ରୋଗୀଙ୍କ ପସନ୍ଦ ଅନୁସାରେ ଔଷଧ ଦେଇ ହେବନି, ରୋକ୍ଠୋକ୍ ମନା କରିଦେଲେ ସରକାର
କିଡନି ଔଷଧର ସମୀକ୍ଷା କଲେ ମୁଖ୍ୟ ସଚିବ, ଅଭିଯୋଗ ଭିତ୍ତିହୀନ, ଔଷଧର ମାନ ଠିକ୍ ଅଛି
ଭୁବନେଶ୍ବର : କିଡ୍ନି ପ୍ରତ୍ୟାରୋପଣ ହୋଇଥିବା ରୋଗୀମାନଙ୍କୁ ନିମ୍ନମାନର ଔଷଧ ଦିଆଯାଉଥିବା ନେଇ ପ୍ରାୟ ୩୦ ଜଣ ରୋଗୀ ମାସାଧିକ କାଳ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସ୍ବାସ୍ଥ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କଲେଣି। କେହି ନଶୁଣିବାରୁ ରାଜଧାନୀର ସବୁଠୁ ସମ୍ବେଦନଶୀଳ ରାସ୍ତା ତଥା ବର୍ଷତମାମ୍ ୧୪୪ଧାରା ଜାରି ରହିଥିବା ଏଜି ଛକରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଦିନ ହେଲା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରୋଗୀଙ୍କର ଦାବି ଯେ ସେମାନଙ୍କୁ ଡାକ୍ତର ଚିତ୍ତରଂଜନ କର ଚିକିତ୍ସା କରିବା ବେଳେ ଯେଉଁ ଔଷଧ ଦେଉଥିଲେ ସେହି ଔଷଧ ଦିଆଯାଉ। କିନ୍ତୁ ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଛି ଯେ ରୋଗୀଙ୍କର ବ୍ୟକ୍ତିଗତ ପସନ୍ଦ ଅନୁସାରେ ବିଭିନ୍ନ ବ୍ରାଣ୍ଡର ଔଷଧ ରାଜ୍ୟସାରା ଘରୋଇ ଦୋକାନରୁ କିଣି ଯୋଗାଇବା ସମ୍ଭବ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
କିଡ୍ନି ପ୍ରତ୍ୟାରୋପଣ ରୋଗୀମାନେ ଦୀର୍ଘଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରୁଥିବାରୁ ରବିବାର ଛୁଟି ସତ୍ତ୍ବେ ଘଟଣାର ଗୁରୁତ୍ବକୁ ଦେଖି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କିଡ୍ନି ପ୍ରତ୍ୟାରୋପଣ ରୋଗୀମାନଙ୍କ ନିମନ୍ତେ ନିରାମୟ ଯୋଜନା ମାଧ୍ୟମରେ ଯୋଗାଯାଉଥିବା ଔଷଧ ଯୋଗାଣ ସ୍ଥିତିର ସମୀକ୍ଷା କରିଥିଲେ। ରୋଗୀମାନେ ଔଷଧର ମାନ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବୈଠକରେ କୁହାଯାଇଛି ଯେ କିଡ୍ନି ପ୍ରତ୍ୟାରୋପଣ ଅପରେସନ୍ ଓ ଅପରେସନ୍ ପରବର୍ତ୍ତୀ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଔଷଧ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାର ନିରାମୟ କାଉଣ୍ଟରରେ ମାଗଣାରେ ମିଳୁଛି। ଏହାର ଗୁଣାତ୍ମକମାନ ଏନ୍ଏବିଏଲ୍ ସ୍ବୀକୃତ ପରୀକ୍ଷାଗାରଗୁଡ଼ିକ ଦ୍ବାରା ପରୀକ୍ଷା କରି ପ୍ରମାଣିତ ହୋଇଥାଏ। ଔଷଧ କିଣାଯିବା ପୂର୍ବରୁ ନିର୍ଭରଯୋଗ୍ୟ ବୈଜ୍ଞାନିକ ପଦ୍ଧତିରେ ଏହାର ଗୁଣାତ୍ମକମାନ ଯାଞ୍ଚ କରାଯାଏ। ସବୁଠାରୁ ଅଧିକ ଫଳଦାୟୀ ଓ ପାର୍ଶ୍ବପ୍ରତିକ୍ରିୟା ନଥିବା ଔଷଧକୁ ସ୍ବଚ୍ଛ ଅନଲାଇନ୍ ପ୍ରକ୍ରିୟାରେ ରାଜ୍ୟ ଔଷଧ ନିଗମ କିଣି ଆବଶ୍ୟକ ପରିମାଣରେ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଅନ୍ତି।
