କିକ୍‌ ବକ୍ସିଂ କଳଙ୍କ: ଦୋଷ ମାନିଲେ; ଖେଳାଳିଙ୍କୁ ବଳି ପକାଇଲେ

ଅନୁଗୁଳ/ଭୁବନେଶ୍ୱର: ଶେଷରେ ଦୋଷ ମାନିଲେ। ପ୍ରତିଯୋଗିତା ନଖେଳି ବଜାରରୁ ପଦକ କିଣି ବିଜେତା ବୋଲି ଦାବି କରିଥିବା କଥା ସ୍ୱୀକାର କଲେ। ହେଲେ ନିଜେ ବର୍ତିବା ଲାଗି ଖେଳାଳିଙ୍କୁ ବଳି ପକାଇ ଦେଲେ। ଗତ ପାଞ୍ଚ ଦିନ ହେବ ଚୁପ୍‌ ରହିଥିବା ଓ୍ଵାକୋ ଓଡ଼ିଶା ସଭାପତି ତଥା କିକ୍‌ ବକ୍ସିଂର ଜଣାଶୁଣା ପ୍ରଶିକ୍ଷକ କାର୍ତ୍ତିକ ଡାକୁଆ ଶେଷରେ ମୁହଁ ଖୋଲିଛନ୍ତି। ‘ସମ୍ବାଦ’ରେ ଲଗାତାର କିକ୍‌ ବକ୍ସିଂ କେଳେଙ୍କାରୀ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଆଜି ପ୍ରଥମଥର ପାଇଁ ଶ୍ରୀ ଡାକୁଆ ଅନୁଗୁଳରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସଫେଇ ଦେଇଛନ୍ତି। ଜାଲିଆତି ହୋଇଥିବା କଥା ସ୍ୱୀକାର କରିଥିଲେ ବି ନିଜକୁ ବଞ୍ଚାଇବା ପାଇଁ ସବୁତକ ଦୋଷ ସେ ଖେଳାଳିଙ୍କ ଉପରେ ଲଦି ଦେଇଛନ୍ତି। କହିଛନ୍ତି, ତାଙ୍କ ଅଜାଣତରେ ବୀରେନ୍‌ କୁମାର ଦାସ, ଜିତେନ୍ଦ୍ର କୁମାର ରାଉତ ଏବଂ ସତ୍ୟପ୍ରିୟ ପାତ୍ର ଏଭଳି ଜାଲିଆତି କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯାଇ ନକଲି ପଦକ ଧରି ଫଟୋ ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବି ପ୍ରଚାର କରିଛନ୍ତି। ତେଣୁ ଏହି ତିନି ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ଆସନ୍ତା ତିନି ବର୍ଷ ପାଇଁ ନିଲମ୍ବିତ କରାଯାଇଥିବା ଶ୍ରୀ ଡାକୁଆ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ମୁଁ ଏକାକି ଭାରତୀୟ ଖେଳାଳିଙ୍କ ସହିତ ହଙ୍ଗେରି ଯାଇଥିଲି। ଦିଲ୍ଲୀରେ ବୀରେନ୍‌, ଜିତେନ୍ଦ୍ର, ସତ୍ୟଜିତ୍‌ ଏବଂ ପାର୍ଥସାରଥୀ ରହିଥିଲେ। ପରବର୍ତ୍ତୀ ସମୟରେ ପାର୍ଥସାରଥୀ ଘରକୁ ପଳାଇ ଆସିଥିଲେ। କିନ୍ତୁ ବୀରେନ୍‌, ଜିତେନ୍ଦ୍ର, ସତ୍ୟଜିତ୍‌ ଦିଲ୍ଲୀରେ ରହିଥିଲେ। ସାନଭାଇ କୃଷ୍ଣଚନ୍ଦ୍ର ଡାକୁଆ ବି ତାଙ୍କ ସହିତ ରହିଥିଲେ। ସେମାନେ ଦିଲ୍ଲୀରେ ହିଁ ବଜାରରୁ ପଦକ କିଣି ଫଟୋ ଉଠାଇଥିଲେ ଏବଂ ଫଟୋସପ୍‌ ସପ୍ଟଓ୍ଵୟ୍ଵାର୍‌ରେ ତାହାକୁ ବୁଦାପେଷ୍ଟ୍‍ ପ୍ରତିଯୋଗିତା ସ୍ୱର୍ଣ୍ଣ ଜିତିଥିବା ଦେଖାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ପରବର୍ତୀ ସମୟରେ ସେମାନେ ସାନଭାଇ ସହିତ ନକଲି ପଦକ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଯାଇ ସାବାସି ସାଉଁଟିଥିଲେ। ଦିଲ୍ଲୀ ଫେରିବା ପରେ ଏଭଳି ଘଟଣା ସଂପର୍କରେ ମୁଁ ଜାଣିଲି ବୋଲି ଶ୍ରୀ ଡାକୁଆ ସଫେଇ ଦେଇଛନ୍ତି।

କିନ୍ତୁ ଗଣମାଧ୍ୟମରେ ଏ ସଂପର୍କରେ ଗତ ୨୦ ତାରିଖରୁ ଖବର ପ୍ରସାରଣ ହେଉଥିବା ବେଳେ ଓ୍ଵାକୋ ଏ ସଂପର୍କରେ କୌଣସି ସ୍ପଷ୍ଟୀକରଣ ନଦେଇ କାହିଁକି ଏତେ ଦିନ ଚୁପ୍‌ ବସିଥିଲା ପ୍ରଶ୍ନ ଉପରେ ଶ୍ରୀ ଡାକୁଆ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି। ପ୍ରସଙ୍ଗକୁ ଗୋଳେଇବାକୁ ଉଦ୍ୟମ କରି ସେ କହିଛନ୍ତି, ସଂଗଠନର ବୋର୍ଡ ବୈଠକ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଥିବା ସଭାପତି/ସଂପାଦକଙ୍କୁ ଡକାଯାଇଥିଲା। ସେମାନେ ଆସିବା ପରେ ବୁଧବାର ନାଲ୍‌କୋନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବୈଠକ ହେଲା ଏବଂ ତିନି ଖେଳାଳିଙ୍କୁ ସର୍ବସମ୍ମତିକ୍ରମେ ନିଲମ୍ବିତ କରାଗଲା। ବୋର୍ଡ ବୈଠକ ବସିବା ବିଳମ୍ବ ହେବାରୁ ଗଣମାଧ୍ୟମକୁ ତୁରନ୍ତ ସ୍ପଷ୍ଟୀକରଣ ଦିଆଯାଇପାରିଲା ନାହିଁ ବୋଲି ଶ୍ରୀ ଡାକୁଆ କହିଛନ୍ତି। କେମିତି ଓ କିପରି ଜାଲିଆତି କରାଯାଇଥିଲା ତା’ର ପୂରା ବିବରଣୀ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟତମ ନିଲମ୍ବିତ ଖେଳାଳି ବୀରେନ ଦେଇଥିଲେ। ଆମେ ସବୁ କରିଛୁ, ସାର୍‌ କିଛି କରି ନାହାନ୍ତି ବୋଲି ସେ କହିଥିଲେ। ହେଲେ ‘ସମ୍ବାଦ’ ପ୍ରତିନଧିଙ୍କ ପ୍ରଶ୍ନବାଣରେ ଘାଇଲା ହୋଇ ପରେ ଡାହା ମିଛ କହୁଥିବା ସ୍ୱୀକାର କରି ନେଇଥିଲେ। କାର୍ତିକ ସବୁକିଛି ଜାଣିଥିଲେ ବୋଲି ସେ ବି ଶେଷରେ ସ୍ୱୀକାର କରିଥିଲେ। ସାନଭାଇ କୃଷ୍ଣଚନ୍ଦ୍ର ଏହି ଜାଲିଆତି ଘଟଣାରେ ସଂପୃକ୍ତି ଥିବା ମାନିଥିଲେ ବି ତାଙ୍କ ବିରୋଧରେ ତିନି ଖେଳାଳିଙ୍କ ଭଳି କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ପ୍ରଶ୍ନରେ ଶ୍ରୀ ଡାକୁଆ କହିଛନ୍ତି ବୋର୍ଡ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହେବ। ଏହି ସମ୍ମିଳନୀରେ ଓ୍ଵାକୋ ଓଡ଼ିଶାର ସାଧାରଣ ସଂପାଦକ ଯଯାତି କେଶରୀ ଧଳ, ସହ ସଂପାଦକ ବିଚିତ୍ର ନାରାୟଣ ଜେନା, କାର୍ଯ୍ୟନିର୍ବାହୀ ସଭ୍ୟ ସନ୍ଦୀପ କୁମାର ଖେସ୍‌, ଆୟୋଜକ ସମ୍ପାଦକ କୃଷ୍ଣଚନ୍ଦ୍ର ଡାକୁଆ, ସଂଜୟ କୁମାର ସାହୁ, ଖେଳାଳି ବୀରେନ୍‌ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପଦାକୁ ଆସିଲା କାର୍ତିକଙ୍କ ଅଡିଓ ଟେପ୍‌
ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ନିଜକୁ ସଂପୂର୍ଣ୍ଣ ନିର୍ଦୋଷ ବୋଲି ଦାବି କରିଥିବା ଆମେଚର କିକ୍‌ ବକ୍ସିଂ ସଂଘ ଓଡ଼ିଶାର ସଭାପତି କାର୍ତିକ ଡାକୁଆଙ୍କ ମୁଖା ପୂରା ଖୋଲି ଯାଇଛି। ପିଲାଙ୍କ ଲାଗି ନକଲି ପଦକ ପ୍ରସ୍ତୁତ କରାଯାଇଥିବା ସେ ନିଜେ ଏକ ଅଡିଓ ଟେପ୍‌ରେ ସ୍ୱୀକାର କରିଛନ୍ତି। ୫୮ ସେକେଣ୍ଡ୍‌ର ଏହି ଅଡିଓ ଟେପ୍‌ ‘ସମ୍ବାଦ’ର ହସ୍ତଗତ ହୋଇଛି। ଟେପ୍‌ରେ କାର୍ତିକ ଅନ୍ୟ ଜଣେ କିକ୍‌ ବକ୍ସିଂ ଖେଳାଳିଙ୍କ ସହ ବଡ଼ ଅରାମରେ ଜାଲିଆତିର ବିବରଣୀ ଦେଉଛନ୍ତି। ଏଥିରେ ସତ୍ୟପ୍ରିୟ, ଜିତେନ୍ଦ୍ର ଏବଂ ବୀରେନଙ୍କ ପାଇଁ ସ୍ୱର୍ଣ୍ଣ ପଦକ କରାଯାଇଛି ଏବଂ ଏଥିଲାଗି ଆବଶ୍ୟକ କାଗଜପତ୍ର ମଧ୍ୟ ପ୍ରସ୍ତୁତ ହୋଇ ସାରିଥିବା କାର୍ତିକ ନିଜେ କହୁଥିବା ସ୍ପଷ୍ଟ ଶୁଣାଯାଉଛି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ସମୟ ନିଆ ଯାଇ ସାରିଛି ଓ ଆମେ ତାଙ୍କ ପାଖକୁ ପିଲାଙ୍କୁ ନେଇ ଯାଉଛୁ ବୋଲି କାର୍ତିକ ସଂପୃକ୍ତ ଖେଳାଳିଙ୍କୁ କହୁଥିବା ଟେପ୍‌ରେ ଶୁଣାଯାଉଛି। ଯାହା ଏବେ ଆଲୋଡ଼ନ ସୃଷ୍ଟି କରିଛି।

କୁଆଡ଼େ ଗଲା ୫ ଲକ୍ଷ ୮୫ ହଜାର

ହଙ୍ଗେରି ବିଶ୍ୱ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ଚାରି ଜଣ ଖେଳାଳିଙ୍କ ମଧ୍ୟରୁ ତିନି ଜଣ ସତ୍ୟପ୍ରିୟ ପାତ୍ର, ବୀରେନ୍‌ ଦାସ୍‌ ଏବଂ ଜିତେନ୍ଦ୍ରେ ରାଉତ ପ୍ରତ୍ୟେକ ୧ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ଅନ୍ୟ ଜଣେ ଖେଳାଳି ପାର୍ଥ ସାରଥୀ ଦାସ ୧ ଲକ୍ଷ ୬୫ ହଜାର ଟଙ୍କା ଦେଇଥିଲେ। ଏମାନେ ସମସ୍ତେ ଏହି ଟଙ୍କା ଓ୍ଵାକୋ ଓଡ଼ିଶାର ସଭାପତି କାର୍ତିକ ଡାକୁଆଙ୍କ ଏସବିଆଇ ଅନୁଗଳ ଶଖାରେ ଥିବା ଆକାଉଣ୍ଟରେ ଜମା କରିଥିଲେ। ପିଲାମାନେ ହଙ୍ଗେରି ଯାଇ ନଥିବାରୁ ଏହି ଟଙ୍କା କୁଆଡ଼େ ଗଲା ଏବଂ କ’ଣ ହେଲା ତା’ର ହିସାବ ନାହିଁ। ପିଲାମାନେ ସେମାନଙ୍କ ଟଙ୍କା କେମିତି ଫେରି ପାଇବେ ତା’ର କୌଣସି ସୂଚନା ଓ୍ଵାକୋ ଓଡ଼ିଶା ପକ୍ଷରୁ ମଧ୍ୟ ଦିଆ ଯାଇ ନାହିଁ। ସେପଟେ ସର୍ବ ଭାରତୀୟ ସଂଘ କିଛି ଅର୍ଥ ଫେରାଇବ ବୋଲି ଖେଳାଳିଙ୍କ ପାଖକୁ ଇ-ମେଲ୍‌ ଦେଇଥିବାର ସୂଚନା ମିଳିଛି। ହେଲେ ଏହି ଇ-ମେଲ୍‌ରେ ଖେଳାଳିମାନେ କେତେ ଟଙ୍କା ଫେରି ପାଇବେ ତାହା ସ୍ପଷ୍ଟ କରାଯାଇ ନାହିଁ। ଅତୀତରେ ମଧ୍ୟ ଏଭଳି ଅନେକ ଖେଳାଳି ଟଙ୍କା ଦେଇ ଆଉ ଫେରି ପାଇ ନାହାନ୍ତି। ଏଣୁ ନିଲମ୍ବିତ ହୋଇଥିବା ତିନି ଜଣ ଯାକ ଖେଳାଳି ଧାର ଉଧାର କରି କାର୍ତିକଙ୍କୁ ଦେଇଥିବା ଟଙ୍କା କେମିତି ଫେରିପାଇବେ ତା’ର ବ୍ୟବସ୍ଥା କରିବାକୁ କ୍ରୀଡ଼ାପ୍ରେମୀ ଓ୍ଵାକୋ ଓଡ଼ିଶା ସଂପାଦକ ଯଯାତି କେଶରୀ ଧଳଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ଖେଳାଳିମାନେ ଡାକୁଆ ତାଙ୍କ ସହ ଚଞ୍ଚକତା କରିଥିବା ଅଭିଯୋଗକୁ ପୁଣି ଦୋହରାଇଛନ୍ତି। ଆମକୁ ପକ୍ଷ ରଖିବାର ସୁଯୋଗ ଦିଆଗଲାନି। କୌଣସି ସୂଚନା ଦିଆ ନଯାଇ ସିଧାସଳଖ ନିଲମ୍ବନ କରାଗଲା। ଏବେ ଆମ ପଇସା ଆମେ କେମିତି ଫେରି ପାଇବୁ ତାହା ଜାଣି ପାରୁନୁ ବୋଲି ସତ୍ୟପ୍ରିୟ ଏବଂ ଜିତେନ୍ଦ୍ର କହିଛନ୍ତି।

କ୍ରୀଡ଼ା ବିଭାଗ ଦାୟର କରିବ ଏତଲା

କିକ୍‌ ବକ୍ସିଂ କେଳେଙ୍କାରୀରେ ସଂପୃକ୍ତ ଥିବା ଆମେଚର କିକ୍‌ ବକ୍ସିଂ ସଂଘ ବା ଓ୍ଵାକୋ ଓଡ଼ିଶା କର୍ମକର୍ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି। କ୍ରୀଡ଼ା ବିଭାଗ ଏହି ମାମଲରେ ଫୌଜଦାରି ମାମଲା ଦାୟର କରିବ। ପୁଲିସ ଏହାର ତଦନ୍ତ କରିବ। ତଦନ୍ତ ରିପୋର୍ଟରେ ଯାହା ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା ଆଜି କହିଛନ୍ତି। ସେହିଭଳି ପଦକ ଜାଲିଆତି ରୋକିବା ଲାଗି ନୂଆ ନୀତି ପ୍ରଣୟନ ଲାଗି ଚିନ୍ତା କରାଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଖେଳାଳିମାନେ ଯେମିତି ଅର୍ଥ ଲୋଭି କର୍ମକର୍ତାଙ୍କ ଦ୍ୱାରା ଶୋଷିତ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ମଧ୍ୟ ସେ ମତ ରଖିଛନ୍ତି। ଓଡ଼ିଶା କ୍ରୀଡ଼ାର ହିତ ଦୃଷ୍ଟିରୁ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କ୍ରୀଡ଼ା ବିଶେଷଜ୍ଞ ଏବଂ ସଂଗଠକମାନେ କ୍ରୀଡ଼ାମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର