ଗ୍ରହାଣୁଙ୍କ ଗତିବିଧି ଉପରେ ନଜର

ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ। ଏଭଳି ଏକ ଭୟାନକ କଥା ବିଭିନ୍ନ ସମୟରେ ଶୁଣିବାକୁ ମିଳେ। ଲୋକେ ଆତଙ୍କିତ ହୋଇପଡ଼ନ୍ତି। ଲୋକଙ୍କ ମନରେ ପ୍ରଶ୍ନ ଉଠେ, ପ୍ରକୃତରେ କ’ଣ ଏପରି ଘଟିବ? ପୃଥିବୀ କ’ଣ ସତରେ ନଷ୍ଟ ହୋଇଯିବ। ତେଣୁ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ପାଳନ କରିବା ଅବସରରେ ଗ୍ରହାଣୁ ଧକ୍କା ଦ୍ୱାରା ପୃଥିବୀରେ ହେଉଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ଅବଗତ କରାଇଥାନ୍ତି। ଏହି ବିପଦ ସମୟରେ କିପରି ନିଜକୁ ସୁରକ୍ଷା ଦିଆଯିବ, ସେ ବିଷୟରେ ସଚେତନତା ସୃଷ୍ଟି ହିଁ ଏଇ ଦିବସର ମୂଳ ଲକ୍ଷ୍ୟ।

୨୦୧୪ ମସିହାରୁ କିଛି ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ପ୍ରଥମେ ଜୁନ୍‌ ୩୦ ତାରିଖକୁ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରିଥିଲେ। ପରେ ୨୦୧୬ ଡିସେମ୍ବରରେ ଜାତିସଂଘର ସାଧାରଣ ଅଧିବେଶନରେ ଏହାକୁ ଅନୁମୋଦିତ କରାଯାଇଛି। ଆଜିକୁ ଠିକ ୧୧୦ବର୍ଷ ତଳେ ଏହି ଦିନ ରୁଷ୍‌ ସାଇବେରିଆ ଅଞ୍ଚଳର ଥିବା ତୁଙ୍ଗାସ୍କା ନଦୀ ନିକଟରେ ଏକ ଗ୍ରହାଣୁ ଖସିବା ଫଳରେ ସେଠି ପ୍ରାୟ ୨୦୦୦ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ୮ କୋଟିରୁ ଅଧିକ ଗଛ ଓ ପଶୁପକ୍ଷୀ ପୋଡ଼ି ପାଉଁଶ ହୋଇଯାଇଥିଲେ। କିନ୍ତୁ ଏଥିରେ କୌଣସି ମଣିଷ ମୃତାହତ ହୋଇ ନଥିଲେ। ୨୦୦୦ବର୍ଗ କିଲୋମିଟର ଅଞ୍ଚଳ ଏକ ବିରାଟ ଜାଗା ଯାହାକି ଭୁବନେଶ୍ୱର ସହରଠାରୁ ୧୫ଗୁଣ ଓ ମୁମ୍ବାଇ ମହାନଗରଠାରୁ ୩ଗୁଣ। ଯଦି ଏପରି ଗ୍ରହାଣୁ ଆମ ସହରରେ ଖସିବ ତାହା ହେଲେ କେତେ ଲୋକଙ୍କ ପ୍ରାଣ ଯିବ! ଭବିଷ୍ୟତରେ ଏପରି ଘଟଣା ଯେ ନ ଘଟିବ ତାହା କହି ହେବ ନାହିଁ। ତେଣୁ ଏହି ବିଷୟରେ ଭୟଭୀତ ନ ହୋଇ କିପରି ଏହା ଘଟିବ ନାହିଁ ବା ଏହା ପୂର୍ବରୁ କିଭଳି ସୂଚନା ମିଳିବ ସେଥିପାଇଁ ଏବେଠାରୁ ଜ୍ୟୋତିର୍ବିଜ୍ଞାନୀ ଏଭଳି ଗ୍ରହାଣୁମାନଙ୍କୁ ଠାବ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କଲେଣି।

ଆସନ୍ତା ବର୍ଷମାନଙ୍କରେ ନୂଆ ଗ୍ରହାଣୁର ଅନୁସନ୍ଧାନ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ବର୍ଷକୁ ୧ ହଜାର ଜାଗାରେ ଏକ ଲକ୍ଷ ଗ୍ରହାଣୁର ଅନୁସନ୍ଧାନ ପାଇଁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରାଗଲାଣି। ଭାରତର କେତେକ ସଂସ୍ଥା ଓ ବ୍ୟକ୍ତିବିଶେଷ ମଧ୍ୟ ଏଥିରେ ନିଜକୁ ନିୟୋଜିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ହଜାର ପିଣ୍ଡ ଠାବ କରାଯାଇଛି। ଯାହାକି ଭବିଷ୍ୟତରେ ପୃଥିବୀରେ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପିଣ୍ଡଗୁଡ଼ିକୁ ମହାକାଶରେ ଯେପରି ଧ୍ୱଂସ କରାଯାଇ ପାରିବ, ନଚେତ ସେମାନଙ୍କ ଗତିପଥକୁ ବଦାଳାଯାଇ ପାରିବ, ସେନେଇ ବୈଜ୍ଞାନିକମାନେ ପରୀକ୍ଷାନିରୀକ୍ଷା କରୁଛନ୍ତି। ଏହାକୁ ପୃଥିବୀ କକ୍ଷ ପଥରୁ ଦୂରେଇବା ପାଇଁ ଅନେକ ଉପାୟମାନ ଚିନ୍ତା କରାଯାଉଛିି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରିବା ସହ ଏଥିରେ ସାମିଲ୍‌ ହେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର