ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମୁଁ ଇସ୍ତଫା ଦେବି; କର୍ମୀଙ୍କୁ ହତ୍ୟା ପରେ ଏଭଳି କହିଲେ ବିଜେପି ବିଧାୟକ
ବେଙ୍ଗାଲୁରୁ: ଗତମାସରେ ଉଦୟପୁରରେ ରହୁଥିବା ଦର୍ଜି କହ୍ନୈୟା ଲାଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ବିରୋଧ କରିବାରୁ ଏବେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ହତ୍ୟା କରାଯାଇଛି। ମଙ୍ଗଳବାର ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ହତ୍ୟାକାରୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟ କହିଛନ୍ତି ଯେ ଯଦି ଆକ୍ରମଣକାରୀଙ୍କ ବିରୋଧରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ସେ ଇସ୍ତଫା ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି ଆମ ସରକାର ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପାଇଁ ଦାୟୀ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ମୁଁ ବିଧାୟକ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଯଦି ଆମେ ଆମର ହିନ୍ଦୁ କାର୍ଯ୍ୟକର୍ତ୍ତାମାନଙ୍କୁ ସୁରକ୍ଷା ଦେଇ ପାରିବୁ ନାହିଁ ତେବେ କ୍ଷମତାରେ ରହି ଲାଭ କ’ଣ? ପ୍ରତ୍ୟେକ ଥର ଜଣେ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯିବାବେଳେ ସୋସିଆଲ ମିଡିଆରେ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି, କଠୋର କାର୍ଯ୍ୟାନୁଷ୍ଠାନ, ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ଦାବି ସହ ସମବେଦନା ଜଣାଯାଏ। କିନ୍ତୁ ସେଗୁଡ଼ିକର କୌଣସି ଲାଭ ନାହିଁ। ଯଦି ରାଜ୍ୟ ସରକାର ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ବିଶ୍ୱାସକୁ ଫେରାଇ ଆଣିବାକୁ ଚାହୁଁଛନ୍ତି, ତେବେ ଆକ୍ରମଣକାରୀଙ୍କୁ ଦଣ୍ଡ ଦେବା ଆବଶ୍ୟକ ବୋଲି କହିଛନ୍ତି ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟ ।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରବୀଣ ବେଲାର ଅଞ୍ଚଳ ନିକଟରେ ଏକ କୁକୁଡ଼ା ଦୋକାନ ଚଳାଉଥିଲେ। ଦିନସାରା କାମ କରିବା ପରେ, ଯେତେବେଳେ ପ୍ରବୀଣ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ରାତି ପ୍ରାୟ ୯ଟା ସମୟରେ ବାଇକ୍ ଯୋଗେ କିଛି ଦୁର୍ବୃତ୍ତ ଆସି ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ପ୍ରବୀଣଙ୍କର ମୃତ୍ୟୁ ହୋଇଥିଲା।