ଖାଲରେ ଫସିଗଲା ହାତୀ : ଅପରେସନ୍‌ ଗଜରାଜରେ ୬୦ ସାମିଲ, ଘଣ୍ଟାଏ ଉଦ୍ୟମ ପରେ ଉଦ୍ଧାର

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅଲାରିଗଡ଼ ଗାଁ ଜେନାଖାଲ ପାହାଡ଼ ନିକଟ ଏକ ବଡ଼ ଖାଲରେ ଗୋଟିଏ ମାଈ ହାତୀ ସାରା ରାତି ଫସି ରହି ଗର୍ଜନ କରୁଥିଲା। ଆଜି ସକାଳେ ୬୦ରୁ ଅଧିକ ବନବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଣ୍ଟାଏ କାଳ ପରିଶ୍ରମ କରି ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଖାଲରୁ ବାହାରିବା କ୍ଷଣି ହାତୀଟି ପାହାଡ଼ ଆଡ଼କୁ ପଳାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ୧୨ଟିକିଆ ହାତୀପଲ ଜେନାଖୋଲ ପାହାଡ଼କୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଥିବା ଗୋଟିଏ ବଡ଼ ଖାଲ ଭିତରେ ଏକ ମାଈ ହାତୀ ଫସିଯାଇଥିଲା। ଅନ୍ୟ ହାତୀମାନେ ଖାଲ ଚାରିପଟେ ଜଗି ରହିବା ସହ ପ୍ରବଳ ଗର୍ଜନ କରିଥିଲେ। ଭୟଭୀତ ହୋଇ ରହିଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଦିଗପହଣ୍ଡି ଓ ବ୍ରହ୍ମପୁର ବନବିଭାଗ ଏବଂ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ରାତାରାତି ସେଠାରେ ପହଞ୍ଚିଥିଲେ। ହେଲେ ହାତୀପଲ ଘେରି ରହିଥିବାରୁ ଉଦ୍ଧାର ପାଇଁ ସେମାନେ ସାହସ ଜୁଟାଇ ପାରି ନଥିଲେ। ସାରା ରାତି ସେମାନେ ସେଠା‌ରେ ଅପେକ୍ଷା କରିଥିବା ବେଳେ ଆଜି ସକାଳେ ହାତୀପଲ ଖାଲଠୁ କିଛି ଦୂର ଯିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୋଟ ୬୦ ଜଣ ଏଥିରେ ସାମିଲ ହୋଇଥିଲେ। ଜେସିବି ଦ୍ବାରା ଖାଲକୁ ଅଧିକ ଚଉଡ଼ା କରାଯାଇଥିଲା। ଆଉ ଏକ ଘଣ୍ଟାର ଉଦ୍ୟମରେ ସକାଳ ସାଢ଼େ ୯ଟାରେ ଖାଲ ଭିତରୁ ମାଈ ହାତୀଟି ବାହାରି ପାହାଡ଼କୁ ପଳାଇଥିଲା।

ଅନ୍ୟପକ୍ଷରେ ଅଞ୍ଚଳରେ ୧୨ଟିକିଆ ହାତୀପଲଙ୍କ ଗତିବିଧି ଜାରି ରହିଥିବାରୁ ଗ୍ରାମବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସନ୍ଧ୍ୟା ହେଲେ ପଦାକୁ ନବାହାରିବା ଏବଂ ଧାନ ଖଳାରେ ନ ରଖି ଘରକୁ ନେବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା। ତେବେ ହାତୀପଲଙ୍କ ଯୋଗୁଁ ଅଲାରିଗଡ଼, ଲକ୍ଷ୍ମୀପୁର ଓ ଇନ୍ଦିରାଆବାସ କଲୋନି ସମେତ ଆଖପାଖ ଗ୍ରାମରେ ଆତଙ୍କ ଦେଖାଦେଇଛି। ଅନ୍ୟପକ୍ଷରେ ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ସୂଚନା ମିଳିଛି। ବ୍ରହ୍ମପୁର ଏସିଏଫ୍ ଅଶୋକ କୁମାର ବେହେରାଙ୍କ ଉପସ୍ଥିତିରେ ଏବଂ ଦିଗପହଣ୍ଡି ରେଞ୍ଜର୍ ପ୍ରମୋଦ କୁମାର ଖଡଗ୍‌ରାୟ, ବ୍ରହ୍ମପୁର ରେଞ୍ଜର ଏ.ରାଜାରା ଓ ଏବଂ ହିଞ୍ଜିଳି ଅଗ୍ନିଶମ ଅଧିକାରୀ ଲବ ନାୟକଙ୍କ ନେତୃତ୍ୱରେ ୬୦ଜଣ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥି‌ଲେ।

ସମ୍ବନ୍ଧିତ ଖବର