୭ ବର୍ଷ ହେଲା ସରୁନି ଜାତୀୟ ରାଜପଥ କାମ

ଆନନ୍ଦପୁର : ପାଣିକୋଇଲି-ରିମୁଳି ୨୦ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଶାଳପଡ଼ା ନିକଟରେ ଅଧାପନ୍ତରିଆ ହୋଇ ପଡ଼ିଛି। ଆନନ୍ଦପୁରର ପ୍ରମୁଖ ଛକ ଶାଳପଡ଼ା ନିକଟରେ ଗୋଟିଏ ପାର୍ଶ୍ବରେ ଗାଡି ଚଳାଚଳ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏନେଇ ପ୍ରଶାସନ କିମ୍ବା ଜାତୀୟ ରାଜପଥ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି।

କେନ୍ଦୁଝର ସମେତ ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ଅଞ୍ଚଳ ହେଉଛି ୨୦ନମ୍ବର ଜାତୀୟ ରାଜପଥର ଶାଳପଡ଼ା ଛକ। ଏହି ଛକଦେଇ ପ୍ରତିଦିନ ଶହଶହ ଗାଡ଼ି ଚଳାଚଳ କରୁଥିବାବେଳେ ଦୀର୍ଘବର୍ଷ ହେଲା ରାସ୍ତା ନିର୍ମାଣ ଅଟକିଛି। ସ୍ଥାନୀୟ ଜନସାଧାରଣ ଏଠାରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଦାବି କରି ଆସୁଥିବାବେଳେ ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏପଟେ ଠିକାସଂସ୍ଥାର ନିର୍ମାଣକୁ ବିରୋଧ କରାଯାଉଥିବାରୁ ଗତ ଦୁଇବର୍ଷ ହେଲା ନିର୍ମାଣ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ସାତବର୍ଷ ହେଲା ଏଠାରେ ଜାତୀୟ ରାଜପଥ ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଖପରାଖାଇ ବାଏପାସଠାରୁ ଅଶୋକ ରାଜପଥ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପାଖାପାଖି ଏକକିମି ରାସ୍ତାର ଗୋଟିଏ ପାର୍ଶ୍ବ ନିର୍ମାଣ ହୋଇଥିବାବେଳେ ଅନ୍ୟ ପାର୍ଶ୍ବ ରାସ୍ତା ନିର୍ମାଣ ହୋଇପାରି ନାହିଁ। ବହୁବାର ଦାବିପରେ ୨୦୨୧ ଜାନୁଆରିରେ ଠିକାସଂସ୍ଥା ଏଆରଏସ୍ଏସ୍ ନିର୍ମାଣ ଆରମ୍ଭ କରିଥିଲା। ମାତ୍ର ଫେବ୍ରୁଆରିରେ ଠିକାସଂସ୍ଥା କାମ ଛାନି ଚାଲିଯାଇଥିଲା। ଏପଟେ ଧକୋଠା, ଦରଖଳାଠାରେ ଅଧାପ୍ତରିଆ ରାସ୍ତା ନିର୍ମାଣ ସରିଥିବାବେଳେ ଶାଳପଡ଼ାକୁ ଅବହେଳା କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି।

ଶାଳପଡ଼ାର ଜନସାଧାରଣଙ୍କ ଦାବି ଅନୁସାରେ ଆଇଟିଆଇ ନିକଟରେ ରହିଥିବା ଛକ ଉପରେ ଶାଳପଡ଼ା ସହିତ ସେହି ପାର୍ଶ୍ବରେ ଥିବା ୪ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ରାସ୍ତାର ଅପରପାର୍ଶ୍ବରେ ଜଳସମ୍ପଦ ବିଭାଗ, ଗ୍ରାମ୍ୟଜଳ ଯୋଗାଣ, ଗ୍ରୀଡ଼, କନକମଞ୍ଜରୀ ମହିଳା ମହାବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉଦ୍ୟାନବିଭାଗ କାର୍ଯ୍ୟାଳୟ, ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ, ଜଳସମ୍ପଦ ଅତିଥିଭବନ, କଲ୍ୟାଣମଣ୍ଡପ, ଆରଏମସି, ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ, ଜଗନ୍ନାଥ ମନ୍ଦିର, ପେଟ୍ରୋଲପମ୍ପ, ଗ୍ରାମ୍ୟ ନ୍ୟାୟାଳୟ ରହିଥିବାବେଳେ ଲୋକମାନଙ୍କ ଯାତାୟାତରେ ବଡ଼ ସମସ୍ୟା ସୃଷ୍ଟି ହେଉଛି।

ଲୋକମାନେ ରାସ୍ତା ପାରହେବା ସମୟରେ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଛି। ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ କାର୍ଯ୍ୟାଳୟର ଚିଠିନମ୍ବର ୧୧୦୧୨/ଆରଓ,ଓଡି/୨୦୧୭ ଅନୁସାରେ ଶାଳପଡ଼‌ାରେ ଏକ ନୂତନ ଅଣ୍ଡର ପାସ୍ ନିର୍ମାଣ ପାଇଁ ମଞ୍ଜୁରି ସରିଥିବାବେଳେ ଏଥିପାଇଁ ୨କୋଟି ୨୦ଲକ୍ଷ ୩୭ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଅଦ୍ୟାବଧି କାହିଁକି ଏହାର ନିର୍ମାଣ କରାଯାଉନାହିଁ ବୋଲି ଶାଳପଡ଼ା ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର