ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପସଂସ୍ଥାଙ୍କୁ ଓଡ଼ିଶାର ଆମନ୍ତ୍ରଣ

ଭୁବନେଶ୍ବର : ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର‌ରେ ପୁଞ୍ଜିନିବେଶ କରିବା ଲାଗି ନିବେଶକମାନଙ୍କୁ ରାଜ୍ୟ ସରକାର ଆହ୍ବାନ ଦେଇଛନ୍ତି। ଆଜି ଇପିକଲ୍‌ ତରଫରୁ ‘ଖାଦ୍ୟ ପ୍ରକ୍ରିୟାକରଣ’ ଉପରେ ଆୟୋଜନ କରାଯାଇଥିବା ଏକ ଆଲୋଚନା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ଏହି କ୍ଷେତ୍ର ହେଉଛି ରାଜ୍ୟର ଏକ ଅଗ୍ରାଧିକାର କ୍ଷେତ୍ର ଏବଂ ଏଠାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ବିପୁଳ ସମ୍ଭାବନା ରହିଛି। ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢ଼ିବାର ସମ୍ଭାବନା ରହିଥିବାରୁ ପୁଞ୍ଜିନିବେଶକାରୀମା‌ନେ ଏଠାରେ ନିବେଶ କଲେ ଲାଭବାନ ହୋଇପାରିବେ। ନିବେଶକାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ରାଜ୍ୟରେ ମତ୍ସ୍ୟ ଚାଷ, ଦାନାଯୁକ୍ତ ଖାଦ୍ୟ, କୁକୁଡ଼ା ଚାଷ, ଫଳ ଓ ପନିପରିବା, ବାଦାମ, ମସଲା, ପ୍ୟାକେଟ୍‌ ଖାଦ୍ୟ, ସମନ୍ବିତ ଫୁଡ୍‌ ପାର୍କ, ଶୀତଳଭଣ୍ଡାର ଏବଂ କୌଶଳ ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ବିପୁଳ ସୁଯୋଗ ରହିଛି ବୋଲି ଏହି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। ୨୦୨୦ ସୁଦ୍ଧା ଦେଶର ଆଗ୍ରୋ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଆକାର ଆମେରିକାର ବଜାର ଠାରୁ ବଡ଼ ହେବାକୁ ଯାଉଥିବାରୁ ଏହି ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରିବାର ପ୍ରାସଙ୍ଗିକତା ରହିଛି। ଏହି ଅବସରରେ ଶିଳ୍ପ ଓ ଏମ୍ଏସ୍‌ଏମ୍ଇ ବିଭାଗର ସଚିବ ହେମନ୍ତ ଶର୍ମା ଓ ଇପିକଲ୍‌ର ପରିଚାଳନା ନିର୍ଦେଶକ ନୀତିନ ଜୱାଲେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର