ହୁଳୁହୁଳିଆ ଘାଟରୁ ରଥଖଳା

0 37

ମହାନଦୀର ଶାଖାନଦୀ କାଠଯୋଡ଼ି ଓ କୁଆଖାଇ ହୋଇ, ଶେଷରେ ଭାର୍ଗବୀ ନଦୀରେ କାଠପଟାଳି ଭାସିଆସି ଯେଉଁଠାରେ ଲାଗୁଥିଲା, ତାହା ‘କାଠପୋଲ’ ନାମରେ ଲୋକମୁଖରେ ପରିଚିତ। କିନ୍ତୁ ପାରମ୍ପରିକ ଭାବରେ ତାହାର ଆଉ ଗୋଟିଏ ନାଆଁ ଥିଲା ‘ହୁଳୁହୁଳିଆ ଘାଟ’। ଶ୍ରୀଜଗନ୍ନାଥଙ୍କ ରଥକାଠ ଯୋଗୁଁ ଏହା ଭାର୍ଗବୀ ନଦୀର ଏକ ପ୍ରସିଦ୍ଧ ଘାଟରେ ପରିଣତ ହୋଇଯାଇଥିଲା ।

ସଦାଶିବ ରଥଶର୍ମାଙ୍କ ‘ରଥସେବାର ବିବରଣୀ’ର କ୍ରମ-୫ ଓ ୬ରେ ଏ ପ୍ରସଙ୍ଗରେ ‘ପଟାଳି ଜଗିଆ’ ଓ ‘କାଠ ଶଗଡ଼ିଆ’ ସେବାର ଉଲ୍ଲେଖ ଅଛି। କିନ୍ତୁ ଅନ୍ୟ ବିବରଣୀରେ ‘ପଟାଳି ଜଗିଆ’ ସେବାର ପ୍ରକାର ଦୃଷ୍ଟିରୁ ଏହାକୁ ‘କାଠଗଣତିଆ’ କୁହାଯାଇଛି। ପୁଣି ‘କାଠଶଗଡ଼ିଆ’ ସେବାକୁ ‘ମଠଶଗଡ଼ିଆ’ ଭାବରେ ମଧ୍ୟ କେତେକ ବିବରଣୀରେ ଉଲ୍ଲେଖ କରାଯାଇଛି। ରଥଶର୍ମାଙ୍କ ବିବରଣୀର କ୍ରମ-୮ରେ ଏହାକୁ ‘କାଠଗଣତିଆ ପାହି ମହାରଣା’ ବୋଲି ମଧ୍ୟ କୁହାଯାଇଛି। ଏହା ସହିତ ‘ପଟାଳି ଗଜନାୟକ’ ନାମରେ ଅନ୍ୟ ଗୋଟିଏ ସେବାର ଉଲ୍ଲେଖ ଅନ୍ୟ ବିବରଣୀରେ ରହିଛି- ଯାହାକୁ ‘ପାଳିଆ ଗଜନାୟକ’ ବୋଲି କେହି କେହି କହିଛନ୍ତି।

ସେବାର କିସମ ଦୃଷ୍ଟିରୁ ଏସବୁକୁ ଏହିପରି ଭାବରେ ସୂଚୀବଦ୍ଧ କରା ଯାଇପାରିବ-
୬. ପଟାଳି ଜଗିଆ ବା କାଠ ଗଣତିଆ: ହୁଳୁହୁଳିଆ ଘାଟଠାରେ କାଠପଟାଳି ଆସି ପହଞ୍ଚିଲେ ଏହି ସେବକ ଛେକ ପକାଇ ତାହାକୁ ଅଟକାନ୍ତି ଏବଂ ‘ରୋକାଦଣ୍ଡା’ରେ ବାନ୍ଧନ୍ତି। ସେହି କାଠକୁ ସେ ଜଗନ୍ତି- ଯେପରି ତାହା ଆଉ ଆଗକୁ ଭାସି ନଯାଏ। ସେହି କାଠକୁ ସେ ଗଣତି କରି କୂଳରେ ଛେକ ମାରି ରଖନ୍ତି। ତେଣୁ ତାଙ୍କୁ ‘କାଠଗଣତିଆ’ ବୋଲି ମଧ୍ୟ କୁହାଯାଉଥିଲା।

୭. ପଟାଳି ଗଜନାୟକ: ବଡ଼ ବଡ଼ ଓ ଓଜନଦାର କାଠଗଣ୍ଡିଗୁଡ଼ିକୁ ଅନେକ ସମୟରେ ନଦୀ ଗର୍ଭରୁ ତଟଦେଶକୁ ଆଣିବା କଷ୍ଟସାଧ୍ୟ ହୁଏ। ତେଣୁ କାୟଶ୍ରମ ଦ୍ଵାରା ତାହା ସମ୍ଭବ ନହେବାରୁ ସେଥିନିମନ୍ତେ ହାତୀମାନଙ୍କୁ ନିୟୋଜିତ କରାଯାଉଥିଲା। ସେଥିରେ ନିଯୁକ୍ତ ସେବକଙ୍କୁ ପଟାଳି ଗଜନାୟକ କୁହାଯାଉଥିଲା।

ପୂର୍ବ ବ୍ୟବସ୍ଥା ଅନୁସାରେ, ସେହିଠାରୁ ହିଁ କାଠଗୁଡ଼ିକୁ ବଡ଼ଦାଣ୍ଡର ରଥଖଳାକୁ ପରିବହନ କରି ଅଣା ହେଉଥିଲା।

୮. କାଠଶଗଡ଼ିଆ ବା ମଠଶଗଡ଼ିଆ: ଶ୍ରୀଜଗନ୍ନାଥଙ୍କ ସେବାପୂଜା ସମେତ ଅନ୍ୟାନ୍ୟ ପର୍ବଉତ୍ସବ ଆଦି ସୁଚାରୁ ରୂପେ ସଂପନ୍ନ ହେବାପାଇଁ ଶ୍ରୀକ୍ଷେତ୍ରରେ ଅନେକଗୁଡ଼ିଏ ମଠ ଗଢ଼ି ଉଠିଥିଲା। ସେହି ମଠମାନଙ୍କ ମଧ୍ୟରୁ ବଡ଼ଓଡ଼ିଆ ମଠ, ଏମାର ମଠ ଓ ରାଘବ ଦାସ ମଠ ଆଦି ରଥକାଠ ପରିବହନରେ ସହାୟତା କରୁଥିଲେ। ମଠର ଶଗଡ଼ିଆମାନଙ୍କୁ ପଠାଇ ସେମାନେ ହୁଳୁହୁଳିଆ ଘାଟଠାରୁ କାଠଗୁଡ଼ିକୁ ପରିବହନ କରି ରଥଖଳାକୁ ଆଣୁଥିଲେ।

କିନ୍ତୁ ଏହି ଘାଟର ନାମ ‘ହୁଳୁହୁଳିଆ’ କାହିଁକି ? ଏ ସଂପର୍କରେ ଜଣାଯାଏ ଯେ ଘାଟ ବା ଘାଟବନ୍ଧଠାରୁ ରଥକାଠଗୁଡ଼ିକୁ ଶଗଡ଼ରେ ବୁହାହୋଇ ଅଣାଯିବାବେଳେ ହରିବୋଲ, ହୁଳହୁଳିରେ ସେହି ସ୍ଥାନ ଉଛୁଳି ଉଠୁଥିଲା। ତେଣୁ ଲୋକମୁଖରେ ତାହା ‘ହୁଳୁହୁଳିଆ ଘାଟ’ ବା ‘ହୁଳୁହୁଳିଆ ବନ୍ଧ’ ଭାବରେ ପ୍ରସିଦ୍ଧ ହୋଇଯାଇଥିଲା। ଏବେ କିନ୍ତୁ ବିଭିନ୍ନ ବନଖଣ୍ଡରୁ ରଥକାଠ ସିଧା ଟ୍ରକ୍‌ ଯୋଗେ ପୁରୀ ବଡ଼ଦାଣ୍ଡର ରଥଖଳାକୁ ଆସୁଛି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.