ସେହିପରି ଏସ୍ସିବିରେ କିଡ୍ନି ପ୍ରତ୍ୟାରୋପଣ ହୋଇଥିବା ୧୨୦ ଜଣ ରୋଗୀଙ୍କର ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଚାଲୁ ରହିଛି। ସେମାନଙ୍କ ମଧ୍ୟରୁ ୭୫% ରୋଗୀ ନିରାମୟ ମାଧ୍ୟମରେ ଦିଆଯାଉଥିବା ଔଷଧ ଖାଉଛନ୍ତି। ଏହି ୯୦ଜଣ ରୋଗୀ କେବେ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ବିଷୟରେ କୌଣସି ଅଭିଯୋଗ କରିନାହାନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ହେଉଛି। ନିରାମୟ ମାଧ୍ୟମରେ ଯୋଗାଯାଉଥିବା ଔଷଧର ଗୁଣାତ୍ମକମାନ ବିଷୟରେ କୌଣସି ବୈଷୟିକ କମିଟି ସନ୍ଦେହ ପ୍ରକଟ କରିନାହାନ୍ତି।
ଏପରିକି ବୈଠକରେ ଉପସ୍ଥିତ ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ମତ ଦେଇଥିଲେ ଯେ ଉକ୍ତ ଔଷଧକୁ ମଧ୍ୟ ନେଫ୍ରୋଲୋଜି, ରେମାଟୋଲୋଜି ଏବଂ ଡେର୍ମାଟୋଲୋଜି ଆଦି ବିଭାଗରେ ରୋଗୀମାନଙ୍କୁ ଦିଆଯାଉଛି। ହେଲେ ଏବେ ସୁଦ୍ଧା କୌଣସି ରୋଗୀଠାରେ କିଛି ପାର୍ଶ୍ବ ପ୍ରତିକ୍ରିୟା ହୋଇନାହିଁ। ଔଷଧର ଗୁଣାତ୍ମକମାନ ବିଷୟରେ ଅଭିଯୋଗ କରୁଥିବା ରୋଗୀ ଓ ପରିବାର ସଦସ୍ୟଙ୍କ ସହ ଏକାଧିକ ଥର ଆଲୋଚନା କରାଯାଇଛି। ବରିଷ୍ଠ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ସେମାନଙ୍କୁ ନିରାମୟ ଔଷଧର ଗୁଣାତ୍ମକମାନ ବିଷୟରେ ଭରସା ଦେଇଛନ୍ତି। ଏସବୁ ସତ୍ତ୍ବେ କିଛି ରୋଗୀ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ଏହା ପଛରେ କିଛି ମୁନାଫାଖୋର ଘରୋଇ ଔଷଧ ବ୍ରାଣ୍ଡ ବିତରକଙ୍କ ଗୁପ୍ତ ହାତ ଥିବା ସଙ୍କେତ ମିଳିଛି।
ଆଜିର ବୈଠକରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରୋଗୀଙ୍କ ପାଇଁ କିଣାଯାଉଥିବା ଔଷଧର ଗୁଣାତ୍ମକମାନ, କ୍ରୟ ଓ ଯୋଗାଣ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଫାର୍ମାକୋ ଭିଜିଲାନ୍ସ କମିଟିର ସଦସ୍ୟ, ବରିଷ୍ଠ ଭେଷଜ ପ୍ରଫେସର, ସ୍ପେଶାଲିଷ୍ଟଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅପରପକ୍ଷେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିଷ୍ପତ୍ତି ପରେ କିଡ୍ନି ପ୍ରତ୍ୟାରୋପଣ ରୋଗୀମାନେ କହିଛନ୍ତି ଯେ ଆମେ ଯେଉଁ ଔଷଧ ଖାଇ ସୁସ୍ଥ ଥିଲୁ ତାହା ଦେବାକୁ କହୁଛୁ। ଡାକ୍ତର କର ଚିକିତ୍ସା କରିବାବେଳେ ଯେଉଁ ଔଷଧ ଦେଉଥିଲେ ତାହାକୁ କାହିଁକି ସ୍ବାସ୍ଥ୍ୟ ବିଭାଗ ଦେଉନି? ଏପରିକି ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ କିଛି ଦିନ ପାଇଁ ଆମକୁ ପୁରୁଣା ଔଷଧ ଦିଆଯାଇଥିଲା, ହେଲେ ଏବେ କାହିଁକି ଦିଆଯାଉନି? ଯଦି ରାଜ୍ୟ ସରକାର ଆମ କଥା ନଶୁଣନ୍ତି ତେବେ ଆମେ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ।