ସ୍ବାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେରାର: କାରଣ ଅସ୍ପଷ୍ଟ

ତୁଷୁରା: ସ୍ବାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେରାର। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁର। ମୃତକ ହେଲେ ଦିବ୍ୟସିଂହ ଭୋଇ। ସ୍ବାମୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ତ୍ରୀ ଯଶୋଦା ଭୋଇ ଫେରାର ହୋଇଯାଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଦିବ୍ୟସିଂହ(୩୫) ଓ ତାଙ୍କ ସ୍ତ୍ରୀ ଯଶୋଦା ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଯଶୋଦା ଏକ ଧାରୁଆ ଅସ୍ତ୍ରରେ ଦିବ୍ୟସଂହଙ୍କୁ ହାଣି ହତ୍ୟା କରିଥିଲେ। ଦିବ୍ୟସିଂହଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ। ତେବେ ଘଟଣା ଘଟାଇବା ପରେ ଯଶୋଦା କେଉଁଆଡ଼େ ଚାଲି ଯାଇଥିଲେ।
ଏହାପରେ ଘରଲୋକେ ଦିବ୍ୟସଂହଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିବା ଲାଗି ନେଉଥିଲେ। ହେଲେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥି‌ଲା। ତେବେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଯଶୋଦା ଦିବ୍ୟସଂହଙ୍କୁ ହତ୍ୟା କଲେ ଜଣାପଡ଼ିନାହିଁ। ତେବେ ଯଶୋଦା ଜଣେ ମାନସିକ ବିକୃତ ମହିଳା ବୋଲି ଶୁଣିବାକୁ ମିଳୁଛି। ଏଣେ ଖବର ପାଇ ତୁଷରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି। ଫେରାର ଯଶୋଦାଙ୍କୁ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର