ସମ୍ବଲପୁର: ପ୍ରାୟ ଏକ ଦଶନ୍ଧି ଧରି ଓଡ଼ିଶା କ୍ରିକେଟ୍ ଦଳର ବ୍ୟାଟିଂ ମଙ୍ଗ ଧରିଥିବା ରାଜ୍ୟର ପ୍ରଥମ ମହିଳା ଅନ୍ତର୍ଜାତୀୟ ତାରକା ମାଧୁରୀ ମେହେଟାଙ୍କୁ ଶେଷରେ ରାଜ୍ୟ ଦଳର ଅଧିନାୟକ ଭାର ମିଳିଛି। ବରିଷ୍ଠ ଖେଳାଳି ମଧୁମିତା ବେହେରା ଓହରି ଯିବା ପରେ ରାଜ୍ୟ କ୍ରିକେଟ୍ ପ୍ରବନ୍ଧନ ମାଧୁରୀଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଛି। ବାଙ୍ଗାଲୋରରେ ହେବାକୁ ଥିବା ଆଗାମୀ ଜାତୀୟ ମହିଳା ଟି-୨୦ ଟୁର୍ନାମେଣ୍ଟରେ ସେ ଓଡ଼ିଶାର ନେତୃତ୍ବ ନେବେ। ଓସିଏ ପକ୍ଷରୁ ଘୋଷିତ ୧୬ ଜଣିଆ ଓଡ଼ିଶା ଦଳରେ ଅନ୍ୟତମ ଅନ୍ତର୍ଜାତୀୟ ତାରକା ରସନାରା ପରୱିନ୍, ହାର୍ଡ ହିଟର୍ ସରିତା ମେହେରଙ୍କ ସମେତ କେବଳ ବଲାଙ୍ଗୀରରୁ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଅନ୍ୟ ଦୁଇ ଜଣ ହେଲେ ୱିକେଟ୍ ରକ୍ଷକ ରଶ୍ମିତା ଚିନାରା ଏବଂ ରାମେଶ୍ବରୀ ନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ‘ସମ୍ବାଦ’ ସହ ଏକ ସଂକ୍ଷିପ୍ତ ଆଲୋଚନା ବେଳେ ମାଧୁରୀ କହିଛନ୍ତି ଯେ ଏହା ବଡ଼ ଦାୟିତ୍ବ ଓ ତାଙ୍କ ପାଇଁ ଏକ ଆହ୍ବାନ। ଦଳରେ ବହୁ ବର୍ଷ ନିୟମିତ ଖେଳି ଆସିଥିଲେ ବି ନେତୃତ୍ବ ନେବାର ଏହା ପ୍ରଥମ ଅଭିଜ୍ଞତା ହେବ। ତେବେ ଦଳରେ ବହୁ ଯୁବ ଓ ପ୍ରତିଭାବାନ ଖେଳାଳି ଥିବାରୁ ଓଡ଼ିଶା ଏଥର ଭଲ ପ୍ରଦର୍ଶନ କରିବ। ସବୁ ଖେଳାଳି କେମିତି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ତାହା ଉପରେ କାମ କରିବା କ୍ୟାପ୍ଟେନ୍ର ଦାୟିତ୍ବ। ଖେଳରେ ଦଳଗତ ପ୍ରଦର୍ଶନ ଅତି ଗୁରୁତ୍ବପୂର୍ଣ୍ଣ। ଜଣେ, ଦୁଇଜଣ ଖେଳାଳିଙ୍କ ପ୍ରଦର୍ଶନରେ ନୁହେଁ ଦଳଗତ ପ୍ରଦର୍ଶନରେ ମ୍ୟାଚ୍ ଜିତିବା ସହଜ ହୋଇଥାଏ। ଟି-୨୦ ଫର୍ମାଟ୍ରେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବା ବି ଅତି ଗୁରୁତ୍ବପୂର୍ଣ୍ଣ। ଗତ ଥର ଏକ ଛୋଟ ଭୁଲ କାରଣରୁ ଆମେ ରେଳବାଇ ବିପକ୍ଷ ମ୍ୟାଚ୍ ହାରି ଟୁର୍ନାମେଣ୍ଟରୁ ବାଦ ପଡ଼ିଥିଲୁ।
ଏଥର ଯେମିତି ସେଭଳି ଭୁଲ ନହେବ ତା’ଉପରେ ଯତ୍ନବାନ ହେବୁ। କାହାକୁ କେଉଁ ସମୟ ଓ ପରିସ୍ଥିତିରେ କିଭଳି ବୋଲିଂ, ବ୍ୟାଟିଂ ବା ଫିଲ୍ଡିଂ ପାଇଁ ଉପଯୋଗ କରାଯିବ ତାହା କ୍ୟାପ୍ଟେନ୍ଭାବେ ଠିକ୍ରେ ତୁଲାଇ ପାରିଲେ ମ୍ୟାଚ୍ ଜିତିବା ସହଜ ହେବ। ଏଥର ଆମ ଗ୍ରୁପ୍ରେ ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ। ତାହା ଜିତିଲେ ଆମେ ନକ୍ଆଉଟ୍କୁ ନିଶ୍ଚୟ ଯିବୁ ବୋଲି ମାଧୁରୀ କହିଥିଲେ। ରାଜ୍ୟ ଅଧିନାୟକତ୍ବ ପୁଣିଥରେ ତାଙ୍କ ପାଇଁ ଭାରତୀୟ ଦଳର ବାଟ ଖୋଲିବ କି ବୋଲି ପ୍ରଶ୍ନର ଉତ୍ତରରେ ମାଧୁରୀ କହିଲେ, ଗତ କିଛି ବର୍ଷ ହେଲା ମୋର ବ୍ୟକ୍ତିଗତ ପ୍ରଦର୍ଶନ ସନ୍ତୋଷଜନକ ଓ ସ୍ଥିର ରହିଛି। ବର୍ତ୍ତମାନ ଅଧିନାୟକ ଭାେବ ଭଲ କରି ପାରିଲେ ମୋର ବ୍ୟକ୍ତିଗତ ପ୍ରଦର୍ଶନରେ ବି ଆହୁରି ଉନ୍ନତି ଆସିବ ବୋଲି ଆଶା କରୁଛି। ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ବାକି ଭାରତୀୟ ଦଳକୁ ପୁଣି ଡାକରା ମିଳିବ କି ନାହିଁ ତାହା ଚୟନକର୍ତ୍ତାଙ୍କ ହାତରେ। ତେବେ ତାଙ୍କ ଉପରେ ବିଶ୍ବାସ ପ୍ରକଟ କରିଥିବାରୁ ମାଧୁରୀ ଓସିଏ ସଂପାଦକ ସଂଜୟ ବେହେରା ଓ ଚୟନକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇବା ସହ ସାଥୀ ଖେଳାଳିଙ୍କ ବିଶ୍ବାସଭାଜନ ହୋଇ ଖେଳିବାକୁ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।