ଭୁବନେଶ୍ବର : ଚାଷ ଜମିର ଉର୍ବରତା ନଷ୍ଟ ହେବା ଯୋଗୁଁ ଶସ୍ୟ ଉତ୍ପାଦନ ହ୍ରାସ ପାଉଛି। ଏଥିସହ ତ୍ରୁଟିପୂର୍ଣ୍ଣ ସେଚ ବ୍ୟବସ୍ଥା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ମରୁଡ଼ି ପରିସ୍ଥିତି ଉପୁଜୁଛି। ଯଦି ଦେଖାଯାଏ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ୭୦ରୁ ୭୫ ପ୍ରତିଶତ ଜଳ ଚାଷ ଜମିରେ ପହଞ୍ଚିବା ପୂର୍ବରୁ ନଷ୍ଟ ହଉଛି। ଫଳରେ ମାତ୍ର ୨୫ରୁ ୩୦ ପ୍ରତିଶତ ଜଳ ଜମିରେ ପହଞ୍ଚୁଛି ବୋଲି ସେଣ୍ଟର ଫର୍ ପଲିସି ଗଭର୍ଣ୍ଣାନ୍ସ ଆଣ୍ଡ ଆଡଭୋକେସି(ସିପିଜିଏ) ପକ୍ଷରୁ ସିୱାଇଏସ୍ଡି ପରିସରରେ ଆୟୋଜିତ ଆଲୋଚନାଚକ୍ରରେ ଏହି ମତପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିପିଜିଏର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନାଚକ୍ରକୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଉଦ୍ଘାଟନ କରିଥିଲେ। ପୂର୍ବତନ କୃଷି ଉତ୍ପାଦନ କମିସନର ସଞ୍ଜୀବ ହୋତା କ୍ଷୁଦ୍ର ଓ ଭାଗ ଚାଷୀମାନେ କିଭଳି ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ଶ୍ରୀଜିତ୍ ମିଶ୍ର କହିଲେ, ଜାତୀୟ ଅର୍ଥନୀତିକୁ ଆଗକୁ ନେବା କ୍ଷେତ୍ରରେ ଗ୍ରାମାଞ୍ଚଳ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଚାଷୀ ଏବେ କୃଷିରୁ କମ୍ ଲାଭ ପାଉଛନ୍ତି। କେଉଁ ଅଞ୍ଚଳରେ କିଭଳି ଚାଷ କଲେ ଅଧିକ ଲାଭ ଦେଇପାରିବେ ତାହା ଉପରେ ଗୁରୁତ୍ବ ସହ ମାର୍କେଟ୍ ସୁବିଧା କରିବାକୁ ପଡ଼ିବ।
ଅନ୍ୟମାନଙ୍କ ମଧ୍ୟରେ ସଫଳ ଚାଷୀ ନଟବର ଷଡଙ୍ଗୀ, ଇମ୍ଫାଲସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଦିବାକର ନାୟକ, ହାଇଦ୍ରାବାଦସ୍ଥିତ ଜାତୀୟ କୃଷି ସମ୍ପ୍ରସାରଣ ପରିଚାଳନା ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡ. ବିନୟ କୁମାର ପତି, କଟକ ଜାତୀୟ ଧାନ ଗବେଷଣା ସଂସ୍ଥାନର ଶସ୍ୟ ଉତ୍ପାଦନ ବିଭାଗ ମୁଖ୍ୟ ଏ କେ ନାୟକ, ଓୟୁଏଟି କୃଷି ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସର୍ବନାରାୟଣ ମିଶ୍ର, ବିଶାଖାପାଟଣାସ୍ଥିତ ଜାତୀୟ ଗବେଷଣା ଉନ୍ନୟନ ନିଗମର ଆଞ୍ଚଳିକ ପ୍ରବନ୍ଧକ ଡ. ବିଜୟ କୁମାର ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ. ଶିବଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇ କୃଷିକୁ ଜଳବାୟୁ ଅନୁକୂଳ ଓ ଲାଭଦାୟକ କରିବା ଉପରେ ବକ୍ତବ୍ୟ ରଖିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଫେସର ହିମାଂଶୁ ଶେଖର ରାଉତ ଯୋଗଦେଇ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ। ଶ୍ରୀ ପରିଡ଼ା ସିପିଜିଏ ପକ୍ଷରୁ ୨୦୧୯-୨୦ରେ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟର ସମୀକ୍ଷା କରିବା ସହ ଚଳିତ ବଜେଟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ଏଥିରେ କୃଷି ବିଶେଷଜ୍ଞ, ବୈଜ୍ଞାନିକ, ବରିଷ୍ଠ ପ୍ରଶାସକ, ପ୍ରଫେସର ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।