ଜାତୀୟସ୍ତରରେ କ୍ରୁଟ୍‌କୁ ପ୍ରଶଂସା

ଭୁବନେଶ୍ୱର : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅର୍ବାନ ମୋବିଲିଟି ଇଣ୍ଡିଆ(ୟୁଏମ୍‌ଆଇ) ସମ୍ମିଳନୀ-୨୦୧୯ରେ ‘ମୋ ବସ୍‌’କୁ ପ୍ରଶଂସା କରାଯାଇଛି। ଏଥିସହ ୪୫ରୁ ଊର୍ଦ୍ଧ୍ବ ମହାନଗରର ବିଭିନ୍ନ ଅଧିକାରୀମାନଙ୍କୁ କ୍ରୁଟ୍‌ ମଡେଲକୁ ନିଜ ରାଜ୍ୟରେ ଅନୁକରଣ କରିବା ପାଇଁ ଉପଦେଶ ଦିଆଯାଇଛି। ବାତ୍ୟା ଫନିର ପ୍ରଭାବ ସତ୍ତ୍ବେ ‘ମୋ ବସ୍‌’ ଯେଭଳି ଭାବରେ ପୁଣିଥରେ ଦୈନିକ ୧ଲକ୍ଷ ଯାତ୍ରୀଙ୍କ ବିଶ୍ୱାସ ଭାଜନ ହୋଇପାରିଛି ତାହା ନିଶ୍ଚିତ ଭାବରେ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ମୁମ୍ବାଇ ସ୍ଥିତ ସିଟି ବସ୍‌ ସଂସ୍ଥାର ଜେନେରାଲ ମ୍ୟାନେଜର ସୁରେନ୍ଦ୍ର ବାଗଡେ କହିଥିଲେ। ସମ୍ମିଳନୀକୁ ଗତକାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍‌ଘାଟନ କରିଥିଲେ। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ୧୦୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଭାଗ ନେଇଛନ୍ତି।

ଏହି ପରିପ୍ରେକ୍ଷୀରେ କ୍ରୁଟ‌୍‌ର ଏମଡି ଅରୁଣ ବୋଥ୍ରାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରା ଯାଇଥିଲା। ‘ମୋ ବସ୍‌’ର ସଫଳତାର କାହାଣୀ ସେ ସମସ୍ତଙ୍କୁ ଅବଗତ କରାଇଥିଲେ। କିଭଳି ଦୈନିକ ଖର୍ଚ୍ଚକୁ କମ୍‌ କରିବା ପାଇଁ କଟକରେ ନାଇଟ୍ ଆଉଟ୍‌ ସିଡ୍ୟୁଲ୍‌ର ଆରମ୍ଭ କରାଯାଇଥିଲା ଏବଂ ଅନେକ ଯାତ୍ରୀ ଉପଯୋଗୀ ମାସିକ ଫ୍ରିଡମ ପାସ୍‌ସେବା, ରୁଟ୍‌ର ସଠିକ୍‌ ସମୟ ବିବରଣୀ ଓ ବସ୍‌ ରୁଟ ନଂ ସୁବିଧା ବସ୍‌ ଷ୍ଟପମାନଙ୍କରେ ଯୋଗାଇ ଦିଆଗଲା ସେ ବାବଦରେ ଶ୍ରୀ ବୋଥ୍ରା କହିଥିଲେ। ସେ ସୂଚନା ଦେଇଥିଲେ ଯେ, ଲକ୍ଷ୍ନୌ, କୋଚି ସହରରେ ମେଟ୍ରୋରେ ପ୍ରତିଦିନ୨୫ହଜାରରୁ ୩୦ ହଜାର ଯାତ୍ରୀ ଯାତାୟାତ କରନ୍ତି। ୧କି.ମି. ମେଟ୍ରୋ ନେଟୱର୍କ ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୁଏ, କିନ୍ତୁ ‘ମୋ ବସ୍‌’ ଚଲାଇବା ପାଇଁ ତାହା ତୁଳନାରେ ଖୁବ୍‌ କମ୍‌ ଖର୍ଚ୍ଚ ହୁଏ ଏବଂ ପ୍ରତ୍ୟେକ ଦିନ ୮୫ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ‘ମୋ ବସ୍‌’ ସେବା ବ୍ୟବହାର କରୁଛନ୍ତି। ତେଣୁ ସିଟିବସ୍‌ ସେବା ହିଁ ମହାନଗରର ଯାନରୁ ଅଙ୍ଗାରକାମ୍ଳ ନିର୍ଗମନ (କାର୍ବନ ଫୁଟ ପ୍ରିଣ୍ଟ) କମ୍‌ କରିବାରେ ସହାୟକ ହେବ। ଏହି ଅବସରରେ ‘ଭୁବନେଶ୍ୱର ଅନ୍‌ ଦ ମୁଭ୍‌ସ୍‌ ଓ ଟୁଲସ୍ ଆଣ୍ଡ ଗାଇଡ ଲାଇନ୍‌ସ ଫର ପବ୍ଲିକ ଟ୍ରାନ୍‌ସ୍‌ପୋର୍ଟ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର