ଗାଁରେ ଲୋକଙ୍କୁ ମିଳିଲାଣି କାମଧନ୍ଦା
ନୂଆଦିଲ୍ଲୀ: ଲକ୍ଡାଉନ୍ ପ୍ରଭାବରେ ବେକାର ହୋଇଯାଇଥିବା ଲୋକମାନଙ୍କୁ କାମଧନ୍ଦା ମିଳିବା ଆରମ୍ଭ ହୋଇଗଲାଣି। ବିଶେଷ କରି ଗ୍ରାମାଞ୍ଚଳରେ ବେକାର ହୋଇଥିବା ଲୋକମାନେ କର୍ମକ୍ଷେତ୍ରକୁ ଫେରିଥିବା ଜଣାପଡ଼ିଛି। ସେଥିପାଇଁ ଚଳିତ ମାସ ୨୧ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଗ୍ରାମାଞ୍ଚଳରେ ବେକାରି ହାର ୭.୨୬%କୁ ହ୍ରାସ ପାଇଛି ଯାହା ପୂର୍ବରୁ ୧୦.୯୬% ଥିଲା। କିନ୍ତୁ, ସହରାଞ୍ଚଳ ବେକାର ସ୍ଥିତିରେ ବିଶେଷ ସୁଧାର ହୋଇନାହିଁ ବୋଲି ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଡାଉନ୍ ପୂର୍ବରୁ ଗ୍ରାମାଞ୍ଚଳରେ ଯେଉଁଭଳି ସ୍ଥିତି ଥିଲା ତାହା ଫେରିଆସିଛି। ସାରା ଦେଶରେ ନିଯୁକ୍ତି ହାର ୮.୪୮%କୁ ବୃଦ୍ଧି ପାଇଛି। ନିଯୁକ୍ତି ହାରରେ ବୃଦ୍ଧିର ଅର୍ଥ ହେଉଛି ଲୋକମାନଙ୍କୁ କାମଧନ୍ଦା ମିଳୁଛି। ସହରାଞ୍ଚଳରେ କିନ୍ତୁ ବେକାରି ହାର ୧୧.୧୯% ରହିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍ଡାଉନ୍ର ପ୍ରଭାବ ସହରାଞ୍ଚଳରେ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। ନିଯୁକ୍ତି କ୍ଷେତ୍ରରେ ସୁଧାର ହେବା ଲାଗି ଅଧିକ ସମୟ ଲାଗୁଛି। ଅର୍ଥନୀତିଜ୍ଞମାନେ କହିଛନ୍ତି, ଗ୍ରାମୀଣ ଅର୍ଥନୀତିକୁ ଖୋଲିବା ଲାଗି ଅନୁମତି ଦେବା, ଠିକ୍ ସମୟରେ ମୌସୁମୀ ଆଗମନ ହେବା ସହିତ ଚାଷ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବାରୁ ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମଧନ୍ଦା ମିଳିଯାଉଛି। ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନମିକ୍ ଗ୍ରୋଥ୍ର ପ୍ରଫେସର ଅରୁପ ମିତ୍ର କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଚାଷ କାମ ଚାଲିଥିବାରୁ କାମଧନ୍ଦା ମିଳୁଛି। ଶ୍ରମ ବଜାରରେ ଅଧିକ ଶ୍ରମିକ ଉପଲବ୍ଧ ଥିବାରୁ ଯାହାକୁ ଯାହା କାମ ମିଳୁଛି ସେମାନେ ତାହା କରୁଛନ୍ତି। ମନରେଗାରେ ଅଧିକ କାର୍ଯ୍ୟ ହେଲେ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ନିକଟରେ ଘୋଷଣା କରାଯାଇଥିବା ନୂଆ ସ୍କିମ୍ ପ୍ରଭାବରେ ଗ୍ରାମାଞ୍ଚଳରେ ନିଯୁକ୍ତି ହାରରେ ଆହୁରି ଉନ୍ନତି ହେବ ବୋଲି ସେ କହିଛନ୍ତି।
ସିଏମ୍ଆଇଇର ଏମ୍ଡି ଓ ସିଇଓ ମହେଶ ବ୍ୟାସ କହିଛନ୍ତି ଯେ, ଅଧିକ ଲୋକଙ୍କୁ କାମଧନ୍ଦା ମିଳିବା ଏକ ସକାରାତ୍ମକ ସଙ୍କେତ। କିନ୍ତୁ ସହରାଞ୍ଚଳରେ ସୁଧାର ହେବା ଲାଗି ଅଧିକ ସମୟ ଲାଗୁଛି। ସଂଗଠିତ ନିଯୁକ୍ତି ସୃଷ୍ଟି ହେବା ଲାଗି ଅଧିକ ସମୟ ଲାଗିପାରେ। ସହରାଞ୍ଚଳରେ ବାସ କରୁଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯାଇଥିବାରୁ ସହରାଞ୍ଚଳ ଶ୍ରମ ବଜାରରେ ଶ୍ରମିକଙ୍କ ଅଭାବ ଦେଖାଦେଇଛି। ସେଥିପାଇଁ ସହରାଞ୍ଚଳ ନିଯୁକ୍ତି ହାରରେ ସୁଧାର ବିଳମ୍ବିତ ହେଉଛି ବୋଲି ସେ କହିଛନ୍ତି।