ପୋଡ଼ିଯାଇ ଭାଉଜ ଓ ଦିଅରଙ୍କ ମୃତ୍ୟୁ

ଛତିଆ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସମିଆ ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘରପୋଡ଼ିରେ ଆହତ ହୋଇଥିବା ଭାଉଜ, ଦିଅରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତ ଭାଉଜ ହେଲେ ଏହି ଗ୍ରାମର ବିପିନ ନାୟକଙ୍କ ପତ୍ନୀ ସବିତା ନାୟକ(୨୬) ଓ ଦିଅର ସୋନୁ ନାୟକ(୨୩)।

ଗତ ୨୨ ତାରିଖ ରାତିରେ ଏହି ଗ୍ରାମର ମୀରା ନାୟକଙ୍କ ଘରେ ଅଗ୍ନିକାଣ୍ତ ଘଟି ୩ ବଖରା ଘର ଜଳିଯିବା ସହ ୬ ଜଣ ଆହତ ହୋଇଥିଲେ। କିଛି ଲୋକଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ିଦିଆଯାଇଥିଲା। ହେଲେ ସବିତା ଓ ସୋନୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଗୁରୁବାର ରାତିରେ ଏକ ଆମ୍ବୁଲାନସରେ ଭାଉଜ, ଦିଅରଙ୍କୁ କଟକ ବଡ଼ ଡାକ୍ତରଖାନାରୁ ଘରକୁ ଫେରାଇ ଅଣାଯାଇଥିଲା। ପୂର୍ଣ୍ଣଚନ୍ଦ୍ରପୁର ଉପ୍ରା ବିଦ୍ୟାଳୟରେ ସେମାନେ ପରିବାର ଲୋକଙ୍କ ସହିତ ରହିଥିଲେ। ହେଲେ ଗୁରୁବାର ବିଳମ୍ବିତ ରାତିରେ ସବିତାଙ୍କର ମୃତ୍ୟୁ ହୋଇଥିଲା। ସକାଳୁ ଗ୍ରାମରେ ତାଙ୍କର ଶବ ସତ୍କାର କରାଯାଇଥିଲା। ଏହାପରେ ଶୁକ୍ରବାର ରାତିରେ ଦିଅର ସୋନୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମୃତ ସବିତାଙ୍କର ଏକ ମାସର ପୁଅ ଓ ୩ ବର୍ଷର ଗୋଟିଏ ଝିଅ ଅଛନ୍ତି।

ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ ଭଲ ହୋଇନଥିବା ସବିତା ଓ ସୋନୁଙ୍କୁ କଟକ ବଡ଼ ଡାକ୍ତରଖାନାରୁ କେହି ସ୍ବତନ୍ତ୍ର ଆମ୍ବୁଲାନସ୍‌ ଯୋଗେ ଘରକୁ ପଠାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର