ଯୁକ୍ତ ୩ରେ ନାମଲେଖାଇବା ପୂର୍ବରୁ ଠକେଇର ଶିକାର ହେଲେ ଛାତ୍ରୀ, ୮୭୦୦ ଠକିଲେ ସାଇବର ଠକ

ସପ୍ତାହ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ୨ୟ ଘଟଣା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ସରଗି ପାରା ଗ୍ରାମର ଜଣେ ଗରିବ ଆଦିବାସୀ ଛାତ୍ରୀ ଯୁକ୍ତ ତିନିରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ବେଳେ ଠକେଇର ଶିକାର ହୋଇଛନ୍ତି। ଛାତ୍ରୀ ଜଣକ ଉମରକୋଟ ପେଣ୍ଡରାଣି ମହାବିଦ୍ୟାଳୟ ଓ ଡାବୁଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ଆଡମିସନ ନିମନ୍ତେ ଆବେଦନ କରିଥିବା ବେଳେ ଡାବୁଗାଁ ଡିଗ୍ରୀ ମହାବିଦ୍ୟାଳୟର ନାମ ନେଇ ଜଣେ ଠକ ଅନଲାଇନରେ ୮୭୦୦ ଟଙ୍କା ଛାତ୍ରୀଙ୍କ ଠାରୁ ଠକି ନେଇଛି। ଛାତ୍ରୀ ଜଣକ ଆଜି ଡାବୁଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆସି ତଦନ୍ତ କରିବା ପରେ ଠକାମୀରେ ପଡ଼ିଥିବା ଜାଣି ପାରିଥିଲେ।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କସ କଙ୍ଗା ପଞ୍ଚାୟତ ଅନ୍ତର୍ଗତ ସରଗି ପାରା ଗ୍ରାମର ଛାତ୍ରୀ ଅମ୍ବିକା ଗଣ୍ଡ ଯୁକ୍ତ ଦୁଇ କଳାରେ ହାଟ ଭରଣ୍ଡି ମହାବିଦ୍ୟାଳୟରୁ ୨୭୭ ନମ୍ବର ରଖି ପାସ କରିବା ପରେ ଉମରକୋଟ ପେଣ୍ଡରାଣି ମହାବିଦ୍ୟାଳୟ ଓ ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ କରିଥିଲେ। ନାମ ଲେଖା ପାଇଁ ସେପ୍ଟେମ୍ବର ୭ ତାରିଖରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଥିବା ବେଳେ ଅମ୍ବିକା ଗଣ୍ଡକୁ ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟରେ ନାମ ଲେଖା ପାଇଁ ୧୦ ତାରିଖ ଧାର୍ଯ୍ୟ ହୋଇଥିଲା।

ତେବେ କୌଣସି କାରଣରୁ ୧୦ ତାରିଖ ଦିନ ଅମ୍ବିକା ଡାବୁଗାଁ ଆସି ନାମ ଲେଖାଇ ପାରି ନ ଥିଲା। ଗତ ୧୩ ସେପ୍ଟେମ୍ବର ଦିନ ୧୦ ଘଣ୍ଟ ସମୟରେ ୯୬୬୮୭୬୩୨୬୩ ଫୋନ୍ ନମ୍ୱର୍ରେ ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ କହି ଅମ୍ବିକା ଗଣ୍ଡକୁ ଫୋନ୍ ଆସିଥିଲା। ତୁମେ ଡାବୁଗାଁ କଲେଜରେ ନାମ ଲେଖା ପାଇଁ ଆବେଦନ କରିଥିଲ। ଆଜି ୧୨ ଘଣ୍ଟ ସମୟ ମଧ୍ୟରେ ତୁମେ ନାମ ନ ଲେଖାଇଲେ ନାମ ଲେଖା ହୋଇ ପାରିବ ନାହିଁ ବୋଲି କହିଥିଲେ। ରାଇଘର ସରଗିପାରାରୁ ଡାବୁଗାଁର ଦୁରତ୍ଵ ୯୦ କିମି ଥିବାରୁ ଏହି ସମୟ ମଧ୍ୟରେ ଛାତ୍ରୀ ଜଣକ ପହଞ୍ଚି ପାରିବ ନାହିଁ କହିଥିଲେ। ଯଦି ପହଁଚି ପାରିବ ନାହିଁ ତା ହେଲେ ନାମ ଲେଖା ପାଇଁ ଆବଶ୍ୟକ ୮୭୦୦ ଟଙ୍କା ଅନ୍‌ଲାଇନ୍‌ରେ ତୁରନ୍ତ ପୈଠ କରିବା ସହ ଆବଶ୍ୟକ କାଗଜ ପତ୍ର ହ୍ବାଟ୍‌ସ ଆପ ମାଧ୍ୟମରେ ପଠାଇବା ପାଇଁ କହିଥିଲେ।

ଆଦିବାସୀ ନିରୀହ ଛାତ୍ରୀ ଅମ୍ବିକା ଗଣ୍ଡ ଉକ୍ତ ବ୍ୟକ୍ତିର କଥା ବିଶ୍ୱାସ କରି ସମସ୍ତ କାଗଜ ପତ୍ର ପଠାଇବା ସହ ଅନ୍‌ଲାଇନ୍‌ରେ ଉକ୍ତ ବ୍ୟକ୍ତି ଦେଇଥିବା ଫୋନ୍ ନମ୍ବରରେ ୮୭୦୦ ଟଙ୍କା ପଠାଇଥିଲେ। ଟଙ୍କା ଓ ନାମ ଲେଖା ପାଇଁ ଆବଶ୍ୟକ କାଗଜ ପତ୍ର ଦେଇଥିବାରୁ ଆଜି ଛାତ୍ରୀ ଅମ୍ବିକା ଗଣ୍ଡ ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟରେ ଆସି ନାମ ଲେଖାଇବା ପାଇଁ କହିଥିଲେ। ତେବେ ଡ଼ାବୁଗାଁ ମହାବିଦ୍ୟାଳୟରୁ କେହି କର୍ମଚାରୀ ଟଙ୍କା ନେଇ ନ ଥିବା ତଦନ୍ତ ପରେ ଛାତ୍ରୀ ଜଣକ ଜାଣିଥିଲେ ଏବଂ ସେ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ। ବର୍ତମାନ ସାଇବର ଠକମାନେ ବିଭିନ୍ନ ଆଳରେ ଠକେଇ କରୁଥିବାରୁ ଏହା ମଧ୍ୟ ସାଇବର ଠକ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ଠକେଇର ଶିକାର ହୋଇଥିବା ଛାତ୍ରୀ ଥାନାରେ ଏତଲା ଦେବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର