ଅରୁଣାଚଳ ପ୍ରଦେଶ ସରକାର ପର୍ଯ୍ୟଟକ ସଂଖ୍ୟା ବଢ଼େଇବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବା ଓ ତାଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅରୁଣାଚଳ ପ୍ରଦେଶକୁ ଦୁଃସାହସିକ କ୍ରୀଡା ଓ ରୋମାଞ୍ଚକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏକ ଭଲ ଭ୍ରମଣସ୍ଥଳୀ।
କେନ୍ଦ୍ର ସରକାର ପର୍ଯ୍ୟଟନର ପ୍ରସାର ଉଦ୍ଦେଶ୍ୟରେ ସଂରକ୍ଷିତ କ୍ଷେତ୍ରମାନଙ୍କରେ ଯେଉଁଠି ପ୍ରବେଶ ପାଇଁ ଅନୁମତି ନେବାର ନିୟମ ଅଛି ତାହା ବର୍ତ୍ତମାନ ବଦଳାଇବାକୁ ବିଚାର କରୁଛନ୍ତି। ସୂଚନା ଅନୁସାରେ ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଅରୁଣାଚଳ ପ୍ରଦେଶ ପ୍ରଥମେ ଏହି ସୁଯୋଗ ପାଇବ। ଏହା ସହ ସରକାର ଜମ୍ମୁ-କଶ୍ମୀରସ୍ଥିତ ଲଦାଖରେ ମଧ୍ୟ ଏହି ସୁଯୋଗ ଦେବାର ଯୋଜନା ତିଆରି କରୁଛନ୍ତି।
ଅରୁଣାଚଳ ପ୍ରଦେଶ ଭାରତର ଏକ ସବୁଜିମା ଘେରା ପ୍ରାକୃତିକ ପରିବେଶର ସମ୍ଭାର ଥିବା ରାଜ୍ୟ। ଏହାର ରାଜଧାନୀ ଇଟାନଗରରେ ଅବସ୍ଥିତ। ଏହି ରାଜ୍ୟର କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସଂପର୍କରେ ସଂକ୍ଷିପ୍ତ ସୂଚନା….
ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଜବାହାରଲାଲ ନେହେରୁ ରାଜ୍ୟ ସଂଗ୍ରହାଳୟ ଓ ଗଙ୍ଗାହ୍ରଦ ପର୍ଯ୍ୟଟକମାନଙ୍କ ପାଇଁ ସବୁଠୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ।
ତାଓ୍ଵଙ୍ଗ୍: ଦଲାଇଲାମାଙ୍କ ଜନ୍ମସ୍ଥାନ ହେଉଛି ତାଓ୍ଵାଙ୍ଗ। ପ୍ରାୟ ଚାରିଶହ ବର୍ଷ ପୁରୁଣା ଏହି ସହରରେ ବୌଦ୍ଧ ଧର୍ମର ଅନେକ ପୀଠ ଦେଖିବାକୁ ମିଳେ। ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ଏହା ଏକ ପବିତ୍ର ସ୍ଥାନ।
ପର୍ଶୁରାମ କୁଣ୍ଡ: ପୁରାଣ ଅନୁଯାୟୀ ଏଠାରେ ଭଗବାନ ପର୍ଶୁରାମ ମାତୃହତ୍ୟା କରିବା ପରେ, ଏଠାରେ ଥିବା ଲୋହିତ ନଦୀର ଏକ କୁଣ୍ଡରେ ନିଜର ପାପ ଧୋଇ ଥିଲେ। ସେହି ଦିନ ଠାରୁ ଏହାର ନାମକରଣ କରାଯାଇଛି ପର୍ଶୁରାମ କୁଣ୍ଡ। ଏଠାରେ ପ୍ରତିବର୍ଷ ଜାନୁଆରି ମାସରେ ଏକ ବୃହତ୍ ମେଳା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ଲକ୍ଷଲକ୍ଷ ସଂଖ୍ୟକ ଲୋକ ଯୋଗ ଦିଅନ୍ତି।
ଭୀଷ୍ମକ ନଗର: ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭୀଷ୍ମକ ରାଜାଙ୍କ ଠାରୁ ତାଙ୍କ କନ୍ୟା ରୁକ୍ମିଣୀଙ୍କୁ ଅପହରଣ କରି ବିବାହ କରିଥିଲେ ବୋଲି ବର୍ଣ୍ଣିତ ଅଛି। ଏହି ଅଞ୍ଚଳ ସେହି ଭୀଷ୍ମକ ରାଜାଙ୍କର ନଗରୀ ଥିଲା ବୋଲି ବିଶ୍ୱାସ କରାଯାଏ। ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ଭୀଷ୍ମକ ନଗର ହୋଇଛି। ଏଠାରେ ପୁରୁଣା ରାଜଉଆସ ଓ କେତେକ ମନ୍ଦିର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ।
ଆକଶୀ ଗଙ୍ଗା: ଭଗବାନ ଶିବ ପାର୍ବତୀଙ୍କ ଶବକୁ ଧରି ଯାଉଥିବା ବେଳେ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସେହି ଶବକୁ କାଟି ଦେଇଥିଲେ। ଏହି ଶବର କେତେକ ଅଂଶ ଭିନ୍ନଭିନ୍ନ ସ୍ଥାନରେ ପଡ଼ିଥିଲା। ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆକାଶୀ ଗଙ୍ଗାରେ ମଧ୍ୟ ମାତା ପାର୍ବତୀଙ୍କ ଶରୀରର କିଛି ଅଂଶ ପଡ଼ିଥିବା ବିଶ୍ୱାସ କରାଯାଏ। ଏହି ଅଞ୍ଚଳ ମଧ୍ୟ ବେଶ୍ ପ୍ରାଚୀନ ବୋଲି କୁହାଯାଏ।
ଜାଇରୋ: ଏହା ଅପତନି ଉପତ୍ୟକା ଭାବେ ମଧ୍ୟ ଖ୍ୟାତ। ଏଠାରେ କେତେକ ମନୋରମ ପର୍ବତ ଓ ଫଳ ବଗିଚା ରହିଛି, ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଭାଲୁକାପଙ୍ଗ୍: ଅରୁଣାଚଳ ପ୍ରଦେଶର ଅନ୍ୟ ଏକ ମନୋରମ ପ୍ରାକୃତିକ ସ୍ଥଳ ହେଲା ଭାଲୁକାପଙ୍ଗ୍। ଏଠାରେ ଥିବା ପାଖରେ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ।
ଅନିନି: ଏହା ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ। ଏହା ଏକ ଐତିହାସିକ ସ୍ଥଳ ଭାବେ ବିଖ୍ୟାତ।