୭ ବର୍ଷ ତଳକୁ ଲମ୍ବିଛି ଟିଡିଆର୍‌ ଦୁର୍ନୀତିର ଚେର

ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସର୍ବାଧିକ ଟେଣ୍ଡର ଫିକ୍ସିଂ

କେସିଙ୍ଗା: କଳାହାଣ୍ଡି ଜିଲ୍ଲାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଟେଣ୍ଡର ଫିକ୍ସିଂ ସବୁଠୁ ଅଧିକ ଭବାନୀପାଟଣା ଡିଭିଜନ ଅଧୀନରେ ହେଉଥିବା ଏଠି ଚର୍ଚ୍ଚାର ବିଷୟ ହୋଇଛି। ଏହି ଡିଭିଜନରେ ଗତ ୫- ୭ ବର୍ଷରୁ ଏହିପରି ଫିକ୍ସିଂ ହେଉଥିବା ଅଭିଯୋଗ ହେଉଛି। ଏଥିରେ କିଛି ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥିବାରୁ ଦୁର୍ନୀତି ସଂପୂର୍ଣ୍ଣ ପଦାକୁ ଆସି ପାରୁ ନାହିଁ। ସେହିପରି ଏବେ ଟିଡିଆର୍‌ ଦୁର୍ନୀତି ଗୁମର ଫିଟିବାରେ ଲାଗିଛି। ତେଣୁ କେବଳ ଜଣେ ଠିକାଦାର ନୁହେଁ, ଏପରି ଆଉ ୧୦- ୧୫ ଠିକା ସଂସ୍ଥା ଟିଡିଆର୍‌ ଜାଲିଆତି କରିଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ୨୦୦୯ ମସିହାରୁ ଏହାର ତଦନ୍ତ କରାଗଲେ ଏଭଳି ଅନେକ ଟିଡିଆର୍‌ ଦୁର୍ନୀତି ପଦାକୁ ଆସିବ ବୋଲି ମତ ପ୍ରକାଶ ପାଉଛି। ଏହି ଡିଭିଜନରେ ବହୁ ବର୍ଷରୁ ଠିକା ସଂସ୍ଥାମାନେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାମକୁ ଅଧିକ ଦାମ୍‌ରେ ପକାଉଛନ୍ତି। ହେଲେ ଏହାର ତର୍ଜମା କରାଯାଉ ନଥିବାରୁ ଫିକି୍ସଂ କମିବା ବଦଳରେ ବଢ଼ଇ ଚାଲିଛି।
ଅଭିଯୋଗ ଅନୁସାରେ, ଏବେ ତିନୋଟି ପର୍ଯ୍ୟାୟରେ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ପ୍ରାୟ ୯୦ କୋଟି ଟଙ୍କାର କାମର ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ସ୍କିମ୍‌ର ଟେଣ୍ଡର ପକାଇବା ତାରିଖ ସରି ଯାଇଥିବା ବେଳେ ଅନ୍ୟ ଦୁଇଟି ସ୍କିମ୍‌ର ଟେଣ୍ଡର ତାରିଖ ପାଇଁ କିଛି ଦିନ ଅଛି। କିନ୍ତୁ ଏହି ଟେଣ୍ଡରକୁ ଅଧିକ ଦାମ୍‌ରେ ପକାଇବା ପାଇଁ ଟେଣ୍ଡର ଫିକ୍ସିଂକାରୀମାନେ ବିଭିନ୍ନ ଠିକା ସଂସ୍ଥାକୁ ମୋବାଇଲ୍‌ ଫୋନ୍‌ରେ ଟେଣ୍ଡର ନପକାଇବାକୁ କହୁଥିବା କଥା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ପୁଣି ଏକା ସାଙ୍ଗରେ ଟେଣ୍ଡର ବାହାରିଲେ ବହୁତ ହୋ ହଲ୍ଲା ହେଉଥିବାରୁ ଏହି ଟେଣ୍ଡରକୁ ଭାଗ ଭାଗ କରି ବାହାର କରିବାର ଯୋଜନା କରାଯାଇଛି। ଯେଉଁଥି ପାଇଁ ଏବେ ପ୍ରଥମ ପର୍ଯ୍ୟାୟରେ ଏହି ୯୦ କୋଟି ଟଙ୍କାର ଟେଣ୍ଡର ବାହାରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁ ଠିକା ସଂସ୍ଥାମାନେ ବାରମ୍ବାର ଅଧିକ ମୂଲ୍ୟରେ କାମ ପାଉଛନ୍ତି ସେମାନେ ଏବେ ବି ସଦ୍ୟ ବାହରିଥିବା ଟେଣ୍ଡରରେ କାମ ହତାଇବା ପାଇଁ ଲାଗି ପଡ଼ିଛନ୍ତି।

