ଫଟୋରେ ‘ମାସାଇ ମାରା’ : ରାଷ୍ଟ୍ରୀୟ ଲଳିତ କଳା ଏକାଡେମିରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ମାଜେଷ୍ଟିକ୍‌ ମାରା’

ଭୁବନେଶ୍ବର : ହିଂସ୍ରଜନ୍ତୁଙ୍କ ଭୂସ୍ବର୍ଗ ଭାବେ ଖ୍ୟାତ କେନିୟାର ‘ମାସାଇ ମାରା’ ଦେଖିବାର ସୁଯୋଗ ଦେଇଛି ରାଷ୍ଟ୍ରୀୟ ଲଳିତ କଳା ଏକାଡେମିରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ମାଜେଷ୍ଟିକ୍‌ ମାରା’। ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ମେଳ ଭିତରେ ‌ନିଜର ଉପସ୍ଥିତିକୁ ଅନୁଭବ କରିବା ପାଇଁ ଅବସର ଆଣିଛି ଏହି ପ୍ରଦର୍ଶନୀ। ଗଜପତି ମହାରାଜ ଦିବ୍ୟସିଂହ ଦେବ କେନିୟାର ମାସାଇ ମାରାରେ କଟାଇଥିବା ୮ଦିନର ଅଭିଜ୍ଞତା ଓ ଅନୁଭବକୁ ନେଇ ପ୍ରସ୍ତୁତ କରିଥିବା ପ୍ରାମାଣିକ ଚିତ୍ର ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା। ଏହି ଗସ୍ତ ସମୟରେ ସାମିଲ୍‌ ଥିବା ପେସାଦାର ଫଟୋଗ୍ରାଫର୍‌ ଆଶିଷ ଧୀର୍‌, ଦିଲ୍ଲୀପ ଧୀର୍‌ ସାମନ୍ତ ଓ ଅମରଜ୍ୟୋତି ସିଂହଦେଓଙ୍କର ମୋଟ୍‌ ୬୬ଟି ଫଟୋ ପ୍ରଦର୍ଶିତ ହୋଇଛି।

ବାଘ, ସିଂହ, ହାତୀ, ହରିଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ପକ୍ଷୀଙ୍କୁ ଲେନ୍‌ସରେ କଏଦ୍‌ କରାଯାଇଥିବା ବେଳେ ବିଶେଷକରି ହିଂସ୍ରଜନ୍ତୁମାନେ ଏକାଠି ସ୍ଥାନାନ୍ତର ହେବାର ଦୃଶ୍ୟ ଚମକ ଭରୁଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଉଦ୍‌ଘାଟନ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ୮ଦିନର ସଫାରି ଅଭିଜ୍ଞତା ମଧ୍ୟରେ ହିଂସ୍ରଜନ୍ତୁଙ୍କୁ ଦେଖିବାକୁ ଯିବାର ପ୍ରତିଟି ଦିନ ଉତ୍ସାହପୂର୍ଣ୍ଣ ଥିଲା। ସେ ଏକଥା ବି କହିଥିଲେ, ଆମେ ଭାବୁ ଯେ ଏ ବିଶ୍ବ ଆମର। ମାତ୍ର ଏକଥା ମନେ ରଖିବା ଉଚିତ୍‌ ଯେ, ଆମେ ଆସିବାର ବହୁ ବର୍ଷ ପୂର୍ବରୁ ଏହି ଜୀବଜନ୍ତୁମାନେ ହିଁ ଏ ପୃଥିବୀ ପୃଷ୍ଠରେ ରହିଆସିଛନ୍ତି। କେନିୟା ହାଇ କମିସନ, ନୂଆଦିଲ୍ଲୀର ହାଇ କମିସନର ୱିଲି କିପ୍‌କୋରିର୍‌ ବେଟ୍‌ ଅତିଥି ଭାବେ ଯୋଗଦେଇ କହିଲେ, କେନିଆ ସହ ଭାରତର ସମ୍ପର୍କ ମଜଭୁତ ରହି ଆସିଛି। ଗୁଜୁରାଟ ସହ ବ୍ୟାବସାୟିକ ସମ୍ପର୍କ ରହିଛି। ତେବେ ମାସାଇ ମାରାର ଆକର୍ଷଣକୁ ଉପଲବ୍ଧି କରିବା ପାଇଁ ପ୍ରତ୍ୟେକ ସେଠାକୁ ଯିବା ଉଚିତ ବୋଲି ସେ କହିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ, ଏହି ପ୍ରଦର୍ଶନୀ କେନିୟା ସହ ସମ୍ପର୍କ ଯୋଗସୂତ୍ରର ଏକ ମାଧ୍ୟମ ହୋଇଛି। ଏଥିସହ ସେ ଓଡ଼ିଶାରେ ବନ୍ୟଜନ୍ତୁ ସଂରକ୍ଷଣର ବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ କେନିୟାବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ବୋଲି କହିଥିଲେ। କେନିୟାର ସାଂସଦ ଡାକ୍ତର ସ୍ବରୂପ ରଂଜନ ମିଶ୍ର କହିଲେ, ଭୌ‌‌‌ଗୋଳିକ ପରିବେଶ, ପ୍ରାକୃତିକ ସମ୍ପଦ, ସଂସ୍କୃତି, ସମୁଦ୍ର ଆଦି ବହୁ କ୍ଷେତ୍ରରେ କେନିୟା ସହ ଓଡ଼ିଶାର ସାମଞ୍ଜସ୍ୟ ରହିଛି। କେନିୟାର ମାସାଇ ମାରା’ରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ବିତାଇଥିବା ୮ଦିନର ଅଭିଜ୍ଞତାକୁ ନେଇ ରଚନା କରିଥିବା ଭ୍ରମଣ ପୁସ୍ତକ ‘ମାଜେଷ୍ଟିକ ମାରା’ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା।

ସଭା ପରେ ଏକାଡେମି ପରିସରରେ ମାସାଇ ‘ଆଦୁମୁ’ ନୃତ୍ୟ ପ୍ରଦର୍ଶନ କରିଥିଲେ କେନିୟାର ସଫାରି ଗାଇଡ୍‌ ଜୋନାଥନ୍‌ ଓ ଏଭାନ୍‌ସ। ଏହି ଫଟୋ ପ୍ରଦର୍ଶନୀ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ। ଫଟୋ ଓ ହିଂସ୍ର ଜନ୍ତୁପ୍ରେମୀ ପୂର୍ବାହ୍ନ ସାଢ଼େ ୧୧ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଏହି ଫଟୋ ଓ ଚଳଚ୍ଚିତ୍ର ପ୍ରଦର୍ଶନୀକୁ ଉପଭୋଗ କରିପାରି‌େବ‌।

ସମ୍ବନ୍ଧିତ ଖବର