ। ସେତେବେଳକୁ ଶିବୁ ମାତ୍ର ୫୦ ନମ୍ବର ପ୍ରଶ୍ନର ଉତ୍ତର ଲେଖି ସାରିଥିବା ବେଳେ ବିଶୃଙ୍ଖଳା କାରଣରୁ ସେ ଆଉ ଉତ୍ତର ଲେଖି ପାରି ନ ଥିଲେ। ଫଳରେ, ସେ ବାଧ୍ୟହୋଇ ସଂପୃକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ହେଲେ, ସେ ବି ତାଙ୍କୁ ସହଯୋଗ କରି ନଥିଲେ। ପରୀକ୍ଷା ଶେଷ ହେବାପରେ ଶିବୁ କେନ୍ଦ୍ର ସମ୍ମୁଖରେ ନ୍ୟାୟ ପାଇଁ ଦୀର୍ଘ ସାଢେ ୪ଘଣ୍ଟା ଧାରଣାରେ ବସି ରହିଥିଲେ। ହେଲେ, କୌଣସି ଅଧିକାରୀ ବି ତାଙ୍କ ନିକଟରେ ପହଞ୍ଚି ନ ଥିଲେ। ଫଳରେ, ମହାକାଳପଡା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଘଟଣା ସମ୍ପର୍କରେ ଲିଖିତଭାବେ ଅବଗତ କରାଇଛନ୍ତି।

ଏ ସଂପର୍କରେ ମହାକାଳପଡା ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ବିଚିତ୍ରାନନ୍ଦ ସାମଲ କହିଛନ୍ତି ଯେ ଶିବୁଙ୍କ ଅଭିଯୋଗର ଯାଞ୍ଚ ପାଇଁ ଏକ ଟିମ୍‌ ଗଠନ କରାଯିବ। ଅନ୍ୟପକ୍ଷରେ ଏ ସମ୍ପର୍କରେ କେନ୍ଦ୍ରର ଅଧୀକ୍ଷକ ବସନ୍ତ ଜେନାଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର