ଟଙ୍କା ପରିସ୍ଥିତି ବିଷୟରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରଘୁରାମ ରାଜନଙ୍କୁ ଭେଟିବା ଉଚିତ: ଚିଦମ୍ବରମ୍
ନୂଆଦିଲ୍ଲୀ: ଟଙ୍କା ପରିସ୍ଥିତି ବିଷୟରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଦଳେ ଖ୍ୟାତନାମା ବିଶେଷଜ୍ଞଙ୍କ ସହିତ କବାଟକୀଳା ବୈଠକ ଡକାଇବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ ଗୁରୁବାର ଦିନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗୁରୁବାର ଦିନ ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର୍ ତୁଳନାରେ ୮୩.୨୦ ଖସି ଆସିବା ପରେ ଚିଦମ୍ବରମ୍ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି।
‘ବିଜେପି’ ନେତା ଅମିତ ମାଲଭୀୟ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଅଯାଚିତ ପରାମର୍ଶ ଦେବା ଭଳି ଧୃଷ୍ଟତା ଚିଦମ୍ବରମ୍ଙ୍କର ଅଛି।
ଟଙ୍କା ବିଷୟରେ ଆଲୋଚନା କରିବା ନିମନ୍ତେ ଚିଦମ୍ବରମ୍ ଯେଉଁ ବିଶେଷଜ୍ଞମାନଙ୍କ ନାମ ପ୍ରସ୍ତାବ ଦେଇଛନ୍ତି, ସେମାନେ ହେଲେ ଡକ୍ଟର୍ ସି. ରଙ୍ଗରାଜନ, ଡକ୍ଟର୍ ୱାଇ. ଭି. ରେଡ୍ଡୀ, ଡକ୍ଟର୍ ରାକେଶ ମୋହନ, ଡକ୍ଟର୍ ରଘୁରାମ ରାଜନ ଏବଂ ମଣ୍ଟେକ୍ ସିଂହ ଅହଲୁୱାଲିଆ। ଏ ସମସ୍ତ ଅର୍ଥନୀତିଜ୍ଞ ‘ଉପା’ ଶାସନକାଳରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିଲେ। ରଙ୍ଗରାଜନ, ୱାଇ.ଭି. ରେଡ୍ଡୀ ଓ ରଘୁରାମ ରାଜନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣନର୍ ଥିଲେ। ରାକେଶ ମୋହନ ଥିଲେ ଡେପ୍ୟୁଟି ଗଭର୍ଣ୍ଣନର୍ ଏବଂ ମୋଣ୍ଟେକ୍ ସିଂହ ଥିଲେ ସମ୍ପ୍ରତି ବିଲୁପ୍ତ ହୋଇଯାଇଥିବା ଯୋଜନା କମିସନ୍ର ଉପାଧ୍ୟକ୍ଷ।
ଟୁଇଟ୍ କରି ଚିଦମ୍ବରମ୍ ଲେଖିଛନ୍ତି, ଟଙ୍କାର କ୍ରମାଗତ ମୂଲ୍ୟ ହ୍ରାସ ଯୋଗୁଁ ସରକାର ଅସହାୟ ହୋଇଯିବା ପରି ମନେହେଉଛି। ଟଙ୍କାର ମୂଲ୍ୟ ହ୍ରାସ ମୁଦ୍ରାସ୍ଫୀତି, ନିଅଣ୍ଟିଆ ଚଳନ୍ତି ଜମା ଏବଂ ସୁଧହାରକୁ ପ୍ରଭାବିତ କରିବ। ତେଣୁ, ସରକାର ଦେଶରେ ଉପଲବ୍ଧ ସମସ୍ତ ଜ୍ଞାନ ଓ ଅଭିଜ୍ଞତା ଆବଶ୍ୟକ କରୁଛନ୍ତି।