ଚକରା ବିଷୋୟୀଙ୍କ ସଂଗ୍ରାମ ଅବିସ୍ମରଣୀୟ

ଭୁବନେଶ୍ବର: ଘୁମୁସର ବିଦ୍ରୋହର ନେତୃତ୍ବ ନେଇ ଚକରା ବିଷୋୟୀ ଜୀବନର ଶେଷ ପର୍ଯ୍ୟନ୍ତ ସାଲିସ୍‌ବିହୀନ ସଂଗ୍ରାମ କରିଥିଲେ। ମାଟି ଓ ଜାତିକୁ ଗଭୀର ଭାବେ ଭଲ ପାଉଥିଲେ। ବ୍ରିଟିସ ସରକାରଙ୍କ ଅତ୍ୟାଚାର ବିରୋଧରେ ବିଦ୍ରୋହ କରିଥିଲେ। ସେ ଥିଲେ ଘୁମୁସର ମାଟିର ସୁଯୋଗ୍ୟ ସନ୍ତାନ। ତାଙ୍କ ତ୍ୟାଗ, ତିତିକ୍ଷା ଓ ନିଃସ୍ବାର୍ଥପରତାର ପଟାନ୍ତର ନାହିଁ। ଗାନ୍ଧୀଜୀଙ୍କ ଭାରତଛାଡ଼ ଆନ୍ଦୋଳନର ଶହେ ବର୍ଷ ପୂର୍ବରୁ ବ୍ରିଟିସ୍‌ ସରକାର ବିରୋଧରେ ତାଙ୍କ ସଂଗ୍ରାମ ଅବିସ୍ମରଣୀୟ ଥିଲା ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଜୟଦେବ ଭବନରେ ଅନୁଷ୍ଠିତ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ ଏହା କହିଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ‌ଦେଇ କହିଲେ, ଚକରା ବିଷୋୟୀ ଆମମାନଙ୍କ ପାଇଁ ଆଦର୍ଶ ପୁରୁଷ। ସିଏ ଇତିହାସ ସମ୍ପର୍କରେ ବହୁ ଭୁଲ୍‌ ଧାରଣ ଦୂର କରିବାକୁ ଉଦ୍ୟମ କରିଥିଲେ। ଯଦି ଆମେ ଅତୀତକୁ ଭଲ ଭାବେ ବୁଝିବା ନାହିଁ, ଲେଖିବା ନାହିଁ, ବୁଝାଇବା ନାହିଁ ତେବେ ଆମେ ଯେତେ ବଡ଼ ହୋଇଥିଲେ ବି ଆମ କଥା କେହି ଜାଣିପାରିବେ ନାହିଁ। ଅତୀତ ସମ୍ପର୍କରେ ଆମେ ବହୁ କଥା କହୁଥିଲେ ମଧ୍ୟ ଏହା ଉପରେ କେହି କେବେ ବିବାଦ କରନ୍ତି ନାହିଁ। କିନ୍ତୁ ଆମ ନିକଟ ଅତୀତ ଭଲ ନୁହେଁ। ନ’ଙ୍କ ଦୁର୍ଭିକ୍ଷ ପରେ ଆମ ଅଣ୍ଟା ଭାଙ୍ଗି ଯାଇଥିଲା। ଦୀର୍ଘବର୍ଷ ଧରି ପରାଧୀନ ରହିଲୁ। ଓଡ଼ିଶା ବିଭକ୍ତ ହୋଇ ରହିଥିଲା, ଭାଷାକୁ ଭୁଲି ଯାଇଥିଲୁ, ସାହିତ୍ୟ ମରି ମରି ଯାଉଥିଲା। କିନ୍ତୁ ଆଜି ଆମେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶରେ ରହୁଛୁ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଚକରା ବିଷୋୟୀଙ୍କ ପରି କେତେଜଣ ମହାପୁରୁଷଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି। ସେ ଇଂରେଜମାନଙ୍କ ପାଖରେ କେବେ ମୁଣ୍ଡ ନୁଆଁଇ ନଥିଲେ। ଆମେ ମଧ୍ୟ ଆମ ଇତିହାସକୁ ଭଲ ଭାବେ ପଢ଼ିବା, ଓଡ଼ିଶା ସ୍ବା‌ଧୀନତା‌ ସମ୍ପର୍କରେ ଜାଣିବା। କଙ୍କଡ଼ା ହୋଇ କାହାର ଗୋଡ଼ ଟାଣିବା ନାହିଁ, ବରଂ ଲଢ଼େଇ କରି ଆଗକୁ ବଢ଼ିବା ବୋଲି ସେ ମତବ୍ୟକ୍ତ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ବାଗତ ଭାଷଣ ଦେଇ ଚକରା ବିଷୋୟୀଙ୍କ ଜୀବନୀ ଓ ବ୍ୟକ୍ତିତ୍ବ ଉପରେ ଆଲୋକପାତ କରିଥିଲେ। ତରୁଣ କଳାକାର ସଂସ୍ଥାର ସଭାପତି ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ପୂର୍ବତନ ସଚିବ ମନ୍ମଥ କୁମାର ଶତପଥୀ ଧନ୍ୟବାଦ ଦେଇଥିବା ବେଳେ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ‘ମୁଁ ଚକରା କହୁଛି’ ନାଟକ ପରିବେଷିତ ହୋଇଥିଲା। ଏହି ଅବସରରେ ନେତାଜୀ ବିଷୋୟୀଙ୍କ ରଚିତ ଚକରା ବିଷୋୟୀଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ ହେବା ସହ ଆନ୍ତଃବିଦ୍ୟାଳୟ ଓ ମହାବିଦ୍ୟାଳୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର