ରାତିରେ ୩ଘଣ୍ଟାର ରୋଡ୍‌ ସୋ’ : ନବୀନଙ୍କ ଗାଡ଼ି ଆଗରେ ଶୋଭାଯାତ୍ରାରେ ଗଲେ ପ୍ରାର୍ଥୀ

ହଜାର ହଜାର ସମର୍ଥକ ଶଙ୍ଖ ବଜାଇ, ହୁଳହୁଳି ପକାଇ ସ୍ବାଗତ କଲେ, ହାଇୱେରେ ନବୀନଙ୍କ ହାଇଟେକ୍‌ ପ୍ରଚାର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀର ତିନି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତଙ୍କ ପାଇଁ ମାରାଥନ୍ ପ୍ରଚାର କରିଛନ୍ତି। ତିନି ନିର୍ବାଚନ ମଣ୍ଡଳୀରେ ତିନି ଘଣ୍ଟା କାଳ ରୋଡ୍‌ ସୋ’ କରିବା ସହ ବିଭିନ୍ନ ସ୍ଥାନରେ ଭାଷଣ ଦେଇ ଲୋକଙ୍କୁ ବିଜେଡିକୁ ଭୋଟ୍‌ ଦେବାକୁ ଅନୁରୋଧ କରିଛନ୍ତି। ନବୀନଙ୍କ ପ୍ରଚାର ପରେ ପ୍ରାର୍ଥୀ ଓ କର୍ମୀମାନେ ଉତ୍ସାହିତ ହୋଇଯାଇଛନ୍ତି। ବିରୋଧୀ ପ୍ରାର୍ଥୀଙ୍କୁ ମାତ୍‌ ଦେବା ପାଇଁ ଏହି ରୋଡ୍‌ ସୋ’ ମାଷ୍ଟର ‌‌େଷ୍ଟ୍ରାକ୍ ଭଳି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ପାଇଁ ଆଜି ସଂଧ୍ୟାରେ ବିଭିନ୍ନ ଅଞ୍ଚଳରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଚାର ଗାଡ଼ି ପଛରେ ଓ ଆଗରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ଯାଉଥିବାରୁ ପ୍ରମୁଖ ରାସ୍ତାଗୁଡ଼ିକରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ନବୀନଙ୍କ କ୍ରେଜ୍ ଆଗରେ ଆଜି ଯେମିତି ଅନ୍ୟ ଦଳଗୁଡ଼ିକଙ୍କର ପ୍ରଚାର ଫିକା ପଡ଼ିଯାଇଥିଲା।

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍‌ଣ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ବେଗୁନିଆ, ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ରୋଡ୍‌ ସୋ’ କରିବା ପରେ ରାତି ପ୍ରାୟ ୭ଟା ବେଳେ ଏକାମ୍ର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଥିଲେ। ନବୀନ ତାଙ୍କର ହାଇଟେକ୍ ବସ୍‌ରେ ବସି ରୋଡ୍‌ ସୋ’ କରିଥିଲେ। ତାଙ୍କୁ ପାଛୋଟି ନେବାକୁ ହଜାର ହଜାର ସମର୍ଥକ ଆଗରେ ପଛ‌େର ଯାଇଥିଲେ। ମୁଖ୍ୟମନ୍ତ୍ରୀ ତିନି ଘଣ୍ଟାରେ ପ୍ରାୟ ୩୫କିମି ରାସ୍ତାରେ ରୋଡ୍‌ ସୋ’ କରିଥିଲେ।

ନବୀନ ଆଜି ଏକାମ୍ର ଭୁବନେଶ୍ବର ପାଇଁ ଖଣ୍ଡଗିରି ଛକରୁ ରୋଡ୍‌ ସୋ’ରେ ବାହାରିଥିଲେ। ଜାଗମରା ଛକ ହୋଇ ଗଣ୍ଡମୁଣ୍ଡା, ପୋଖରୀପୁଟ ଛକ, ପୋଖରୀପୁଟ ଫ୍ଲାଇ ଓଭର, ଖଣ୍ଡୁଆଳ ମନ୍ଦିର, ଗଣେଶ ମନ୍ଦିର, କ‌େଲଜ ଛକ, ଶଙ୍କର ବଜାର ଛକ, ସୁନ୍ଦରପଦା ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପୁଣି ଜାଗମରା ଛକ ପର୍ଯ୍ୟନ୍ତ ଫେରି ନୀଳକଣ୍ଠେଶ୍ବର ମନ୍ଦିର ଛକ, ସିଟି ଓମେନ୍ସ କଲେଜ ଛକ, ଡେଲ୍‌ଟା ଛକ, ଷ୍ଟିୱାର୍ଟ ସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲେ। ଏହିପରି ପ୍ରାୟ ୧୫କିମିର ରୋଡ୍‌ ସୋ’ କରିଥିଲେ। ପ୍ରଚାର ସମୟରେ ତାଙ୍କ ଗାଡ଼ି ଆଗରେ ଏକାମ୍ର ଭୁବନେଶ୍ବର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରାର୍ଥ ଅରୂପ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଏକ ଗାଡ଼ିରେ ଶୋଭାଯାତ୍ରାରେ ଯାଇଥିଲେ। ପ୍ରାୟ ୧ଘଣ୍ଟା ୧୫ମିନିଟ କାଳ ନବୀନ ଏହି ନିର୍ବାଚନ ମଣ୍ଡଳୀରେ ରୋଡ୍‌ ସୋ’ କରିଥିଲେ। ଏହି ସମୟରେ ଜାଗମରା ଛକ, ଗଣ୍ଡମୁଣ୍ଡା ଛକ, ସୁନ୍ଦରପଦା, ନୀଳକଣ୍ଠେଶ୍ବର ମନ୍ଦିର ଛକ, ଡେଲ୍‌ଟା ଛକରେ ଭାଷଣ ଦେଇଥିଲେ।

ସେହିପରି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ନବୀନ ସିବିଆଇ ଛକରୁ ପ୍ରଚାର ଆରମ୍ଭ କରିଥିଲେ। ୟୁନିଟ-୮ ଡିଏଭି ସ୍କୁଲ ଛକ, ପାୱାର ହାଉସ୍ ଛକ, ୧୨୦ବାଟାଲିୟନ ଛକ, ରେଡକ୍ରସ ଛକ, ସାଇନ୍ସପାର୍କ ଛକ ହୋଇ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଯାଇଥିଲେ। ନବୀନଙ୍କ ପ୍ରଚାର ଗାଡ଼ି ଆଗରେ ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତି ଶୋଭାଯାତ୍ରାରେ ଯାଇଥିଲେ। ପ୍ରାୟ ୮କିମିର ଏହି ରାସ୍ତାକୁ ନବୀନ ୪୫ମିନିଟରେ ଅତିକ୍ରମ କରିଥିଲେ। ରାସ୍ତାର ଦୁଇ କଡ଼ରେ ହଜାର ହଜାର ଲୋକ ହାତ ହଲାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ସିବିଆଇ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ ଏବଂ ଆଚାର୍ଯ୍ୟ ବିହାର ଛକରେ ନବୀନ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଥିଲେ।

ସେହିପରି ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ଆଚାର୍ଯ୍ୟ ବିହାରରୁ ବାହାରିଥିଲା। ପରେ ଆଇଆରସି ଭିଲେଜ, ସାଲିଆ ସାହି ହୋଇ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ଜାଭିୟର ଛକ, ଗ୍ରିଡ୍‌ ଛକ, ଡମଣା, କିଟ୍‌ ଛକ ହୋଇ ରଘୁନାଥପୁର ପର୍ଯ୍ୟନ୍ତ ଯାଇଥିଲେ। ପ୍ରାୟ ୧୨କିମିର ଏହି ରାସ୍ତାକୁ ନବୀନ ୧ଘଣ୍ଟାରେ ଅତିକ୍ରମ କରିଥିଲେ। ନବୀନଙ୍କ ଆଗେଆଗେ ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ, ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଶୋଭାଯାତ୍ରାରେ ଯାଇଥିଲେ। ସେମାନଙ୍କ ସହ ବିଜେଡିର ଭୁବନେଶ୍ବର ସଭାପତି ଅମରେଶ ଜେନା, ଦଳର ସାଧାରଣ ସମ୍ପାଦକ ରବି ସାମଲ, ସହ‌ସଂଯୋଜକ ଦୁର୍ଗା ସାମନ୍ତରାୟ, ସୁବାସ ରାଉତ, କୁନାଲ ରାଉତ, ମୋନାଲିସା ସାହୁ, ସମୀର ପ୍ରଧାନ, ଭାରତୀ ସିଂହ, ପ୍ରେମାନନ୍ଦ ଜେନା ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ। ଏହା ପୂର୍ବରୁ ଜଟଣୀରୁ ପ୍ରଚାର ସାରି ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତଳଖେତା ଛକ ଦେଇ ୧୬ ନମ୍ବର ଜାତୀୟ ରାଜପଥକୁ ଆସିଥିଲା। ତଳଖେତା ଛକରେ ଯାଁଳା, ଗଙ୍ଗପଡ଼ା, ଛତାବର ପଞ୍ଚାୟତରୁ ଶହ ଶହ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ।

ସମ୍ବନ୍ଧିତ ଖବର