ବିଭାଗ ଯେଉଁ ଠିକା ସଂସ୍ଥାମାନଙ୍କୁ ବାରମ୍ବାର ସେହି କାଗଜ ପତ୍ରରେ କାମ ଦେଉଛି ତାହାକୁ ତର୍ଜମା ମଧ୍ୟ କରୁ ନାହିଁ। କାମ ପାଉଥିବା ଠିକା ସଂସ୍ଥା କାମ ସମ୍ପାଦନ ନକରିବା ପୂର୍ବରୁ ଆହୁରି କାମ ହତାଉଛି। ବିଭାଗୀୟ ଅଧିକାରୀମାନେ ପ୍ରକୃତ କାଗଜ ପତ୍ରକୁ ତଳ ସ୍ତରରେ ତନଖି ନକରି ଉପର ସ୍ତରର କାଗଜ ପତ୍ରକୁ ଦେଖି ହିଁ ଟେଣ୍ଡର ଫାଇନାଲ କରିଦେଉଛନ୍ତି। ଯାହା ଫଳରେ ଏହି ଦୁର୍ନୀତିର ପରିମାଣ ବଢ଼ିବାରେ ଲାଗିଛି। ଏହି ଟେଣ୍ଡରରେ ସବୁବେଳେ ରାଜନେତା ଠାରୁ ବିଭିନ୍ନ ଅଧିକାରୀଙ୍କର ଭାଗ ବଂଟା ହେଉଥିବାରୁ କେହି ମୁହଁ ଖୋଲୁ ନାହାନ୍ତି। ଗତ ଥର ସମ୍ବାଦରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇବା ପରେ ଏହି ଟେଣ୍ଡର ଫିକ୍ସିଂ ଅନ୍ୟ ଡିଭିଜନରେ ବନ୍ଦ ହୋଇଥିବା ବେଳେ ଭବାନୀପାଟଣା ଡିଭିଜନରେ ହୋଇ ନାହିଁ। ବହୁ ଦିନ ଧରି ଟେଣ୍ଡର ନେଇ ବାଦବିବାଦ ଲାଗି ରହିଥିବା ବେଳେ ଶେଷରେ ଲକ୍ଷଲକ୍ଷ ଟଙ୍କା ଉପରେ ଦିଆଯାଇ ଟେଣ୍ଡର ଫାଇନାଲ କରିଦିଆ ଗଲା।

ଜିଏସଟି ଲାଗୁ ହୋଇ ଟେଣ୍ଡର ବାତିଲ ହେଲେ ବିକାଶ କାମ ପଛେଇ ଯିବ ବୋଲି ଆଳ କରି ଅଧିକାରୀମାନେ ବିବାଦ ସତ୍ତ୍ୱେ ଫାଇନାଲ କରି ଦେଇଥିଲେ। ପ୍ରକାଶଯୋଗ୍ୟ ଯେ ଗତ ଟେଣ୍ଡର ସମୟରେ ଜଣେ ଠିକାଦାର ଗୋଟିଏ ମେସିନର ଜାଲ୍‌ କାଗଜପତ୍ର ଦେଇଥିଲେ। ଅବଶ୍ୟ ବିଲ୍‌ ନଥିବା କଥା ଜଣା ପଡ଼ିବା ପରେ ସେ କାମକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ଯେଉଁ ଟିଡିଆର୍‌ ଜାଲିଆତି କଥା ସାମ୍ନାକୁ ଆସୁଛି ତାହା ୧୦ ବର୍ଷ ତଳୁ ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ସେଥିରେ ଜିଲ୍ଲାର ବହୁ ନାମୀ ଠିକାଦାର ଏପରି କରିଥିବା ସେହି ସୂତ୍ରରୁ ଜଣା ପଡ଼ିଛି। ଖାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ନୁହେଁ ପୂର୍ତ୍ତ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଜଳସେଚନ ବିଭାଗ ଏବଂ ଅନ୍ୟ ସ୍ୱତନ୍ତ୍ର ଯୋଜନାରେ ମଧ୍ୟ ଏହି ଜାଲିଆତି ହୋଇଥିବା ଅଭିଯୋଗ ଉଠିଛି। ୨୦୦୯ ମସିହାରୁ ବିଭିନ୍ନ ବିଭାଗରେ ବିଭିନ୍ନ କାମ ପାଇଁ ଠିକା ସଂସ୍ଥାମାନେ ଦେଇଥିବା ଟିଡିଆର୍‌ର ଯାଞ୍ଚ କଲେ ବହୁ ବଡ଼ବଡ଼ିଆଙ୍କ ମୁଖା ଖୋଲିବ ବୋଲି ଏଠି ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର