ରିଜର୍ଭ ବ୍ୟାଙ୍କର ନିର୍ଦେଶ, କାନ୍ଥ, ଚଟାଣ ସହ ଲାଗିରହିବ ଏଟିଏମ୍

ବ୍ୟାଙ୍କଗୁଡ଼ିକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମହଲତ

ମୁମ୍ବାଇ: ଏଟିଏମ୍‌ର ସୁରକ୍ଷା ବଢ଼ାଇବା ପାଇଁ ସେଗୁଡ଼ିକୁ କାନ୍ଥ କିମ୍ବା ଚଟାଣ ସହ ଲଗାଇ ରଖିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି କାମ ଶେଷ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ତେବେ, ସିସିଟିଭି ନିରୀକ୍ଷଣ ଓ ଚବିଶ ଘଣ୍ଟା ନିରାପତ୍ତା ବ୍ୟବସ୍ଥା ରହୁଥିବା ଯଥା ବିମାନ ବନ୍ଦର ଭଳି ସ୍ଥାନରେ ଥିବା ଏଟିଏମ୍‌ଗୁଡ଼ିକରେ ଏଭଳି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି।

ଏଟିଏମ୍‌ ସୁରକ୍ଷା ସହ ଜଡ଼ିତ ଥିବା ସମସ୍ତ ବିଷୟର ସମୀକ୍ଷା କରିବା ପାଇଁ ୨୦୧୬ରେ ଏକ କମିଟି ଗଠନ କରାଯାଇଥିଲା। ମୁଦ୍ରା ସ୍ଥାନାନ୍ତର ଉପରେ ଗଠନ କରାଯାଇଥିବା ସେହି କମିଟି ଯେଉଁ ସୁପାରିସ ପ୍ରଦାନ କରିଥିଲା ତାହାକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ଏହି ନିର୍ଦେଶ ଜାରି କରିଛନ୍ତି। ଏଟିଏମ୍‌ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଏକ ବ୍ୟାପକ ଇ-ନିରୀକ୍ଷଣ ବ୍ୟବସ୍ଥା ବିକଶିତ କରିବାକୁ ସବୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏଟିଏମ୍‌ରୁ ଠିକ୍ ସମୟରେ ଆଲର୍ଟ ଓ ଶୀଘ୍ର ପ୍ରତିକ୍ରିୟା ମିଳିପାରିବ। ଏଟିଏମ୍‌ରେ ନଗଦ ଟଙ୍କା ଭର୍ତି କରିବା ପାଇଁ ଡିଜିଟାଲ୍ ୱାନ୍‌ଟାଇମ୍ କମ୍ବିନେସନ୍‌ (ଓଟିସି) ବ୍ୟବହାର କରିବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଟିଏମ୍‌ ପରିଚାଳନାକୁ ନେଇ ରହିଥିବା ସବୁ ପ୍ରକାର ବିପଦକୁ ଦୂର କରିବା ଏବଂ ଏଟିଏମ୍‌ର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ସବୁ ପଦକ୍ଷେପ ଘୋଷଣା କରିଛନ୍ତି। ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଉପରୁ ଶୁଳ୍କକୁ ହଟାଇ ଦିଆଯାଇଥିଲା। ଡିଜିଟାଲ୍ କାରବାର ପରିମାଣ ବଢ଼ାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କେବଳ ସେତିକି ନୁହେଁ ଏଟିଏମ୍ ବ୍ୟବହାର ଉପରେ ବ୍ୟାଙ୍କଗୁଡ଼ିକ ଯେଉଁ ଶୁଳ୍କ ନେଉଛନ୍ତି ତାହାର ପୁନର୍ବିଚାର କରିବାକୁ ଏକ କମିଟି ଗଠନ କରିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର