ଭୁବନେଶ୍ୱର : ଓଡ଼ିଶାରେ ମଲବେରୀ ରେଶମର ଉତ୍ପାଦନ ବୃଦ୍ଧି କରିବା ଲାଗି କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଓ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକକୁ କ୍ଲଷ୍ଟର ଭାବେ ଘୋଷଣା କରାଯାଇଛି। ଏଥିସହ ରେଶମ ଶିଳ୍ପର ଅଭିବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ ରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଲାଗୁ କରିବାକୁ ଅନୁରୋଧ କରାଯାଇଛି ବୋଲି କେନ୍ଦ୍ରୀୟ ରେଶମ ବୋର୍ଡର ଅଧ୍ୟକ୍ଷ ହନୁମନ୍ଥରାୟାପା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାରା ଦେଶରୁ ୩୩୦୦ ମେଟ୍ରିକ୍ ଟନ୍ ରେଶମ ଉତ୍ପାଦନ ହେଉଛି। ସେଥିମଧ୍ୟରୁ କର୍ଣ୍ଣାଟକରୁ ସର୍ବାଧିକ ଉତ୍ପାଦନ ହେଉଥିବା ବେଳେ ଓଡ଼ିଶାରୁ ମାତ୍ର ୧୫୦ ମେଟ୍ରିକ୍ ଟନ୍ ଉତ୍ପାଦିତ ହେଉଛି। ଏହାକୁ ବୃଦ୍ଧି କରିବା ଲାଗି ପଦକ୍ଷେପମାନ ହାତକୁ ନିଆଯାଉଛି। ଓଡ଼ିଶାରେ ରେଶମ ଶିଳ୍ପର ବିକାଶ ଲାଗି ବୋର୍ଡ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୬.୩୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏଥିରେ ଚାଷୀଙ୍କୁ ମେସିନ୍ ଯୋଗାଇବା, ଅଣ୍ଡା ଚାଷ ଲାଗି ପୋତ୍ସାହନ, କଲରିଂ, ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯିବ। କେନ୍ଦ୍ରୀୟ ରେଶମ ବୋର୍ଡର ଆର୍ଥିକ ସହାୟତାରେ ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୪ଟି ବନ୍ୟ କ୍ଲଷ୍ଟର ଉନ୍ନୟନ କାର୍ଯ୍ୟକ୍ରମ(ଭିସିପିପି) ହେଉଛି। ଏଥିସହ ଟ୍ରାଇବାଲ ସବ୍ପ୍ଲାନ୍ରେ ମୟୂରଭଞ୍ଜର ବାଙ୍ଗିରିପୋଷି ଓ ଶ୍ୟାମସୁନ୍ଦରପୁର ଏବଂ କେନ୍ଦୁଝରର ଘଟଗାଁ ଓ ହରିଚନ୍ଦନପୁର ବ୍ଲକରେ କେନ୍ଦ୍ରୀୟ ଯୋଜନା ଲାଗୁ କରାଯାଇଛି। ଏହି ୪ଟି ବ୍ଲକରେ ଶତ ପ୍ରତିଶତ ହିତାଧିକାରୀ ଆଦିବାସୀ ହୋଇଥିବାରୁ ସେମାନଙ୍କୁ ୯୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
ଡିଜାଇନିଂ କରିବା ଲାଗି କେନ୍ଦୁଝର ଜିଲ୍ଲାର ଭଗାମୁଣ୍ଡାଠାରେ ଏକ ପ୍ରତିଷ୍ଠାନ ଖୋଲାଯାଇଛି। ଅଧିକ ଟସର ଉତ୍ପାଦନ ଲାଗି ଅସନ ଓ ଅର୍ଜୁନ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ ସମେତ ସୁନ୍ଦରଗଡ଼, ଢେଙ୍କାନାଳ, କଟକ, ଯାଜପୁର, ନୟାଗଡ଼ ପରି ଜିଲ୍ଲାର କେତେକ ଅଞ୍ଚଳକୁ ପ୍ରାଥମିକତା ଦିଆଯାଇଛି।
ଏମ୍ଜିଏନ୍ଆରଇଜିଏ ଓ ଆର୍କେବିଓ୍ଵାଇ ମାଧ୍ୟମରେ ଅସନ, ଅର୍ଜୁନ ପରି ବୃକ୍ଷ ରୋପଣ କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପୂର୍ବରୁ ମହିଳାମାନେ ଟସର କୋସାରୁ ଥାଇରିଲିଂ ପଦ୍ଧତିରେ ସୂତା କାଟୁଥିବା ବେଳେ ଏବେ ବୁନିୟାଦ୍ ମେସିନ୍ ଯୋଗାଇ ଦିଆଯାଉଛି। ଗତ ୫ ତାରିଖରେ କେନ୍ଦୁଝରର ଫକୀରପୁର ଗ୍ରାମର ୮୧ ଜଣ ମହିଳାଙ୍କୁ ୮୧ଟି ବୁନିୟାଦ ମେସିନ୍ ବଣ୍ଟନ ହୋଇଛି।
ଏଥିସହ ମୟୂରଭଞ୍ଜର ଅତା ଓ ଯଶୀପୁର ଅଞ୍ଚଳର ୨୪ ଜଣଙ୍କୁ ମିଶାଇ ଓଡ଼ିଶାର ୧୦୫ ଜଣଙ୍କୁ ଏହି ମେସିନ୍ ବଣ୍ଟା ଯାଇଛି। ପୂର୍ବରୁ କୋଶାରୁ ଥାଇରିଲିଂ ପଦ୍ଧତିରେ ଦିନକୁ ଜଣେ ମହିଳା ୬୦ରୁ ୮୦ ଗ୍ରାମ ରେଶମ ଉତ୍ପାଦନ କରୁଥିବା ବେଳେ ମେସିନ୍ ମାଧ୍ୟମରେ ୨୫୦ ଗ୍ରାମ ପର୍ଯ୍ୟନ୍ତ ଉତ୍ପାଦନ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଆହୁରି ୩୦୦ ମେସିନ୍ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଫକୀରପୁର ଗ୍ରାମକୁ ଏକ ଯୋଜନାରେ ଗୋଟିଏ କ୍ୟାଲେଣ୍ଡରିଂ ମେସିନ୍ ଯୋଗାଇ ଦିଆଯିବ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ରେଶମ ବୋର୍ଡର ଅଧ୍ୟକ୍ଷ ହନୁମନ୍ଥରାୟାପା ସୂଚନା ଦେଇଛନ୍ତି।
କେନ୍ଦୁଝରସ୍ଥିତ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁବ୍ରତ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କହିଥିଲେ, ଟସର ଚାଷ ଲାଗି ଓଡ଼ିଶାକୁ ୨୦ ଲକ୍ଷ ଅଣ୍ଡାର ଆବଶ୍ୟକତା ରହୁଥିବା ବେଳେ ଏବେ ମାତ୍ର ୮ ଲକ୍ଷ ଉତ୍ପାଦନ ହେଉଛି। ତାହାକୁ ବୃଦ୍ଧି କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ସେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡ. ପ୍ର୍ରଶାନ୍ତ କୁମାର କର ଉପସ୍ଥିତ ଥିଲେ।