ବେପାର ହେଉନଥିବା ଦେଶ ଛାଡ଼ିବ ହାର୍ଲି ଡେଭିଡ୍‌ସନ୍

ମୁମ୍ବାଇ: ଆମେରିକୀୟ ବାଇକ୍ କଂପାନି ହାର୍ଲି ଡେଭିଡ୍‌ସନ୍‌ ଭାରତରେ ଏହାର କାରବାର ବନ୍ଦ କରିବାର ଆଶଙ୍କା ସୃଷ୍ଟି ହୋଇଛି। କଂପାନି ସମଗ୍ର ବିଶ୍ବରେ ସେହି ସବୁ ସ୍ଥାନରୁ ପଳାୟନ କରିବା ଲାଗି ଚାହୁଛି ଯେଉଁଠାରେ ବିଶେଷ ଲାଭ ହେଉନାହିଁ କିମ୍ବା କଂପାନିକୁ ସୁହାଇବା ଭଳି ନିର୍ଦିଷ୍ଟ ପରିମାଣର ବାଇକ୍ ବିକ୍ରି ହେଉନାହିଁ। କଂପାନିର ଏହି‌ ଘୋଷଣା ପରେ ଭାରତ କାରବାର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଶ୍ବର ଯେଉଁ ୫୦ଟି ବଜାରରେ ବିକ୍ରି ଉଲ୍ଲେଖନୀୟ ରହିଛି କେବଳ ସେହି ସ୍ଥାନରେ କାରବାର ଜାରି ରଖିବାକୁ କଂପାନି ଚାହୁଛି ବୋଲି ହାର୍ଲି ଡେଭିଡ୍‌ସନ୍‌ର ଅଧ୍ୟକ୍ଷ ଜୋଚେନ୍ ଜିଟ୍‌ଜ କହିଛନ୍ତି। କଂପାନିର ଏପ୍ରିଲ୍‌-ଜୁନ୍ ଫଳାଫଳ ଘୋଷଣା କରିବା ବେଳେ ସେ ଏହି ସୂଚନା ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ହାର୍ଲି ଡେଭିଡ୍‌ସନ୍ ଭାରତରେ ପ୍ରାୟ ୨୫୦୦ ବାଇକ୍ ବିକ୍ରି କରିଛି ଓ ଏଠାରୁ ୨୧୦୦ଟି ବାଇକ୍ ରପ୍ତାନି କରିଛି। ସାରା ବିଶ୍ବରେ କଂପାନି ଏହିବର୍ଷ ୨,୧୦,୦୦୦ ବାଇକ୍‌ ବିକିଛି। କରୋନ‌ା ମହାମାରୀ ପ୍ରଭାବରେ ଚଳିତ ବର୍ଷର ଏପ୍ରିଲ୍-ଜୁନ ସମୟରେ ହାର୍ଲିର ବିକ୍ରି ୮୭% ଓ ରପ୍ତାନି ୪୦% ହ୍ରାସ ପାଇଛି।

ନିଜ ବ୍ୟବସାୟର ପୁନର୍ବିନ୍ୟାସ୍ କରିବା ଲାଗି ହାର୍ଲି ଡେଭିଡ୍‌ସନ୍‌ ପକ୍ଷରୁ ‘ରିଓୟାର୍‌’ ନାମକ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଏହାର ଅଂଶସ୍ବରୂପ ବିଶ୍ବର ବିଭିନ୍ନ ସ୍ଥାନରୁ ୫୦୦ ପଦବୀକୁ କଂପାନି ଉଚ୍ଛେଦ କରିଛି। ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ସଶକ୍ତ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁସାରେ ସେହି କାର୍ଯ୍ୟାଳୟଗୁଡ଼ିକ ଉପଯୁକ୍ତ ନିଷ୍ପତ୍ତି ନେବେ। କଂପାନି ଏହାର ମଡେଲ୍‌ ସଂଖ୍ୟାରେ ମଧ୍ୟ ୩୦ ପ୍ରତିଶତ ହ୍ରାସ କରିବା ଉପରେ ବିଚାର କରୁଛି। କଂପାନି ସେହି ଉତ୍ପାଦକୁ ଅଧିକ ଗୁରୁତ୍ବ ଦେବ ଓ ନିବେଶ କରିବ ଯାହା ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହେଉଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର