ଭୁବନେଶ୍ୱର : ନଅଙ୍କ ଦୁର୍ଭିକ୍ଷର ଭୟାବହ ଦୃଶ୍ୟ ହେଉ ଅବା ତତ୍କାଳୀନ ସମୟରେ ଖାଦ୍ୟାଭାବ ଜନିତ ଦୀନହୀନ ଅବସ୍ଥା। ୧୮୬୬ ମସିହାର ସେଇ କରୁଣ ଅବିସ୍ମୃତ ମୁହୂର୍ତର ପ୍ରାମାଣିକ ଚିତ୍ର ଓ ଖବରକୁ ନେଇ ଆଜି ରାଜ୍ୟ ଅଭିଲେଖାଗାରରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଟାକ୍ ଏବଂ ରାଜ୍ୟ ଅଭିଲେଖାଗାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରି କହିଲେ, ଓଡ଼ିଶାର ଏହି ବିରଳ ଘଟଣା ଇତିହାସର କେଉଁ ଏକ କୋଣକୁ ଠେଲି ହୋଇଯାଇଥାଏ ସତ, କିନ୍ତୁ ଏହା ଯେ ଓଡ଼ିଆମାନଙ୍କୁ ପରବର୍ତୀ ମୁହୂର୍ତରେ ସଚେତନ କରିଛି ତାହା ଅସ୍ୱୀକାର କରାଯାଇନପାରେ। ଇନ୍ଟାକ୍ର ଆବାହକ ଏସ୍କେବି ନାରାୟଣ କହିଲେ, ୧୫୦ ବର୍ଷ ତଳର ଏହି ଘଟଣା ଭିତ୍ତିକ ଫଟୋଚିତ୍ରକୁ ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ମଧ୍ୟ ପ୍ରଦର୍ଶିତ କରାଯିବ। ପ୍ରଦର୍ଶନୀର ଅଧୀକ୍ଷକ ଅନୀଲ ଧୀର୍ କହିଲେ, ନଅଙ୍କ ଦୁର୍ଭିକ୍ଷ ବିଧାତା କୃତ କି ପ୍ରକୃତି କୃତ ନଥିଲା। ବରଂ ବାରମ୍ବାର ଭୁଲ୍ର ଏହା ଏକ କୁପରିଣତି ଥିଲା। ସଂପ୍ରତି ଜନସାଧାରଣ ନିଶ୍ଚିତ ଭାବେ ଏ ବାବଦରେ ଅବଗତ ରହିବା ସହ ସ୍ମୃତିଚାରଣ କରିବା ଉଚିତ ବୋଲି ସେ କହିଥିଲେ।
ପିପିଲି ସାଂସ୍କୃତିକ ପରିଷଦର ଆବାହକ ରମେଶ ମହାପାତ୍ର ଉପସ୍ଥିତ ରହି ନଅଙ୍କ ଦୁର୍ଭିକ୍ଷରେ ମୃତାହତଙ୍କ ସ୍ମୃତିରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଇନ୍ଟାକ୍ର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ କହିଥିଲେ, ନଅଙ୍କ ଦୁର୍ଭିକ୍ଷ ଏବଂ ଦୁର୍ଭିକ୍ଷ ପରର ବାସ୍ତବ ଇତିହାସ ଲେଖାଯିବା ଉଚିତ। ପ୍ରଦର୍ଶନୀରେ ପ୍ରଦର୍ଶିତ ସମ୍ବାଦପତ୍ରର ରିପୋର୍ଟଗୁଡ଼ିକରେ ଚକିତ କରିବା ଭଳି ତଥ୍ୟ ରହିଛି। ବ୍ରିଟିସ ପାର୍ଲାମେଣ୍ଟାରି ଡିବେଟ୍ସ, ଦି ଫେମିନ୍ କମିସନ ରିପୋର୍ଟ ଏବଂ ତତ୍କାଳୀନ ସମସାମୟିକ ଲେଖାରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ରହିଥିବାରୁ ଏଗୁଡ଼ିକୁ ନେଇ ନଅଙ୍କ ଦୁର୍ଭିକ୍ଷର ଇତିହାସକୁ ପୁନଃ ରଚନା କରାଯିବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ ସମ୍ବାଦପତ୍ର ସଂଗ୍ରହରେ ଲିମ୍କା ବୁକ୍ ରେକର୍ଡ ବିଜେତା ଶଶାଙ୍କ ଶେଖର ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ପ୍ରଦର୍ଶନୀ ଆସନ୍ତା ଏପ୍ରିଲ୍ ୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।