ମହିଳାଙ୍କୁ ଅଧିକ ସଶକ୍ତ କରାଯିବ: ନିରଞ୍ଜନ

ମୟୂରଭଞ୍ଜରେ ପ୍ରଚାର ଜୋର୍‌ଦାର୍‌

କରଞ୍ଜିଆ/କରଞ୍ଜିଆ ଗୋଲେଇ : ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କରଞ୍ଜିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ। ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ତାଟୋ ମିନି ଷ୍ଟାଡିୟମରେ ସେ ଅବତରଣ କରିଥିଲେ। ତାଙ୍କ ସହିତ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ଆସିଥିଲେ। ତେବେ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଶ୍ରୀପଟ୍ଟନାୟକ କହିଥିଲେ, ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ରହିଛି। ମାତ୍ର ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା କରି ପାରିଲେ ନାହିଁ। ଖଣି ଖାଦାନ ଲୁଟ୍‌ ହୋଇଗଲା। ବେକାର ଯୁବକଯୁବତୀଙ୍କୁ କର୍ମ ନିଯୁକ୍ତି ମିଳିଲା ନାହିଁ। ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ବିଜେଡି ସରକାର ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ୧୯ ବର୍ଷ ଭିତରେ ୩୮ ଲକ୍ଷ ଯୁବକ ନିଯୁକ୍ତି ପାଇବା କଥା। କିନ୍ତୁ ରାଜ୍ୟରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା ବଢ଼ି ଚାଲିଛି।

ସେ ପୁଣି କହିଥିଲେ, କଂଗ୍ରେସ ସରକାରକୁ ଆସିଲେ, ତୁରନ୍ତ ୨ ଲକ୍ଷ ଯାଏ କୃଷି ଋଣ ଛାଡ଼ କରାଯିବ। ଯଦି କୃଷକ ଋଣ ଶୁଝିଥାଏ, ତେବେ ଅର୍ଥ ତାଙ୍କୁ ଫେରସ୍ତ କରାଯିବ। ଧାନର ସହାୟକ ମୂଲ୍ୟ ୨୬ ଶହ ଟଙ୍କାକୁ ବୃଦ୍ଧି କରାଯିବ। ସମସ୍ତ ଭତ୍ତାକୁ ବୃଦ୍ଧି କରାଯିବ ସହିତ ବେକାର ଯୁବକଯୁବତୀଙ୍କୁ ଭତ୍ତା ଦିଆଯିବ। ପଞ୍ଚାୟତସ୍ତରରେ କର୍ମ ନିଯୁକ୍ତି ମିଳିବା ସହିତ ମହିଳାମାନଙ୍କୁ ଆହୁରି ସଶକ୍ତିକରଣ ଦିଗରେ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସଭାରେ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଦଳର କେନ୍ଦୁଝର ସାଂସଦ ପ୍ରାର୍ଥୀ ମୋହନ କୁମାର ହେମ୍ବ୍ରମ, ଯଶିପୁର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ, କରଞ୍ଜିଆ ବିଧାୟକ ପ୍ରାର୍ଥୀ ସୁଦାମ ଚରଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ପିସିସି ସଦସ୍ୟ ରାଜନ ସାହୁ ସଭା ସଂଚାଳନ କରିଥିବା ବେଳେ ଟାଣୁଆ ନେତା ଭୁବନ ସାହୁଙ୍କ ସମେତ ଅନ୍ୟ ସ୍ଥାନୀୟ ନେତା ସହଯୋଗ କରିଥିଲେ। ପ୍ରାରମ୍ଭରେ ଶ୍ରୀପଟ୍ଟନାୟକଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା।

ସମ୍ବନ୍ଧିତ ଖବର