ନୂଆଦିଲ୍ଲୀ: ୩ କୋଟି ଟଙ୍କାର ଲାଞ୍ଚ ମାମଲାରେ ଛନ୍ଦି ହୋଇପଡ଼ିଥିବା ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ଅନ୍ତରୀଣ ଆଶ୍ବସ୍ତି ମିଳିଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲାଞ୍ଚ ମାମଲାରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୯ ତାରିଖ (ସୋମବାର)ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ସିବିଆଇ ଡିଏସ୍ପି ଦେବେନ୍ଦ୍ର କୁମାର ୭ ଦିନ ପାଇଁ ସିବିଆଇ ହାଜତରେ ରହିବେ ବୋଲି ସିବିଆଇ ସ୍ବତନ୍ତ୍ର ବିଚାରପତି ସନ୍ତୋଷ ସ୍ନେହି ମନ୍ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ରାକେଶ ଅସ୍ଥାନାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯେଉଁ ଅଭିଯୋଗ ଆଣିଛି, ତା’ ବାବଦରେ ଅେକ୍ଟାବର ୨୯ ତାରିଖରେ ଜବାବ ଦାଖଲ କରିବାକୁ ହେବ। ସେ ପର୍ଯ୍ୟନ୍ତ ଅସ୍ଥାନାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଲାଞ୍ଚ ମାମଲାରେ ସିବିଆଇ ଅଧିକାରୀ ଦେବେନ୍ଦ୍ର କୁମାରଙ୍କୁ ଗତକାଲି ଗିରଫ କରାଯିବା ପରେ ଅସ୍ଥାନା ନିଜ ଗିରଫଦାରିକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ହୋଇଥିବା ଏତଲାକୁ ପ୍ରତ୍ୟାହାର ପାଇଁ ମଧ୍ୟ େସ ଆବେଦନ କରିଥିଲେ। ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେବା ସହିତ ୨୯ ତାରିଖ ପର୍ଯ୍ୟନ୍ତ ସାମୟିକ ରିହାତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷେର କୋର୍ଟ ମାମଲା ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି, ଆଗାମୀ ଶୁଣାଣି ପୂର୍ବରୁ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନାଙ୍କ ମୋବାଇଲ୍, ଲାପ୍ଟପ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ସବୁ ଜବତ କରିନିଆଯିବ। ସେପଟେ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ସିବିଆଇ ଡିଏସ୍ପି ଦେବେନ୍ଦ୍ର କୁମାରଙ୍କୁ ଆଜି ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୁମାରଙ୍କୁ ୧୦ ଦିନ ସିବିଆଇ ହାଜତ ପଠାଇବାକୁ ଅନୁମତି ଦେବା ପାଇଁ ଏଜେନ୍ସି ଅନୁରୋଧ କରିବା ସହିତ ଏ ସଂକ୍ରାନ୍ତରେ କିଛି ଦସ୍ତାବିଜ ଦାଖଲ କରିଥିଲା। ତେବେ କୁମାରଙ୍କ ଓକିଲ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ତାଙ୍କ ଜାମିନ ପାଇଁ ଆବେଦନ କରିଥିଲେ। ଏଥିସହିତ ଗିରଫଦାରିକୁ ଚାଲେଞ୍ଜ୍ କରି କୁମାର ଆଜି ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ଆବେଦନ କରିଛନ୍ତି। ଇତିମଧ୍ୟରେ ସିବିଆଇ ଅସ୍ଥାନାଙ୍କ ସମସ୍ତ କ୍ଷମତା ଓ ଦାୟିତ୍ବକୁ ପ୍ରତ୍ୟାହାର କରିନେଇଛି। ଅସ୍ଥାନାଙ୍କଠାରୁ ସବୁ ମାମଲା ଫେରସ୍ତ ନିଆଯାଇଛି।