ସାଉଦି ରାଜ ପରିବାର ସଙ୍କଟ ବଢ଼ିଲା, ୧୦ ହଜାର କୋଟି ଡଲାର ଚଳୁ!
ଦୁର୍ନୀତିଖୋର୍ ଓ ବିରୋଧୀଙ୍କୁ ହଟାଇବାକୁ କ୍ରାଉନ୍ ପ୍ରିନ୍ସଙ୍କ ସଂକଳ୍ପ
ରିୟାଦ: ସାଉଦି ରାଜ ପରିବାର, ସରକାର ଓ ପ୍ରଶାସନରୁ ଦୁର୍ନୀତି ହଟାଇବା ପାଇଁ କ୍ରାଉନ୍ ପ୍ରିନ୍୍ସ ମହମ୍ମଦ ବିନ୍ ସଲମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶାଳ ଦୁର୍ନୀତି ବିରୋଧୀ ଅଭିଯାନ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଦୁର୍ନୀତି ମାମଲାରେ ୧୧ ଯୁବରାଜ, ଅନେକ ମନ୍ତ୍ରୀ, ୫୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ଶତାଧିକ ବ୍ୟବସାୟୀ ଗିରଫ ହେବାପରେ ଏ ବାବଦ ଖୋଳତାଡ଼ରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସାଉଦି ଆରବର ଆଟର୍ଣ୍ଣି ଜେନେରାଲ ସଉଦ୍ ଅଲ୍ ମୋଜେବ କହିଛନ୍ତି ଯେ ଦେଶରେ ସଂଗଠିତ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଶିଖରରେ ପହଞ୍ଚିବା ପରେ ଏବେ ଏଥିରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ହେଉଛି । ବିଗତ କିଛି ଦଶକ ମଧ୍ୟରେ ରାଷ୍ଟ୍ରରେ ୧୦ ହଜାର କୋଟି ଡଲାର ( ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କା) ହେରଫେର ହୋଇଛି ଏତେ ବିଶାଳ ପରିମାଣର ଦୁର୍ନୀତି ଯୋଗୁଁ ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଛି ବୋଲି ସେ କହିଛନ୍ତି। ନିକଟରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଜକୁମାର, ମନ୍ତ୍ରୀ ଓ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦେଶର ବିପୁଳ ଅର୍ଥ ଚଳୁ କରିଦେଇଥିବା ତଦନ୍ତରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଉଦିର ସବୁଠାରୁ ବଡ଼ ପୁଂଜି ଲଗାଣକାରୀମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ସହ ଦୁର୍ନୀତିରେ ସାମିଲ ଥିବା ରାଜକୁମାର ଅଲବଲିଦ ବିନ୍ ତଲାଲ, ରାଜକୁମାର ମିତେବ ବିନ୍ ଅବଦୁଲ୍ଲା ଏବଂ ତାଙ୍କ ଭାଇ ତୁର୍କୀ ବିନ ଅବଦୁଲ୍ଲାଙ୍କ ସମେତ ୧୧ ରାଜକୁମାର ଗିରଫ ହୋଇ ଜେଲ୍ରେ ଅଛନ୍ତି। ରିୟାଦ୍ର ଏକ ପଞ୍ଚତାରକା ହୋଟେଲ୍ ରିଜ୍ କାର୍ଲଟନ୍କୁ ଅସ୍ଥାୟୀ ଭାବେ କାରାଗାରରେ ପରିଣତ କରି ଗିରଫ ଯୁବରାଜ ଏବଂ ମନ୍ତ୍ରୀମାନଙ୍କୁ ସେଠାରେ ରଖାଯାଇଛି। ରାଜକୁମାର ମିତେବ ସାଉଦିର ପୂର୍ବ ରାଜଙ୍କ ପୁଅ ଏବଂ ତାଙ୍କୁ ଆଜି ନ୍ୟାସନାଲ ଗାର୍ଡ ମୁଖ୍ୟ ପଦରୁ ହଟାଇ ଦିଆଯାଇଛି । ଏହାକୁ ନେଇ ରାଜ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲେ ମଧ୍ୟ କ୍ରାଉନ୍ ପ୍ରିନ୍୍ସ ସଲମାନ ତାଙ୍କ ଅଭିଯାନ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ସେ ସାଉଦିର ପରବର୍ତ୍ତୀ ରାଜା ହେବାକୁ ଯାଉଥିବାରୁ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ବଦ୍ଧପରିକର ବୋଲି ସଙ୍କେତ ଦେଇଛନତି। ଦେଶରୁ ଦୁର୍ନୀତି ହଟାଇ ଏହାକୁ ଅତ୍ୟାଧୁନିକ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା କ୍ରାଉନ୍ ପ୍ରିନ୍ସ ସଲମାନ୍ କହିଛନ୍ତି ଯେ ଦେଶରୁ ଯଦି ଦୁର୍ନୀତି ନହଟିବ ଏବଂ ପରିବର୍ତ୍ତନ ନଆସିବ ତେବେ ଦେଶର ଆର୍ଥିକ ସଙ୍କଟ ବଢ଼ିଯିବ । ଏହା ରାଜ ପରିବାର ପ୍ରତି ଘୋର ବିପଦ ସୃଷ୍ଟି କରିବ ଏବଂ ଇରାନ୍ ପଟୁ ମଧ୍ୟ ବିପଦ ବଢ଼ିଯିବ ବୋଲି ସେ କହିଛନ୍ତି । ଦୁର୍ନୀତି ଓ ଶାସନ ବିରୋଧୀ ବ୍ୟକ୍ତିଙ୍କୁ ହଟାଇବା ପାଇଁ ଚାଲିଥିବା ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ତେବେ ଗୋଟିଏ ପଟେ କ୍ରାଉନ୍ ପ୍ରିନ୍ସ ସଲମାନଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ରାଷ୍ଟ୍ର ପାଇଁ ଫାଇଦା ଆଣୁଥିବା ବେଳେ ଅନ୍ୟ ପକ୍ଷରେ ଏହା ଦ୍ୱାରା ରାଜ ପରିବାରରେ ବିଦ୍ରୋହ ଓ ବିଭାଜନର ରେଖା ଟାଣିଛି। ଗିରଫ ରାଜକୁମାରମାନେ କ୍ରାଉନ୍ ପ୍ରିନ୍ସ ସଲମାନ୍ଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି। ତେବେ ସଲାମାନ ତାଙ୍କ ସୁଚିନ୍ତିତ ରଣନୀତି ସହ ଆଗକୁ ବଢ଼ୁଛନ୍ତି। କିଙ୍ଗ୍ ସଲମାନ ସମ୍ରାଟ ଥିବା ସମୟରେ ପ୍ରିନ୍ସ ମହମ୍ମଦ ୨୦୧୫ ମସିହାରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଜୁନ୍ ମାସରେ କିଙ୍ଗ୍ ସଲମାନ୍ କ୍ରାଉନ୍ ପ୍ରିନ୍ସ ସଲମାନ୍ଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ।