ପଞ୍ଚାୟତ ପ୍ରତିନିଧିଙ୍କ ପାରିତୋଷିକ ବଢ଼ିଲା, ୨୦୨୦ ଏପ୍ରିଲ୍‌ ୧ରୁ ଲାଗୁ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ପାରିତୋଷିକ ବୃଦ୍ଧି କରାଯାଇଛି। କରୋନା ମୁକାବିଲାରେ ଏବେ ଆଗଧାଡ଼ିର ଯୋଦ୍ଧା ଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ସରକାର ଖୁସି କରିବାକୁ ପ୍ରୟାସ କରିଛନ୍ତି। ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପାରିତୋଷିକ ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍‌ ୧ ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ। ଦୀର୍ଘ ଦିନ ଧରି ପାରିତୋଷିକ ବଢ଼ାଇବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ଦାବି କରି ଆସୁଥିଲେ।

ଗ୍ରାମପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ପାରିତୋଷିକ ୧୮୮୦ ଟଙ୍କାରୁ ବୃଦ୍ଧି ପାଇ ୨୩୫୦ ଟଙ୍କା ହୋଇଛି। ନାଏବ ସରପଞ୍ଚଙ୍କର ପାରିତୋଷିକ ୭୫୦ ଟଙ୍କାରୁ ବୃଦ୍ଧି ପାଇ ୯୪୦ ହୋଇଛି। ୱାର୍ଡ ମେମ୍ବରଙ୍କ ପାଇଁ କୌଣସି ପାରିତୋଷିକର ବ୍ୟବସ୍ଥା ନାହିଁ। ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ ‌େମମ୍ବରମାନଙ୍କ ଦୈନିକ ଭତ୍ତା ଓ ବୈଠକୀ ଦେୟ ପୂର୍ବ ପରି ୪୦ ଓ ୨୦୦ ଟଙ୍କା ରହିଛି। ତାହାକୁ ବୃଦ୍ଧି କରାଯାଇ ନାହିଁ। ପଞ୍ଚାୟତ ସମିତି ସ୍ତରରେ ଅଧ୍ୟକ୍ଷଙ୍କ ପାରିତୋଷିକ ୨୮୨୦ରୁ ବୃଦ୍ଧି ପାଇ ୩୫୩୦, ଉପାଧ୍ୟକ୍ଷଙ୍କ ୧୮୮୦ରୁ ବୃଦ୍ଧି ପାଇ ୨୩୫୦ ଏବଂ ସଦସ୍ୟଙ୍କ ୧୮୮୦ରୁ ବୃଦ୍ଧି ପାଇ ୨୩୫୦ ଟଙ୍କା ହୋଇଛି। ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କ ଦୈନିକ ଭତ୍ତା ଓ ବୈଠକୀ ଦେୟ ପୂର୍ବ ପରି ୪୦ ଓ ୨୦୦ ଟଙ୍କା ରହିଛି। ତାହାକୁ ବୃଦ୍ଧି କରାଯାଇ ନାହିଁ। ଜିଲ୍ଲା ପରିଷଦ ସ୍ତରରେ ସଭାପତିଙ୍କ ପାରିତୋଷିକ ୭୫୦୦ରୁ ବୃଦ୍ଧି ପାଇ ୯୩୮୦, ଉପସଭାପତିଙ୍କ ୫୬୩୦ରୁ ବୃଦ୍ଧି ପାଇ ୭୦୪୦ ଏବଂ ସଦସ୍ୟଙ୍କ ୨୮୨୦ରୁ ବୃଦ୍ଧି ପାଇ ୩୫୩୦ ହୋଇଛି। ସଭାପତି, ଉପସଭାପତି ଓ ସଦସ୍ୟମାନଙ୍କ ଦୈନିକ ଭତ୍ତା ଓ ବୈଠକୀ ଦେୟ ପୂର୍ବ ପରି ୮୦ ଓ ୨୨୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର