କଠୁଆ ଗଣଦୁଷ୍କର୍ମ ଓ ହତ୍ୟା: ଫରେନ୍ସିକ୍‌ ରିପୋର୍ଟରେ ବଳିଷ୍ଠ ପ୍ରମାଣ, ରକ୍ତ ଚିହ୍ନ ଲିଭାଇବାକୁ ପୀଡ଼ିତାର ପୋଷାକ ଧୋଇଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଦେଶବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତମାନେ ନିଜ ବିରୋଧରେ ପ୍ରମାଣ ନଷ୍ଟ କରିବାପାଇଁ ଖୁବ୍‌ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନାହାନ୍ତି। ଦିଲ୍ଲୀ ଫରେନ୍ସିକ୍‌ ଲ୍ୟାବ୍‌ (ଏଫ୍‌ଏସ୍‌ଏଲ୍‌) ରିପୋର୍ଟରୁ ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିଛି । କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟିକୁ ଦିଲ୍ଲୀ ଫରେନ୍ସିକ୍‌ ସାଇନ୍ସ ଲାବୋରେଟୋରିର ରିପୋର୍ଟ ବେଶ୍‌ ସହାୟକ ହୋଇଛି । ସୂଚନାନୁଯାୟୀ ଗଣଦୁଷ୍କର୍ମ ଓ ହତ୍ୟା କରିବାପରେ ଅଭିଯୁକ୍ତମାନଙ୍କ ସହ ପୁଲିସ କର୍ମୀ ନିଜ ବିରୋଧରେ ପ୍ରମାଣ ନଷ୍ଟ କରିବାପାଇଁ ପୀଡ଼ିତାର ପୋଷାକ ଧୋଇ ଦେଇଥିଲେ। ପୀଡ଼ିତା ପିନ୍ଧିଥିବା ଫ୍ରକ୍‌କୁ ତଦନ୍ତ କରୁଥିବା ଏସଆଇଟି ଶ୍ରୀନଗର ଏଫ୍‌ଏସ୍‌ଏଲ୍‌କୁ ପଠାଇ ଥିଲେ ମଧ୍ୟ ଏହା ସଠିକ୍‌ ରିପୋର୍ଟ ଦେଇପାରିନଥିଲା। ପରେ ଏସଆଇଟି ଦିଲ୍ଲୀ ଫରେନ୍ସିକ୍‌ ଲ୍ୟାବ୍‌କୁ ସହାୟତା ପାଇଁ ଅନୁରୋଧ କରିଥିଲା। ଜମ୍ମୁ କଶ୍ମୀର ପୁଲିସ ଡିଜିପି ଦିଲ୍ଲୀ ଗୃହ ମନ୍ତ୍ରାଳୟ ସଚିବଙ୍କୁ ଗତ ଫେବ୍ରୁଆରି ୨୭ ତାରିଖରେ ଡିଏନ୍‌ଏ ସାମ୍ପଲିଙ୍ଗ୍‌ ପାଇଁ ପଠାଇଥିଲା। ଏହାପରେ ଦିଲ୍ଲୀ ଏଫଏସଏଲ ଯାଞ୍ଚ ଦାୟିତ୍ୱ ହାତକୁ ନେଇଥିଲେ। ଦିଲ୍ଲୀ ଏଫଏସଏଲର ବିଶେଷଜ୍ଞ କମିଟି ପୀଡ଼ିତା ପୋଷାକର ଯାଞ୍ଚ କରି ଜାଣିପାରିଛନ୍ତି ଯେ ପୀଡ଼ିତା ପୋଷାକରେ ମାଟି ଦାଗ ଏବଂ ରକ୍ତ ଦାଗ ଲାଗିଥିଲା। ଏହାକୁ ଅଭିଯୁକ୍ତମାନଙ୍କ ରକ୍ତ ନମୁନା ସହ ମିଶାଇ ଫରେନ୍ସିକ୍‌ ଦଳ ସ୍ପଷ୍ଟ କରିଥିଲେ ଯେ ସଞ୍ଜି ରାମ୍‌ ହିଁ ପୀଡ଼ିତାଙ୍କୁ ଆବଦ୍ଧ କରି ରଖିଥିଲେ। ସେହିପରି ପୀଡ଼ିତାର ମର ଶରୀର ଉଦ୍ଧାର ହୋଇଥିବା ସ୍ଥାନରୁ ଉଦ୍ଧାର କରାଯାଇଥିବା କେଶର ଫରେନ୍ସିକ୍‌ ଯାଞ୍ଚ୍‌ ଅଭିଯୁକ୍ତ ଶୁଭମ୍‌ ସାଙ୍ଗ୍ରାଙ୍କ ଡିଏନ୍‌ଏ ପ୍ରୋଫାଇଲ୍‌ ସହ ମିଶିଥିଲା।

ସମ୍ବନ୍ଧିତ ଖବର