ସେମିରେ ବାର୍ଟି-କିଜ୍, ନାଦାଲ-ବେରେତିନି: ଫ୍ରେଞ୍ଚ୍ ଓପନ୍ ବିଜୟିନୀ କ୍ରେସିକୋଭା ବିଦା
ମେଲ୍ବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତାର ମହିଳା ଏକକ ସେମିଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍ଲେ ବାର୍ଟି ଓ ଆମେରିକାର ମାଡିସନ କିଜ୍ ମୁହାଁମୁହିଁ ହେବେ। ସେହିଭଳି ପୁରୁଷ ଏକକରେ ଷଷ୍ଠ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଓ ସପ୍ତମ ମାନ୍ୟତାପ୍ରାପ୍ତ ମାତିଓ ବେରେତିନି ମୁହାଁମୁହିଁ ହେବେ। ମଙ୍ଗଳବାର ମହିଳା ଏକକ କ୍ବାର୍ଟର ଫାଇନାଲ୍ରେ ଅଷ୍ଟ୍ରେଲିଆର ୨୫ ବର୍ଷୀୟା ମହିଳା ବାର୍ଟି ୬-୨, ୬-୦ ସେଟ୍ରେ ଆମେରିକାର ଜେସିକା ପେଗୁଲାଙ୍କୁ ପରାସ୍ତ କରି ଦ୍ବିତୀୟ ଥର ଲାଗି ଏଠାରେ ସେମିଫାଇନାଲ୍ରେ ପହଞ୍ଚିଥିଲେ। ଏହି ବିଜୟ ଫଳରେ ୱିମ୍ବଲଡନ୍ ବିଜୟିନୀ ବାର୍ଟି ୪୪ ବର୍ଷ ପରେ ପ୍ରଥମ ଘରୋଇ ମହିଳା ଖେଳାଳି ଭାବେ ଟ୍ରଫି ଜିତିବାର ଆଶା ଉଜ୍ଜୀବିତ ରଖିଛନ୍ତି। ଶେଷ ଥର ଲାଗି କ୍ରିସ୍ ଓ’ନିଲ ୧୯୭୮ରେ ସ୍ଥାନୀୟ ମହିଳା ଖେଳାଳି ଭାବେ ଟ୍ରଫି ଜିତିଥିଲେ। ବାର୍ଟିଙ୍କ ସେମିଫାଇନାଲ୍ ପ୍ରତିଦ୍ବନ୍ଦ୍ବୀ କିଜ୍ ୬-୩, ୬-୨ ସେଟ୍ରେ ଫ୍ରେଞ୍ଚ୍ ଓପନ୍ ବିଜୟିନୀ ଚତୁର୍ଥ ମାନ୍ୟତାପ୍ରାପ୍ତ ବାର୍ବୋରା କ୍ରେଁସିକୋଭାଙ୍କୁ ହରାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୁଷ ଏକକରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ପେନ୍ ତାରକା ନାଦାଲ ୬-୩, ୬-୪, ୪-୬, ୩-୬, ୬-୩ ସେଟ୍ରେ ଚତୁର୍ଦଶ ମାନ୍ୟତାପ୍ରାପ୍ତ କାନାଡ଼ାର ଡେନିସ ସାପୋଭାଲୋଭଙ୍କୁ ମାତ୍ ଦେଇ ୩୬ତମ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ଏହି ବିଜୟ ଫଳରେ ନାଦାଲ କୀର୍ତ୍ତିମାନ ଭରା ୨୧ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ନିକଟତର ହୋଇଛନ୍ତି। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ଇଟାଲିର ବେରେତିନି ୬-୪, ୬-୪, ୩-୬, ୩-୬, ୬-୨ ସେଟ୍ରେ ସପ୍ତଦଶ ମାନ୍ୟତାପ୍ରାପ୍ତ ଫ୍ରାନ୍ସର ଗେଲ ମନ୍ଫିଲ୍ସଙ୍କୁ ହରାଇଥିଲେ।